Delhi: ଦିଲ୍ଲୀ ବିମାନବନ୍ଦରରେ ଯାତ୍ରୀଙ୍କ ହ୍ୟାଣ୍ଡବ୍ୟାଗ୍ରୁ ମିଳିଲା ମାଙ୍କଡ଼ ଖପୁରୀ
ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଜଣେ ଯାତ୍ରୀଙ୍କ ହ୍ୟାଣ୍ଡବ୍ୟାଗ୍ରୁ ଖପୁରୀ ମିଳିଛି। ତେବେ ଯାତ୍ରୀ ଜଣଙ୍କ ଦାବି କରିଛନ୍ତି ଯେ ଏହା ଏକ ମାଙ୍କଡ଼ର ଖପୁରୀ।

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଜଣେ ଯାତ୍ରୀଙ୍କ ହ୍ୟାଣ୍ଡବ୍ୟାଗ୍ରୁ ଖପୁରୀ ମିଳିଛି। ତେବେ ଯାତ୍ରୀ ଜଣଙ୍କ ଦାବି କରିଛନ୍ତି ଯେ ଏହା ଏକ ମାଙ୍କଡ଼ର ଖପୁରୀ। ଯାତ୍ରୀ ଜଣଙ୍କ ଦିଲ୍ଳୀରୁ ହାଇଦ୍ରାବାଦକୁ ଏକ ବିମାନରେ ଉଡ଼ାଣ କରିବାର ଥିଲା। ତେବେ ଉଡ଼ାଣ ପୂର୍ବରୁ ସିକ୍ୟୁରିଟି ଚେକ୍ ସମୟରେ ସିଆଇଏସଏଫ୍ ସଦସ୍ୟମାନେ ତାଙ୍କ ବ୍ୟାଗ୍ରେ ଏକ ସନ୍ଦେହଜନକ ଜିନିଷ ଚିହ୍ନଟ କରିଥିଲେ। ଏହାପରେ ବ୍ୟାଗ୍କୁ ଭଲଭାବେ ଯାଞ୍ଚ କରାଯାଇଥିଲା। ସିକ୍ୟୁରିଟି ସ୍କ୍ରିନିଂ ସମୟରେ ଅଧିକାରୀମାନେ ତାଙ୍କ ହ୍ୟାଣ୍ଡ ବ୍ୟାଗ୍ରୁ ଖପୁରୀ ପାଇଥିଲେ। ଏନେଇ ପଚରାଯିବାରୁ ଯାତ୍ରୀ ଜଣଙ୍କ କହିଥିଲେ ଯେ ଏହି ଖପୁରୀଟି ଏକ ମାଙ୍କଡ଼ର।
ଯାତ୍ରୀଙ୍କୁ ଶେଷରେ ସ୍ଥାନୀୟ ପୁଲିସକୁ ହସ୍ତାନ୍ତର କରାଯାଇଛି ଏବଂ ତାଙ୍କ ବ୍ୟାଗ୍ରୁ ମିଳିଥିବା ଖପୁରୀକୁ ସୁରକ୍ଷିତ ରଖାଯାଇଛି। ଅଧିକାରୀମାନେ କହିଛନ୍ତି, ଏହି ମାମଲାଟି ବନ୍ୟଜନ୍ତୁ ସହ ଜଡ଼ିତ ଥିବାରୁ ବନ୍ୟଜନ୍ତୁ (ସୁରକ୍ଷା) ଆଇନ, ୧୯୭୨ ଅଧୀନରେ ଏହି ମାମଲାରେ ବିଚାରଣ ଆରମ୍ଭ ହେବ। ତେବେ ଯାତ୍ରୀ ଜଣଙ୍କ କେଉଁଠାରୁ ଖପୁରୀ ପାଇଲେ ଏବଂ ଏହାକୁ ଦିଲ୍ଲୀରୁ ହାଇଦ୍ରାବାଦ ନେବାର ଉଦ୍ଦେଶ୍ୟ କ’ଣ ସେନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।
ସୌଜନ୍ୟ ସମ୍ବାଦ




