ବୁଗୁଡ଼ା: ପିଶାଚ ପାଲଟି ଗଲା ଡାଟା ଏଣ୍ଟ୍ରି ଅପରେଟରl ପତ୍ନୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀl ଘଟଣା ଘଟିଛି ଗଂଜାମ ଜିଲ୍ଲା ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ପୋଚାଲୁଣ୍ଡି ଗ୍ରାମରେl ଅଭିଯୁକ୍ତ ସ୍ୱାମୀ ମନୋଜ କୁମାର ଜେନା (୩୩)କୁ ଗିରଫ କରିଛି ବାଲିପଦର ପୁଲିସl ବେଲଗୁଣ୍ଠା ପ୍ରାଣୀ ଚିକିତ୍ସାଳୟରେ ଡାଟା ଏଣ୍ଟ୍ରି ଅପାରେଟର ଭାବେ କାମ କରୁଥିବା ପୋଚାଲୁଣ୍ଡି ଗ୍ରାମର ମନୋଜ ପ୍ରାୟ ୫ବର୍ଷ ହେବ ବୁଗୁଡ଼ା ନିକଟସ୍ଥ ଆଦିପୁର ଗ୍ରାମର ନାରାୟଣ ନାୟକଙ୍କ ସାନ ଝିଅ ସୁନିତାକୁ ବିବାହ କରିଥିଲାl ତେବେ ବାହାଘର ପରଠାରୁ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଲାଗି ରହିଥିଲାl
ଏ ଭିତରେ ମନୋଜଙ୍କ ବାପା, ମାଆଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଉଭୟେ ମନୋଜ ଓ ସୁନିତା ତାଙ୍କର ୩ ବର୍ଷର ଝିଅ ଚେତନାକୁ ନେଇ ପୈତୃକ ଘର ପୋଚାଲୁଣ୍ଡି ଗ୍ରାମରେ ରହୁଥିଲେl ମନୋଜର ବୟାନ ଅନୁସାରେ ଅଧିକାଂଶ ସମୟରେ ସୁନିତା କୁଆଡେ କହୁଥିଲା ତୁ କାଳିଆ ପୋଡା ତତେ ବାହା ହୋଇ ମୋ ଜୀବନ ନଷ୍ଟ ହୋଇଗଲା ଗତକାଲି ସନ୍ଧ୍ୟାରେ ସେ ଅଫିସରୁ ଫେରିବା ପରେ ମଧ୍ୟ ସେହି ଏକା କଥା କହିବାରୁ ଉଭୟଙ୍କ ମଧ୍ୟରେ ପାଟି ତୁଣ୍ଡ ଆରମ୍ଭ ହୋଇଯାଇଥିଲା ଏ ସମୟରେ ଝିଅ ଚେତନା ବାହାରେ ଖେଳୁଥିବା ବେଳେ ମନୋଜ ବାହାରକୁ ଆସି ବାଇକରେ ଥିବା ବାଇକ୍ ଲକ୍ ଚେନଟିକୁ ନେଇ ସେହି ଚେଇନ ସହାୟତାରେ ସୁନିତାର ତଣ୍ଟିକୁ ଚାପି ଦେଇଥିଲାl
ସ୍ତ୍ରୀର ମୃତ୍ୟୁ ହୋଇଯାଇଥିବା ଜାଣିବା ପରେ ମୃତଦେହକୁ ଅନ୍ୟ କୋଠରୀରେ ଶୁଆଇ ଦେଇ ରାତି ପ୍ରାୟ ୧୦ ଟା ସମୟରେ ସୁନିତାଙ୍କ ବାପାଙ୍କୁ ତୁମ ଝିଅ ମରିଗଲା ବୋଲି ଫୋନ ଯୋଗେ ଜଣାଇ ଥିଲା l ଖବର ପାଇ ସୁନିତାର ବାପା, ମାଆ ଘଟଣା ସ୍ଥଳରେ ପହଞ୍ଚି ଝିଅ ମରି ପଡ଼ିଥିବା ଦେଖିବା ପରେ ପୁଲିସକୁ ଜଣାଇଥିଲେl ଖବର ପାଇ ବାଲିପଦର ଫାଣ୍ଡି ଅଧିକାରୀ କେ ନୀଳାଦ୍ରି ରେଡ୍ଡୀ ଘଟଣା ସ୍ଥଳରେ ପହଞ୍ଚି ଶବ ଓ ହତ୍ୟାରେ ବ୍ୟବହୃତ ଚେନକୁ ଜବତ କରିବା ସହ ୧୨୪/୨୬ରେ ମାମଲା ରୁଜୁ କରି ମନୋଜକୁ ଗିରଫ କରିଥିବା ଜଣାପଡିଛିl ତେବେ ବାହାଘର ପରଠାରୁ ଶାଶୂଘର ଲୋକେ ଯୌତୁକ ନିର୍ଯ୍ୟାତନା ଦେଇ ଆସୁଥିବା ଏଥି ପାଇଁ ଝିଅକୁ ହତ୍ୟା କରା ଯାଇଥିବା ସୁନିତାଙ୍କ ବାପା ନାରାୟଣ ନାୟକ ଅଭିଯୋଗ କରିଛନ୍ତିl
ସୌଜନ୍ୟ ସମ୍ବାଦ
