Crime Branch-STA meeting: କ୍ରାଇମବ୍ରାଞ୍ଚ-ଏସ୍ଟିଏ ବୈଠକ: ରାଜ୍ୟରେ ହେବ ‘ଆଦର୍ଶ ସଡ଼କ ସୁରକ୍ଷା ସହର’
ରାଜ୍ୟରେ ସଡ଼କ ଦୁର୍ଘଟଣା ଏବଂ ଏଥିରେ ଜୀବନହାନି ରୋକିବା ପାଇଁ କ୍ରାଇମବ୍ରାଞ୍ଚ, ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍ଟିଏ), କମନ୍ ଆକ୍ସନ ଫର୍ ରୋଡ ସେଫ୍ଟି, ଟ୍ରାକ୍ସ, ହୋଣ୍ଡା ମୋଟର ସାଇକଲ୍ ଏବଂ ସ୍କୁଟର

କଟକ: ରାଜ୍ୟରେ ସଡ଼କ ଦୁର୍ଘଟଣା ଏବଂ ଏଥିରେ ଜୀବନହାନି ରୋକିବା ପାଇଁ କ୍ରାଇମବ୍ରାଞ୍ଚ, ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍ଟିଏ), କମନ୍ ଆକ୍ସନ ଫର୍ ରୋଡ ସେଫ୍ଟି, ଟ୍ରାକ୍ସ, ହୋଣ୍ଡା ମୋଟର ସାଇକଲ୍ ଏବଂ ସ୍କୁଟର ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ଏକ ସଡ଼କ ସୁରକ୍ଷା ସଚେତନତା ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସହରକୁ ‘ଆଦର୍ଶ ସଡ଼କ ସୁରକ୍ଷା ସହର’ ଭାବେ ଗଢ଼ିବା ପାଇଁ ଏକ ବ୍ଲୁ-ପ୍ରିଣ୍ଟ୍ ଉପସ୍ଥାପନ କରାଯାଇଛି।
ରାଜ୍ୟରେ ସଡ଼କ ଦୁର୍ଘଟଣାରେ ୧୮ ରୁ ୪୫ ବର୍ଷ ବୟସ ମଧ୍ୟରେ ୬୬ ପ୍ରତିଶତରୁ ଅଧିକ ବ୍ୟକ୍ତିଙ୍କ ମୃତ୍ୟୁ ଘଟୁଛି। ହେଲମେଟ୍ ଓ ସିଟ୍ବେଲ୍ଟ ବ୍ୟବହାର ନକରିବା ଏବଂ ଦ୍ରୁତଗତିରେ ଗାଡ଼ିଚାଳନା ମୃତ୍ୟୁସଂଖ୍ୟା ବୃଦ୍ଧିର ମୁଖ୍ୟ କାରଣ। ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟ ଅଞ୍ଚଳକୁ ‘ଆଦର୍ଶ ସଡ଼କ ସୁରକ୍ଷା ସହର’ ଭାବେ ଗଢ଼ିବା ପାଇଁ ପ୍ରସ୍ତୁତ ବ୍ଲୁପ୍ରିଣ୍ଟକୁ ବାସ୍ତବରୂପ ଦେବା ପାଇଁ ସଡ଼କ ସୁରକ୍ଷାର ‘୪ ଇ’ ସୂତ୍ର ଅର୍ଥାତ୍ ସଚେତନତା, ସଡ଼କ ନିର୍ମାଣ ଓ ସୁରକ୍ଷା ଡିଜାଇନ୍, କଡ଼ାକଡ଼ି ନିୟମ ପାଳନ ଏବଂ ଜରୁରିକାଳୀନ ସ୍ୱାସ୍ଥ୍ୟସେବା ସମ୍ପର୍କରେ ଗୁରୁତ୍ବ ଦିଆଯାଇଥିଲା। ସଚେତନତା ସୃଷ୍ଟି ପାଇଁ ସ୍କୁଲ୍ ଓ କଲେଜସ୍ତରରେ ସଡ଼କ ସୁରକ୍ଷା ଶିକ୍ଷା ଦେବା, ଡିଜିଟାଲ୍ ପ୍ରଚାର କରିବା ଏବଂ ଡ୍ରାଇଭିଂ ଲାଇସେନ୍ସ ଆବେଦନକାରୀଙ୍କ ପାଇଁ କମ୍ପ୍ୟୁଟର ସାହାଯ୍ୟରେ ବାସ୍ତବ ଗାଡ଼ି ଚଳାଇବାର କୃତ୍ରିମ ଅନୁଭୂତି ପ୍ରଶିକ୍ଷଣର ବ୍ୟବସ୍ଥା କରାଯିବ। ଇଞ୍ଜିନିୟରିଂ କ୍ଷେତ୍ରରେ ଦୁର୍ଘଟଣାପ୍ରବଣ ସ୍ଥାନ ଚିହ୍ନଟ କରିବା, ରାସ୍ତାର ଉନ୍ନତ ଡିଜାଇନ୍ ଏବଂ ସ୍ମାର୍ଟ ସାଇନେଜ୍ ସ୍ଥାପନ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା। ହେଲମେଟ୍ ଓ ସିଟ୍ବେଲ୍ଟ ନିୟମର କଡ଼ାକଡ଼ି ପାଳନ, ସ୍ପିଡ୍ କ୍ୟାମେରା ବ୍ୟବହାର ଏବଂ ଟ୍ରାଫିକ୍ ଛକମାନଙ୍କରେ ଚେକିଂ ଜୋରଦାର କରାଯିବା ଉପରେ ବୈଠକରେ ଆଲୋଚନା ହୋଇଛି। ଏହାସହିତ ଜରୁରିକାଳୀନ ସେବା ଅଧୀନରେ ଗୋଲ୍ଡେନ ଆୱାର ମଧ୍ୟରେ ଆହତଙ୍କୁ ତୁରନ୍ତ ଡାକ୍ତରୀ ସେବା ଯୋଗାଇବା, ସ୍ୱେଚ୍ଛାସେବୀଙ୍କୁ ପ୍ରଶିକ୍ଷଣ ଦେବା ଏବଂ ଘଟଣାସ୍ଥଳରେ ତୁରନ୍ତ ଆମ୍ବୁଲାନ୍ସ ପହଞ୍ଚିବା ଭଳି ପଦକ୍ଷେପ ନିଆଯିବା ସମ୍ପର୍କରେ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା।
ସୌଜନ୍ୟ ସମ୍ବାଦ




