Cricket: ଆଉ ଏକ ମାଇଲ୍‌ଖୁଣ୍ଟ ଛୁଇଁଲେ ନ୍ୟୁଜିଲାଣ୍ଡର ଖେଳାଳି ଡାରିଲ ମିଚେଲ

ଦୁବାଇ: ନ୍ୟୁଜିଲାଣ୍ଡର ଭାରତ ବିପକ୍ଷ ଐତିହାସିକ ଦିନିକିଆ ଶୃଙ୍ଖଳା ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିବା ଏହି ଦେଶର ମଧ୍ୟକ୍ରମ ବ୍ୟାଟର୍‌ ଡାରିଲ ମିଚେଲ ଆଉ ଏକ ମାଇଲ୍‌ଖୁଣ୍ଟ ଛୁଇଁଛନ୍ତି। ଭାରତର କିଂବଦନ୍ତି ବ୍ୟାଟର୍‌ ବିରାଟ କୋହଲିଙ୍କୁ ହଟାଇ ବିଶ୍ବର ‌ଶ୍ରେଷ୍ଠ ମାନ୍ୟତାପ୍ରାପ୍ତ ଦିନିକିଆ ବ୍ୟାଟର୍‌ ପାଲଟି ଯାଇଛନ୍ତି ସେ। ନିକଟରେ ଶେଷ ହୋଇଥିବା ଭାରତ-ନ୍ୟୁଜିଲାଣ୍ଡ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ୩୪ବର୍ଷୀୟ ମିଚେଲ ଦୁଇଟି ଶତକ ସହ ୩୫୨ ରନ୍‌ କରିଥିଲେ।

ଇନ୍ଦୋରରେ ଖେଳାଯାଇଥିବା ନିର୍ଣ୍ଣାୟକ ତୃତୀୟ ଦିନିକିଆରେ ସେ ୧୩୭ ରନ୍‌ର ପାଳି ଖେଳିଥିଲେ। ଏଥିଲଗି କୋହଲିଙ୍କ ୧୨୪ ରନ୍‌ର ସାହସିକ ଶତକ ବେକାର ଯାଇଥିଲା। ଏହି ମ୍ୟାଚ୍‌ ସହ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ‌ହୋଇଥିବା ମିଚେଲ ଦିନିକିଆ କ୍ରିକେଟ୍‌ରେ ଆଉ ଏକ ରେକର୍ଡର ଅଧିକାରୀ ମଧ୍ୟ ହୋଇଛନ୍ତି। ଦିନିକିଆରେ ୯ଶତକ ହାସଲ କରିବାରେ ବିଶ୍ବର ଚତୁର୍ଥ ଦ୍ରୁତତମ ବ୍ୟାଟର୍‌ ହୋଇଛନ୍ତି ସେ। ୫୪ ପାଳିରୁ ୯ଟି ଶତକ ହାସଲ କରି ଦକ୍ଷିଣ ଆଫ୍ରିକାର କ୍ବିଣ୍ଟନନ୍ଡି’ କକ୍ (୫୩), ହାସିମ ଆମଲା (୫୨) ଏବଂ ପାକିସ୍ତାନର ଇମାମ ଉଲ୍‌ ହକ୍‌ (୪୮)ଙ୍କ ପଛକୁ ରହିଛନ୍ତି।

ସଦ୍ୟ ପ୍ରକାଶିତ ଦିନିକିଆ ବ୍ୟାଟର୍‌ ମାନ୍ୟତା

ଆଇସିସିର ସଦ୍ୟ ପ୍ରକାଶିତ ଦିନିକିଆ ବ୍ୟାଟର୍‌ ମାନ୍ୟତାରେ ବିଚେଲ ୮୪୫ ପଏଣ୍ଟ୍‌ ପାଇ ପ୍ରଥମ ସ୍ଥାନରେ ଥିଲା ବେଳେ କୋହଲି ୭୯୫ ପଏଣ୍ଟ୍‌ ସହ ଦ୍ବିତୀୟ ସ୍ଥାନକୁ ଖସି ଯାଇଛନ୍ତି। ଏହି ତାଲିକାର ଶ୍ରେଷ୍ଠ ୧୦ ରହିଥିବା ଅନ୍ୟ ଦୁଇ ଭାରତୀୟ ରୋହିତ ଶର୍ମା (୩) ଓ ଶୁବମନ ଗିଲ୍‌ ପଞ୍ଚମ ସ୍ଥାନରେ ରହିଛନ୍ତି। ଦିନିକିଆ ବୋଲର୍‌ ମାନ୍ୟତା‌ରେ ଆଫଗାନିସ୍ତାନର ରସିଦ ଖାନ୍ ଏକନମ୍ବର ସ୍ଥାନରେ ଥିଲା ବେଳେ ଏକମାତ୍ର ଭାରତୀୟ ଭାବେ କଚଟି ସ୍ପିନର କୁଲଦୀପ ଯାଦବ ତୃତୀୟ ସ୍ଥାନରେ ଅଛନ୍ତି।

ସୌଜନ୍ୟ ସମ୍ବାଦ