ରାଜ୍ୟ

Kotia: ‘କୋଟିଆକୁ ନଜର ପକାଇଲେ ମୁହଁତୋଡ଼ ଜବାବ’: ଗାଁ ବୁଲି ସ୍ଥିତି ଅନୁଧ୍ୟାନ କଲା କଂଗ୍ରେସ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌

ଆନ୍ଧ୍ର ମୁଖ୍ୟମନ୍ତ୍ରୀ ସୀମାନ୍ତ ଲୋକଙ୍କ ବିକାଶ ପାଇଁ ସହ‌ଯୋଗ କରନ୍ତୁ, କିନ୍ତୁ କୋଟିଆ ଉପରେ ନଜର ପକାନ୍ତୁ ନାହିଁ। ଓଡ଼ିଶାରେ ପଶି ପଞ୍ଚାୟତ ନିର୍ବାଚନ କରିବା ବନ୍ଦ କରନ୍ତୁ।

କୋରାପୁଟ: ଆନ୍ଧ୍ର ମୁଖ୍ୟମନ୍ତ୍ରୀ ସୀମାନ୍ତ ଲୋକଙ୍କ ବିକାଶ ପାଇଁ ସହ‌ଯୋଗ କରନ୍ତୁ, କିନ୍ତୁ କୋଟିଆ ଉପରେ ନଜର ପକାନ୍ତୁ ନାହିଁ। ଓଡ଼ିଶାରେ ପଶି ପଞ୍ଚାୟତ ନିର୍ବାଚନ କରିବା ବନ୍ଦ କରନ୍ତୁ। ନଚେତ୍‌ କୋଟିଆବାସୀଙ୍କ ସ୍ବାର୍ଥ ପାଇଁ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇ ଗାଁ ଗାଁରେ ପଦଯାତ୍ରା କରିବ, ଆନ୍ଧ୍ରକୁ ମୁହଁତୋଡ଼ ଜବାବ ଦେବ।

କଂଗ୍ରେସ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ସହ କୋଟିଆରେ ପହଞ୍ଚି ସ୍ଥିତି ଅନୁଧ୍ୟାନ ପରେ ସୀମା ବିବାଦ ଓ କୋଟିଆ‌ରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନକୁ ନେଇ ଏପରି ଚେତାବନୀ ଦେଇଛନ୍ତି ପିସିସି ସଭାପତି ଭକ୍ତ ଦାସ। ଶ୍ରୀ ଦାସ କହିଛନ୍ତି, ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ବି‌ରୋଧ କରିବା ପାଇଁ ଓଡ଼ିଶା ସରକାରଙ୍କର ସାହସ ନାହିଁ। କୋଟିଆ ମାମଲାକୁ ଅତି ହାଲୁକା ଭାବେ ନେବା ସହ ଅଞ୍ଚଳ ପ୍ରତି ଓଡ଼ିଶା ସରକାର ଅବହେଳା କରିଥିବାରୁ ୨୦୦୦ ମସିହା ପରଠାରୁ ଆନ୍ଧ୍ରର ଅନୁପ୍ରବେଶ ବଢ଼ିଛି। କଂଗ୍ରେସ ସରକାର ସମୟରେ ଓଡ଼ିଶାରେ ପଶିବାକୁ ଆନ୍ଧ୍ର ସାହସ କରୁନଥିଲା। ଓଡ଼ିଶାରେ ଟ୍ରିପଲ୍‌ ଇଞ୍ଜିନ୍‌ର ସରକାର ଆସିବା ପରେ କୋଟିଆକୁ ଆନ୍ଧ୍ର ହାତରେ ଟେକିଦେବାକୁ ବଡ଼ ଷଡ଼ଯନ୍ତ୍ର ହୋଇଛି। ତୁରନ୍ତ ଓଡ଼ିଶା ସରକାର କୋଟିଆର ବିକାଶ ପାଇଁ ସ୍ବତନ୍ତ୍ର ଯୋଜନା ଓ ପ୍ୟାକେଜ୍‌ ଘୋଷଣା କରନ୍ତୁ। ଆନ୍ଧ୍ର ଭଳି କୋଟିଆବାସୀଙ୍କୁ ସହାୟତା ଯୋଗାଇ ଦିଅନ୍ତୁ ବୋଲି ଭକ୍ତ କହିଛନ୍ତି।

ଗାଁ ବୁଲି ସ୍ଥିତି ଅନୁଧ୍ୟାନ କଲା କଂଗ୍ରେସ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌
କୋଟିଆ ବିକାଶ ପାଇଁ ସ୍ୱତନ୍ତ୍ର ଯୋଜନା କରନ୍ତୁ ସରକାର: ଭକ୍ତ
ଚେକ୍‌ପୋଷ୍ଟ ଭାଙ୍ଗିଲେ, ଆନ୍ଧ୍ର ପୁଲିସକୁ ଘଉଡ଼ାଇଲେ ତାରା

