ରାଜ୍ୟ

Crime: ଗୋଟିଏ ରାତିରେ ଏକାଧିକ ସ୍ଥାନରେ ଚୋରି ଉଦ୍ୟମ; ଜଣେ ସନ୍ଦିଗ୍ଧ ଅଟକ

ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଅଞ୍ଚଳରେ ପୁଣି ମାତିଛନ୍ତି ଚୋର। ରାତି ହେଲେ ଚୋରଙ୍କ ଉତ୍ପାତ ବଢ଼ୁଥିବାବେଳେ ଗୁରୁବାର ରାତିରେ ଗୋଟିଏ ପରେ ଗୋଟିଏ ଏକାଧିକ ସ୍ଥାନରେ ଚୋରି ଉଦ୍ୟମ ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ...

ବୈଶିଙ୍ଗା (ଦୀପକ କୁମାର ସିଂହ): ମୟୂରଭଂଜ ଜିଲ୍ଲାବୈଶିଙ୍ଗା ଅଞ୍ଚଳରେ ପୁଣି ମାତିଛନ୍ତି ଚୋର। ରାତି ହେଲେ ଚୋରଙ୍କ ଉତ୍ପାତ ବଢ଼ୁଥିବାବେଳେ ଗୁରୁବାର ରାତିରେ ଗୋଟିଏ ପରେ ଗୋଟିଏ ଏକାଧିକ ସ୍ଥାନରେ ଚୋରି ଉଦ୍ୟମ ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ତେବେ ସିସିଟିଭି କ୍ୟାମେରା ଓ ଆଲାର୍ମ ବ୍ୟବସ୍ଥା ସକ୍ରିୟ ଥିବାରୁ ଦୁର୍ବୃତ୍ତମାନଙ୍କ ଯୋଜନା ପଣ୍ଡ ହୋଇଯାଇଛି।

ସୂଚନା ଅନୁଯାୟୀ ଗୁରୁବାର ରାତି ପ୍ରାୟ ୧୦ଟା ୩୦ ମିନିଟ୍ ସମୟରେ ଦେବବ୍ରତ ମହାପାତ୍ରଙ୍କ ପରିବାର ବାରିପଦାରେ ଥିବାବେଳେ ତାଙ୍କ ବୈଶିଙ୍ଗା ସ୍ଥିତ ଘରରେ ଲାଗିଥିବା ସୁରକ୍ଷା ଆଲାର୍ମ ହଠାତ୍ ବାଜିଉଠିଥିଲା। ମୋବାଇଲ୍‌ ସହ ସଂଯୁକ୍ତ ସିସିଟିଭି ଫୁଟେଜ ଯାଞ୍ଚ କରି ସେ ଘର ନିକଟରେ ରହୁଥିବା ପଡ଼ୋଶୀମାନଙ୍କୁ ତୁରନ୍ତ ଖବର ଦେଇଥିଲେ।

ପଡ଼ୋଶୀମାନେ ଘର ବାହାରକୁ ଆସିବା ମାତ୍ରେ ପ୍ରାୟ ପାଞ୍ଚଜଣ ଦୁର୍ବୃତ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ସେହିପରି ପୁଷ୍ପଜିତ ପରିଡାଙ୍କ ହର୍ବାଲ ଲାଇଫ ସେଣ୍ଟର ଏବଂ ପଙ୍କଜ ସାହୁଙ୍କ ଘରେ ମଧ୍ୟ ଚୋରି ଉଦ୍ୟମ ହୋଇଥିବା ସୂଚନା ମିଳିଛି। ଏକାଧିକ ସ୍ଥାନକୁ ଏକାସାଙ୍ଗରେ ଟାର୍ଗେଟ କରାଯାଇଥିବାରୁ ଏହା ଏକ ସଂଗଠିତ ଚୋର ଗ୍ୟାଙ୍ଗର କାର୍ଯ୍ୟକଳାପ ହୋଇଥାଇପାରେ ବୋଲି ସନ୍ଦେହ ବଢ଼ିଛି।

ଖବର ପାଇ ବୈଶିଙ୍ଗା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ରାତିରେ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଚୋରି ଉଦ୍ୟମର ସମ୍ପୂର୍ଣ୍ଣ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଥିବାରୁ ସେହି ଫୁଟେଜକୁ ଆଧାର କରି ପୁଲିସ ତଦନ୍ତକୁ ଅଧିକ ଜୋରଦାର କରିଛି।

ବାରମ୍ବାର ଚୋରି ଉଦ୍ୟମ ଘଟଣା ପରେ ବୈଶିଙ୍ଗାବାସୀଙ୍କ ମନରେ ଭୟ ଓ ଅସୁରକ୍ଷା ଭାବନା ବଢ଼ିଛି। ରାତ୍ରିକାଳୀନ ପୁଲିସ ପାଟ୍ରୋଲିଂକୁ ଆହୁରି କଡ଼ାକଡ଼ି କରିବା ସହ ଚୋର ଗ୍ୟାଙ୍ଗକୁ ଶୀଘ୍ର ଗିରଫ କରିବା ପାଇଁ ସ୍ଥାନୀୟ ଲୋକ ପ୍ରଶାସନ ନିକଟରେ ଦାବି କରିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button