Tamil Nadu jail: ତାମିଲନାଡୁ ଜେଲ୍ରୁ ୧୭ କଏଦୀ ଫେରାର: ଅପସ୍ମାର ରୋଗର ନାଟକ କରି କର୍ମଚାରୀଙ୍କୁ ଆକ୍ରମଣ, ୫ ଗିରଫ
ତାମିଲନାଡୁର ଥେନି ଜିଲ୍ଲାର ଏକ ଉପକାରାଗାରରୁ ୧୭ ଜଣ ବିଚାରାଧୀନ କଏଦୀ ଫେରାର ହୋଇଯାଇଛନ୍ତି। ସୋମବାର ରାତିରେ ଏହି ଘଟଣା ଘଟିଛି। ଜଣେ କଏଦୀଙ୍କର ଅପସ୍ମାର ରୋଗ ହୋଇଥିବା ଅଭିନୟ...

ଚେନ୍ନାଇ: ତାମିଲନାଡୁର ଥେନି ଜିଲ୍ଲାର ଏକ ଉପକାରାଗାରରୁ ୧୭ ଜଣ ବିଚାରାଧୀନ କଏଦୀ ଫେରାର ହୋଇଯାଇଛନ୍ତି। ସୋମବାର ରାତିରେ ଏହି ଘଟଣା ଘଟିଛି। ଜଣେ କଏଦୀଙ୍କର ଅପସ୍ମାର ରୋଗ ହୋଇଥିବା ଅଭିନୟ କରି ଅନ୍ୟମାନେ ଜେଲ୍ କର୍ମଚାରୀଙ୍କୁ କୋଠରି ଭିତରକୁ ଡକାଇଥିଲେ। କର୍ମଚାରୀମାନେ ସହାୟତା ପାଇଁ କୋଠରି ଖୋଲି ଭିତରକୁ ଯିବା ପରେ କଏଦୀମାନେ ସେମାନଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିବା ଆଇଜିପି ଏସ୍ ବିଦାରୀ କହିଛନ୍ତି।
ଥେନି ଜିଲ୍ଲାର ଆଣ୍ଡିପଟ୍ଟି ନିକଟ ଥେକ୍କମ୍ପଟ୍ଟି ଉପକାରାଗାରରେ ଏହି ଘଟଣା ଘଟିଛି। ଆକ୍ରମଣରେ ଜେଲ୍ କର୍ମଚାରୀ ଥାଙ୍ଗାପାଣ୍ଡିଙ୍କ ମୁଣ୍ଡରେ ଆଘାତ ଲାଗିଛି। ତାଙ୍କୁ ଜି. ଭିଲାକ୍କୁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟ ଦୁଇ ଜଣ କର୍ମଚାରୀ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ଘଟଣା ପରେ ପୁଲିସ ତଲାସି ଅଭିଯାନକୁ ଜୋରଦାର କରିଛି। ମଙ୍ଗଳବାର ସୁଦ୍ଧା ଫେରାର ୧୭ ଜଣଙ୍କ ମଧ୍ୟରୁ ୫ ଜଣଙ୍କୁ ପୁଲିସ ପୁଣି ଗିରଫ କରିଥିବା ଖବର ମିଳିଛି। ଅବଶିଷ୍ଟ ୧୨ ଜଣଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ପୁଲିସ ଦଳ ଗଠନ କରାଯାଇଛି। ଥେନି ସମେତ ପଡ଼ୋଶୀ ଜିଲ୍ଲାଗୁଡ଼ିକରେ ଗାଡ଼ିମୋଟର ଯାଞ୍ଚ ଓ ତଲାସୀ ଚାଲିଛି। କେରଳ ସୀମାବର୍ତ୍ତୀ ଅଞ୍ଚଳରେ ମଧ୍ୟ ସୁରକ୍ଷା ବଢ଼ାଯାଇଛି।
ସୌଜନ୍ୟ ସମ୍ବାଦ




