Data Protection Law: ତଥ୍ୟ ସୁରକ୍ଷା ଆଇନକୁ ଚ୍ୟାଲେଞ୍ଜ, କେନ୍ଦ୍ରକୁ ନୋଟିସ୍; ଗୋପନୀୟତା ଓ ଗଣମାଧ୍ୟମ ସ୍ୱାଧୀନତା ମଧ୍ୟରେ ସନ୍ତୁଳନ ଜରୁରି
ନାଗରିକମାନଙ୍କ ଗୋପନୀୟତା ଅଧିକାର ଏବଂ ଗଣମାଧ୍ୟମର ଅନୁସନ୍ଧାନ ଓ ରିପୋର୍ଟ କରିବାର ସ୍ୱାଧୀନତା ମଧ୍ୟରେ ସନ୍ତୁଳନ ରକ୍ଷା କରିବାର ଆବଶ୍ୟକତା ରହିଛି ବୋଲି ମଙ୍ଗଳବାର ସୁପ୍ରିମକୋର୍ଟ ଗୁରୁତ୍ୱାରୋପ କରିଛନ୍ତି।

ନୂଆଦିଲ୍ଲୀ: ନାଗରିକମାନଙ୍କ ଗୋପନୀୟତା ଅଧିକାର ଏବଂ ଗଣମାଧ୍ୟମର ଅନୁସନ୍ଧାନ ଓ ରିପୋର୍ଟ କରିବାର ସ୍ୱାଧୀନତା ମଧ୍ୟରେ ସନ୍ତୁଳନ ରକ୍ଷା କରିବାର ଆବଶ୍ୟକତା ରହିଛି ବୋଲି ମଙ୍ଗଳବାର ସୁପ୍ରିମକୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ଡିଜିଟାଲ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା (ଡିପିଡିପି) ଆଇନ, ୨୦୨୩ ଏବଂ ୨୦୨୫ ମସିହାରେ ଏହା ଅଧୀନରେ ପ୍ରଣୟନ କରାଯାଇଥିବା ନିୟମାବଳୀର ବିଭିନ୍ନ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ‘ଡିଜିଟାଲ ନ୍ୟୁଜ୍ ପବ୍ଲିସର୍ସ ଆସୋସିଏସନ’ (ଡିଏନ୍ପିଏ) ପକ୍ଷରୁ ଦାୟର କରାଯାଇଥିବା ଏକ ଆବେଦନ ଉପରେ ଅଦାଲତ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗ୍ଚୀ ଏବଂ ବିଚାରପତି ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ସଂଗଠନର ଅନ୍ତରୀଣ ରୋକ୍ ଆବେଦନ ଉପରେ ମଧ୍ୟ ନୋଟିସ୍ ଜାରି କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ନଭେମ୍ବର ୧୭ ତାରିଖକୁ ଧାର୍ଯ୍ୟ କରିଛନ୍ତି।
ଖଣ୍ଡପୀଠ ଡିଏନ୍ପିଏ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଆଇନଜୀବୀ ମାଧବୀ ଦିବାନଙ୍କୁ କହିଛନ୍ତି ଯେ ଏହାର କୌଣସି ଅପବ୍ୟବହାର ଯେପରି ନହେବ ତାହା ଆପଣ କିଭଳି ସୁନିଶ୍ଚିତ କରିବେ, ସେ ନେଇ କେନ୍ଦ୍ର ସରକାର ଏବଂ ଆମକୁ ପରାମର୍ଶ ଦେବା ପାଇଁ ଆପଣ ହିଁ ସବୁଠାରୁ ଉପଯୁକ୍ତ ବ୍ୟକ୍ତି। ଗଣମାଧ୍ୟମର ସାମ୍ବିଧାନିକ ସ୍ୱାଧୀନତା ସହିତ ସାଧାରଣ ନାଗରିକମାନଙ୍କ ଗୋପନୀୟତା ଅଧିକାରକୁ ମଧ୍ୟ ସୁରକ୍ଷିତ ରଖିବାକୁ ହେବ ବୋଲି କୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି ଯେ ନିରୀହ ନାଗରିକଙ୍କର ମଧ୍ୟ ଅଧିକାର ରହିଛି ଏବଂ ଆପଣଙ୍କର ମଧ୍ୟ ଅଧିକାର ରହିଛି। ତେଣୁ ଏହି ଦୁଇଟି ମଧ୍ୟରେ ଏକ ସନ୍ତୁଳନ ରକ୍ଷା କରିବାକୁ ହେବ। ରିପୋର୍ଟିଂ ପାଇଁ ବ୍ୟକ୍ତିଗତ ସୂଚନା ସଂଗ୍ରହ କିମ୍ବା ପ୍ରକ୍ରିୟାକରଣ କରିବା ପୂର୍ବରୁ ମିଡିଆ ସଂସ୍ଥାଗୁଡ଼ିକୁ ସମ୍ମତି ନେବା ପାଇଁ ବାଧ୍ୟ କରି ଏହି ଆଇନ ସାମ୍ବାଦିକତାର ମୂଳ ଶୈଳୀକୁ ସମ୍ପୂର୍ଣ୍ଣ ବଦଳାଇ ଦେଇପାରେ ବୋଲି ସେ ଯୁକ୍ତି ଦର୍ଶାଇଥିଲେ।
ସୌଜନ୍ୟ ସମ୍ବାଦ