କୋଟିଆ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ କୋରାପୁଟ ସାଂସଦ ସପ୍ତଗିରି ଉଲାକା କହିଥିଲେ, ୨୦୨୧ରେ ଆନ୍ଧ୍ର କୋଟିଆରେ ନିର୍ବାଚନ କରିବା ସମୟରେ ଲଢ଼େଇ ହୋଇଥିଲା। ନିର୍ବାଚନ ପରେ ସରକାର ସବୁ ଭୁଲିଗଲେ। ସଂସଦରେ ୬ ଥର କୋଟିଆ ସମସ୍ୟା ନେଇ ସ୍ବର ଉଠାଇଛି। ସଂସଦରେ ବିଲ୍ ଆଣିଲେ ହିଁ ସମସ୍ୟାର ସମାଧାନ ହେବ। ଯଦି ଏସ୍‌ଆଇଆର୍‌ରେ ସ୍ବଚ୍ଛତା ରହିଛି ତେବେ କୋଟିଆବାସୀ ୨ଟି ଭୋଟର କାର୍ଡ ଓ ୨ଟି ଆଧାର କାର୍ଡ କୁଆଡୁ ଆଣିଲେ ବୋଲି ସପ୍ତଗିରି ପ୍ରଶ୍ନ କରିଥିଲେ। କୋଟିଆ ପ୍ରସଙ୍ଗର ସମାଧାନ କରିନପାରିଲେ ୨୦ ବିଜେପି ସାଂସଦ ଇସ୍ତଫା ଦିଅନ୍ତୁ ବୋଲି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଦାବି କରିଛନ୍ତି। ଧାରା ୩୭୧ରେ କୋଟିଆ ପାଇଁ ସରକାର ସ୍ବତନ୍ତ୍ର ବ୍ୟବସ୍ଥା କରନ୍ତୁ। ନଚେତ୍‌ ରକ୍ତ ଦେବୁ ପଛେ ମାଟି ଦେବୁ ନାହିଁ ବୋଲି ତାରା କହିଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ଓଡ଼ିଶା ସରକାରଙ୍କ କୋଟିଆ ପ୍ରତି ଆନ୍ତରିକତା ନାହିଁ। ଜୀବନ ଥିବା ପର୍ଯ୍ୟନ୍ତ ଏ ମାଟି ପାଇଁ ଲଢ଼ିବୁ।

ବୈଠକ ପରେ କଂଗ୍ରେସ ଟିମ୍‌ ତଳସେମ୍ବି, ଉପରସେମ୍ବି, ନେରେଡ଼ିୱାଲସା ଅଭିମୁଖେ ଯାଇଥି‌ଲେ। ଉପରସେମ୍ବିରେ ଆନ୍ଧ୍ର ପୁଲିସର ଚେକ୍‌ପୋଷ୍ଟକୁ ଶ୍ରୀ ବାହିନୀପତି ଫୋପାଡ଼ି ତୁରନ୍ତ ଓଡ଼ିଶା ମାଟି ଛାଡ଼ିଯିବାକୁ ଆନ୍ଧ୍ର ପୁଲିସକୁ ଚେତାବନୀ ଦେଇଥିଲେ। ତାରାଙ୍କ ସମେତ କଂଗ୍ରେସ କର୍ମକର୍ତ୍ତା ଆନ୍ଧ୍ର ଗୋ-ବ୍ୟାକ୍‌ ନାରା ଦେଇଥିଲେ। ନେରେଡ଼ିୱାଲସାରେ କଂଗ୍ରେସ ଟିମ୍‌ ପହଞ୍ଚିବା ପୂର୍ବରୁ ସେଠାରେ ଉପସ୍ଥିତ ଆନ୍ଧ୍ର ପୁଲିସ ଭୟରେ ପଳାଇଥିଲେ। ଗାଁରେ କଂଗ୍ରେସ ଟିମ୍‌ ଲୋକଙ୍କୁ ଭେଟି ଆନ୍ଧ୍ର-ଓଡ଼ିଶାର ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା, ରାଜ୍ୟ ମହିଳା ସଭାନେତ୍ରୀ ମୀନାକ୍ଷୀ ବାହିନିପତି, ରାୟଗଡ଼ା ବିଧାୟକ ଆପଲସ୍ବାମୀ କାଡ୍ରକା, ବିଷମକଟକ ବିଧାୟକ ନୀଳମାଧବ ହିକକା, କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ରୁପକ ତୁରୁକ, ପିସିସି ଉପସଭାପତି କୃଷ୍ଣଚନ୍ଦ୍ର ଶଗରିଆ ପ୍ରମୁଖ ଉପସ୍ଥିତ ଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button