Site icon Swayam News

Cotton Farmers Problem ଗଜପତିରେ ନାହିଁ କପା ମଣ୍ଡି: ହନ୍ତସନ୍ତ ଚାଷୀ, ଧାର୍ଯ୍ୟ ଦରଠାରୁ କମରେ କିଣି ଆନ୍ଧ୍ର ଦଲାଲ ମାଲାମାଲ

ପାରଳାଖେମୁଣ୍ଡି: ଗଜପତି  ଜିଲ୍ଲାରେ ସମସ୍ତ ସାତୋଟି ବ୍ଳକର ଅଧିକାଂଶ ପାହାଡ଼ିଆ ଓ ଢିପ ଅଞ୍ଚଳରେ ହଜାର ହଜାର ଆଦିବାସୀ,ଚାଷୀ, ମକା ଓ କପା ଚାଷ କରିଥାନ୍ତି, ଜିଲ୍ଲାରେ ଅମଳ ହେଉଥିବା ଅର୍ଥକାରୀ ଫସଲ ମଧ୍ୟରୁ ଅନ୍ୟତମ ଏବଂ କାଜୁ ପରେ ଅଧିକ ଫସଲ ଅମଳ ହେଉଥିବା ଚାଷ ହେଉଛି କପା । ବର୍ଷ ବର୍ଷ ଧରି ଏହି ଚାଷ କରି ଆସୁଥିଲେ ମଧ୍ୟ ଅମଳ ଫସଲକୁ ସଠିକ୍ ଦରରେ ବିକ୍ରି କରିପାରୁ ନାହାନ୍ତି। ଚାଷୀ ଫଳରେ କ୍ଷତିଗ୍ରସ୍ତ ହେଉଛନ୍ତି । ଜିଲ୍ଲାରେ ଅମଳ କପା ସାଇତି ରଖିବା ପାଇଁ ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା ନାହିଁ , ଏମିତି କି ବିକ୍ରି କରିବା ପାଇଁ ଜିଲ୍ଲାରେ ମଣ୍ଡି ମଧ୍ୟ ନାହିଁ । ତେଣୁ ଅମଳ କପାକୁ ଦଲାଲ ଜରିଆରେ ବାହାର ରାଜ୍ଯର ବେପାରୀଙ୍କୁ ଶାଗ ମାଛ ଦରରେ ବିକ୍ରି କରୁଛନ୍ତି ।

ପ୍ରଥମେ ଅଦିନିଆ ବର୍ଷା ଆଉ ତାପରେ ବାତ୍ୟା ମୋନ୍ଥା ପ୍ରଭାବରେ ବର୍ଷା କପା ଚାଷୀଙ୍କ ୫୦ ପ୍ରତିଶତ କପା ନଷ୍ଟ ହେବା ପରେ ଯାହା ବଳି ଥିଲା ତାକୁ  ଆନ୍ଧ୍ର ବେପାରୀଙ୍କୁ  ଶାଗମାଛ ଦରରେ ବିକି ଚାଲିଛନ୍ତି ଗଜପତି ଜିଲ୍ଲାର କପାଚାଷୀ। ବିଶେଷ କରି କାଶୀନଗର ଅଞ୍ଚଳରୁ ଅଧିକାଂଶ ଅମଳ କପା ଆନ୍ଧ୍ର ବେପାରୀ ହାତରେ ଟେକି ଦେଉଛନ୍ତି ଚାଷୀ।  ସରକରୀ ଭାବରେ ଜିଲ୍ଲାରେ ମୋଟ ୨୬୪୬ ହେକ୍ଟର ଜମିରେ  କପାଚାଷ କରାଯାଉଥିବା ବେଳେ  ପାଖାପାଖି ୫୨୯୨୦ କୁଇଣ୍ଟାଲ କପା ଅମଳ ଲକ୍ଷ ରଖିଛି ବିଭାଗ , କିନ୍ତୁ ଜିଲ୍ଲାରେ ୭୩୩ ଜଣ ଚାଷୀ କପା ବିକ୍ରି ପାଇଁ ମୋବାଇଲ ଆପ ମାଧ୍ୟମରେ ଆବେଦନ କରିଥିଲେ ମଧ୍ୟ  ସେଥିରୁ ମାତ୍ର ୩୩ ଜଣ ଚାଷୀ ପଞ୍ଜୀକୃତ ହୋଇ ପାରିଛନ୍ତି । ଜମି ପଟ୍ଟା , ରାଜସ୍ୱ ଅଧକାରୀଙ୍କ ରିପୋର୍ଟ , ନେଟୱର୍କ ସମସ୍ଯା ଭଳି ଅନେକ କାରଣରୁ ଚାଷୀ ଆପରେ ପଞ୍ଜୀକୃତ ହେବାରୁ ବଞ୍ଚିତ ଅଛନ୍ତି ।

