Cyclone: ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି, ଲୋକେ ଚିନ୍ତା କରନ୍ତୁ ନାହିଁ: ମନ୍ତ୍ରୀ
ରାଜସ୍ବ ଏବଂ ପ୍ରାକୃତିକ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ସାମୁଦ୍ରିକ ବାତ୍ୟା ‘ଅର୍ଣ୍ଣବ’ ମାଲକାନଗିରି ଜିଲ୍ଲାରେ ବେଶୀ ପ୍ରଭାବ ପକାଇବ। ଏଥି ସହିତ ଦକ୍ଷିଣ ଓଡ଼ିଶାର ଅନ୍ୟ ଜିଲ୍ଲା ଗୁଡ଼ିକ ମଧ୍ୟ ପ୍ରଭାବିତ ହେବେ।

ଭୁବନେଶ୍ବର: ରାଜସ୍ବ ଏବଂ ପ୍ରାକୃତିକ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ସାମୁଦ୍ରିକ ବାତ୍ୟା ‘ଅର୍ଣ୍ଣବ’ ମାଲକାନଗିରି ଜିଲ୍ଲାରେ ବେଶୀ ପ୍ରଭାବ ପକାଇବ। ଏଥି ସହିତ ଦକ୍ଷିଣ ଓଡ଼ିଶାର ଅନ୍ୟ ଜିଲ୍ଲା (କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଂଗପୁର ଏବଂ ଗଜପତି) ଗୁଡ଼ିକ ମଧ୍ୟ ପ୍ରଭାବିତ ହେବେ। ଗତକାଲି ଠାରୁ ବର୍ଷାର ପରିମାଣ ବଢ଼ିଛି ଏବଂ ପବନର ବେଗ ମଧ୍ୟ ବଢ଼ିବା ଆରମ୍ଭ କରିଛି। ସ୍ଥଳଭାଗରେ ବାତ୍ୟା ଯେତିକି ନିକଟତର ହେବ, ପ୍ରଭାବ ସେତିକି ଦେଖାଯିବ। ସରକାର ଏବଂ ପ୍ରଶାସନ ତୃଣମୂଳସ୍ତରରେ କାମ କରୁଛନ୍ତି। ମନ୍ତ୍ରୀ ଏବଂ ଅଧିକାରୀମାନେ ଜନସାଧାରଣଙ୍କର ସହିତ ଅଛନ୍ତି। ସେମାନଙ୍କର ଅସୁବିଧା କଥା ପଚାରୁଛନ୍ତି। ସମସ୍ୟାର ସମାଧାନ ପାଇଁ ମଧ୍ୟ କାମ କରୁଛନ୍ତି। ଅଧିକାରୀମାନେ ଗତକାଲି ବାତ୍ୟା ନେଇ ପ୍ରସ୍ତୁତି ନିରୀକ୍ଷଣ, ସମୀକ୍ଷା କରୁଥିଲେ।
ଶ୍ରୀ ପୂଜାରୀ କହିଛନ୍ତି, ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି ସ୍ଥାନାନ୍ତରଣ ପ୍ରକ୍ରିୟା ଜାରି ରହିଛି। ୨୦୦୦ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ଆହୁରି ୨୦୦୦ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତରିତ କରାଯିବ। ସମ୍ବେଦନଶୀଳ ଅଞ୍ଚଳରେ ଉଦ୍ଧାରକାରୀ ଦଳଗୁଡ଼ିକ ମୁତୟନ ଅଛନ୍ତି। ୬୦ଟି ଓଡ୍ରାଫ୍, ୯ଟି ଏନ୍ଡିଆରଏଫ୍, ୨୪୪ଟି ଅଗ୍ନିଶମ ବାହିନୀର ଟିମ ମୁତୟନ ଅଛନ୍ତି। ୨୦୩୭ଟି ଆଶ୍ରୟ ସ୍ଥଳୀ ପ୍ରସ୍ତୁତ ଅଛି। ୧୪୧ଟି ସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ଅଛି। ସମୁଦ୍ର ଭିତରୁ ୧୯୧୪୦ ବୋଟ ସ୍ଥଳ ଭାଗକୁ ଫେରି ଆସିଛନ୍ତି। ଗତକାଲି ସନ୍ଧ୍ୟା ପର୍ଯ୍ୟନ୍ତ ୪୮ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ଏହି ସଂଖ୍ୟା ଆହୁରି ବଢ଼ିଛି।
ସୌଜନ୍ୟ ସମ୍ବାଦ




