ରାଜ୍ୟ

Crime: ନବବଧୂଙ୍କୁ ହତ୍ୟାକରି ଫ୍ୟାନ୍‌ରେ ଝୁଲାଇଦେଲେ: ବ୍ୟାଙ୍କ ମ୍ୟାନେଜର ସ୍ବାମୀଙ୍କ ସମେତ ଶାଶୂ ଓ ଶଶୁର ଗିରଫ

ଜଣେ ନବବଧୂଙ୍କୁ ହତ୍ୟା କରି ଫ୍ୟାନ୍‌ରେ ଝୁଲାଇଦେଲେ। ସ୍ବାମୀ, ଶାଶୂ ଓ ଶଶୁର ମିଶି ଏହି ଯୋଜନାବଦ୍ଧ ହତ୍ୟାକାଣ୍ଡକୁ ଆତ୍ମହତ୍ୟାର ରୂପ ଦେବାକୁ ଲାଗିପଡ଼ିଲେ। ଯୋଜନାନୁସାରେ ସ୍ବାମୀ ନିଜ ବେକକୁ ସାମାନ୍ୟ ଭାବେ କାଟି ପକାଇଲେ...

ଭୁବନେଶ୍ୱର: ଜଣେ ନବବଧୂଙ୍କୁ ହତ୍ୟା କରି ଫ୍ୟାନ୍‌ରେ ଝୁଲାଇଦେଲେ। ସ୍ବାମୀ, ଶାଶୂ ଓ ଶଶୁର ମିଶି ଏହି ଯୋଜନାବଦ୍ଧ ହତ୍ୟାକାଣ୍ଡକୁ ଆତ୍ମହତ୍ୟାର ରୂପ ଦେବାକୁ ଲାଗିପଡ଼ିଲେ। ଯୋଜନାନୁସାରେ ସ୍ବାମୀ ନିଜ ବେକକୁ ସାମାନ୍ୟ ଭାବେ କାଟି ପକାଇଲେ, ଯେମିତି ସମସ୍ତେ ଭାବିବେ ଯେ ସ୍ତ୍ରୀଙ୍କ ମୃତ୍ୟୁରେ ଭାଙ୍ଗିପଡ଼ି ସ୍ବାମୀ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସବୁ ଯୋଜନା ବିଗିଡ଼ିଗଲା। ମୃତ ମହିଳାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ଭରତପୁର ଥାନା ପୁଲିସ, ସାଇଣ୍ଟିଫିକ୍‌ ଟିମ୍‌ ସହଯୋଗରେ ଛାନ୍‌ଭିନ୍‌ କରୁକରୁ ସତ ଧରାପଡ଼ିଗଲା ଏବଂ ପୁଲିସ ତିନି ହତ୍ୟା ଅଭିଯୁକ୍ତଙ୍କୁ ଗିରଫ କଲା। ଗତକାଲି ରାତିରେ ଆଇଗିଣିଆ ଶ୍ରୀକ୍ଷେତ୍ର ରେସିଡେନ୍‌ସିରେ ଘଟିଥିବା ଏହି ବର୍ବରକାଣ୍ଡର ଅଭିଯୁକ୍ତମାନେ ହେଲେ ମୃତକ ସ୍ନେହା ଗୁପ୍ତାଙ୍କ ସ୍ୱାମୀ ସଚିନ ଦାସ(୩୧), ଶଶୁର ରାଜେଶ ଦାସ(୫୫) ଓ ଶାଶୂ ରୀତା ଦାସ(୫୦)। ସଚିନ ଏକ ବ୍ୟାଙ୍କରେ ମ୍ୟାନେଜର ଭାବେ କାର୍ଯ୍ୟରତ ଥିବା ଜଣାପଡ଼ିଛି।

ପୁଲିସ ସୂଚନାନୁଯାୟୀ ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲ୍ଲା ଗରୁଳିଆ ଅଞ୍ଚଳର ଯୋଗେନ୍ଦ୍ର ପ୍ରସାଦ ଗୁପ୍ତାଙ୍କ ଝିଅ ସ୍ନେହା ୨୦୨୫ ଡିସେମ୍ବର ୨୧ରେ ସଚିନଙ୍କୁ ବିବାହ କରିଥିଲେ। ମାତ୍ର ବିବାହ ପରଠୁ ସ୍ନେହାଙ୍କ ଉପରେ ଆରମ୍ଭ ହୋଇଯାଇଥିଲା ଯୌତୁକ ନିର୍ଯାତନା। କେବଳ ସେତିକି ନୁହେଁ, ଅନ୍ୟ ଜଣେ ମହିଳାଙ୍କ ସହ ସଚିନଙ୍କର ଅନୈତିକ ସମ୍ପର୍କ ଥିବା ଘଟଣାକୁ ନେଇ ସେମାନଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ଉଠିଥିଲା। ତେଣୁ ସ୍ନେହାଙ୍କୁ ମରିଯିବା ଲାଗି ସଚିନ ବାରମ୍ବାର ଉସୁକାଉଥିଲେ। ଗତକାଲି ରାତିରେ ସ୍ନେହାଙ୍କୁ ନେଇ ସଚିନଙ୍କ ପରିବାର ଲୋକେ କ୍ୟାପିଟାଲ ହସ୍ପିଟାଲ୍‌ରେ ପହଞ୍ଚିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ନେହା ଆତ୍ମହତ୍ୟା କରିଛନ୍ତି ବୋଲି ପରିବାର ପକ୍ଷରୁ କୁହାଯାଇଥିଲା। କିନ୍ତୁ ସ୍ନେହାଙ୍କ ବାପା ଭରତପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ହସ୍ପିଟାଲ୍‌ରେ ମୃତଦେହ ଜବତ କରିବା ସହ ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ମର୍ଗକୁ ପଠାଇଥିଲା। ପରେପରେ ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଶ୍ରୀକ୍ଷେତ୍ର ରେସିଡେନ୍‌ସିରେ ସଚିନଙ୍କ ଘରକୁ ଯାଇ ଛାନ୍‌ଭିନ କରିଥିଲା। କିନ୍ତୁ ଆଜି ସକାଳୁ ପୁଲିସ ସେମାନଙ୍କୁ ନ ପାଇ ଖୋଜାଖୋଜି କରି ଫୁଲେଶ୍ବରୀବସ୍ତିରୁ ଠାବ କରିଥିଲା। ସେମାନେ ନିଜ ଦୋଷ ସ୍ବୀକାର କରିଥିବା ପୁଲିସ ସୂଚନା ଦେଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button