ମଣ୍ଡିରେ ବିକ୍ରି କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି ଚାଷୀ

ଅନ୍ୟ ପକ୍ଷରେ ଜିଲ୍ଲାରେ ମଣ୍ଡି ବ୍ୟବସ୍ଥା ନଥିବା ବେଳେ ପଞ୍ଜୀକୃତ ଚାଷୀ ମଧ୍ୟ ରାୟଗଡ଼ା ଜିଲ୍ଲାରେ ଯାଇ ମଣ୍ଡିରେ ବିକ୍ରି କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି ଯାହାର ଫାଇଦା ନେଉଛନ୍ତି ଦଲାଲ। ସେପଟେ ବର୍ତ୍ତମାନ କଟନ କର୍ପୋରେସନ ପକ୍ଷରୁ କପା କୁଇଣ୍ଟାଲ ପ୍ରତି ୮୧୧୦ ଟଙ୍କା ଦର ଧାର୍ଯ୍ୟ କରାଯାଇଥିବା ବେଳେ ଆନ୍ଦ୍ର ବେପାରୀ ମାତ୍ର ୬ ହଜାର ଟଙ୍କାରେ କିଣି ଚାଲିଛନ୍ତି।  ଦୁଇଦୁଇ ଥର ଔଷଧ, ସାର ଦେଇ ବର୍ଷାରେ ବଞ୍ଚିଥିବା କପାକୁ ଧାର କରଜ କରି ମୁଲିଆ ହାତରେ କପା ତୋଳାଇବା ସହ ସେପଟେ ଆନ୍ଧ୍ର ପ୍ରଦେଶର ବ୍ୟବସାୟୀଙ୍କୁ ଗଜପତିର  ଧଳା ସୁନା ମଣ୍ଡି ଅଭାବରୁ  କ୍ଷତିରେ ବିକ୍ରୟ କରିଚାଲିଛନ୍ତି।

କପା କ୍ରୟ କରୁଥିବା ଦଲାଲ ଓ ଆନ୍ଧ୍ର ବେପାରୀଙ୍କୁ ମାଲାମାଲ କରୁଥିବା ବେଳେ ଚାଷୀଙ୍କୁ କ୍ଷତିରୁ ରକ୍ଷା କରିବା ପାଇଁ ସରକାର ପଦକ୍ଷେପ ନେବା ଜରୁରୀ ହୋଇ ପଡିଛି। ପୂର୍ବରୁ ବାରମ୍ବାର ପ୍ରଶାସନ ଜରିଆରେ ସରକାରଙ୍କୁ ଅବଗତ କରଯାଇଛି ତଥାପି ମଣ୍ଡିର ବ୍ୟବସ୍ଥା ନହେବାରୁ ଚାଷୀ କମ ଦରରେ ବାହାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଆଗାମୀ ଦିନରେ ଯଦି ପ୍ରଶାସନ ଏଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ନକରେ ତାହା ହେଲେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଓଡ଼ିଶା କୃଷକ ସଭାର ରାଜ୍ୟ କମିଟି ସଦସ୍ୟ ଦଣ୍ଡପାଣି ରଈତ କହିଛନ୍ତି।

ସୌଜନ୍ୟ ସମ୍ବାଦ

Exit mobile version