ଭୁବନେଶ୍ବର: ମହାନଦୀ ବିବାଦର ଆପୋସ ସମାଧାନ ପାଇଁ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆଜି ପୁଣି ଏକ ବୈଠକ ହୋଇଛି। ପୁରୀରେ ଉଭୟ ରାଜ୍ୟର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଏଥିରେ ସାମିଲ ହୋଇଥିଲେ। ବୈଠକର ନିର୍ଯାସ ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବେ ସୂଚନା ମିଳି ନଥିଲେ ମଧ୍ୟ ଆଲୋଚନା ସକାରାତ୍ମକ ରହିଛି ବୋଲି ଆଡ୍ଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି।
ଏହି ବୈଠକରେ ଶ୍ରୀ ଆଚାର୍ଯ୍ୟଙ୍କ ସମେତ ଛତିଶଗଡ଼ର ଏଜି ବିବେକ ଶର୍ମା, ଓଡ଼ିଶାର ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ଉଭୟ ରାଜ୍ୟର ଜଳସମ୍ପଦର ବିଭାଗର ବରିଷ୍ଠ ଅଧିକାରୀ ଓ ବୈଷୟିକ ଦଳ ସାମିଲ ହୋଇଥିଲେ। ବୈଠକ ପରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି, ଏଥିରେ ଅନେକ ମୂଳ ପ୍ରସଙ୍ଗ ଉପରେ ସନ୍ତୋଷଜନକ ଆଲୋଚନା ହୋଇଛି।
ଉଭୟ ରାଜ୍ୟର ଲୋକଙ୍କ ବୃହତର ସ୍ୱାର୍ଥକୁ ଆଗରେ ରଖି ବନ୍ଧୁତ୍ୱପୂର୍ଣ୍ଣ ସମାଧାନ ପାଇଁ ସମସ୍ତେ ସକାରାତ୍ମକ ଉଦ୍ୟମ କରୁଛନ୍ତି। ପୂର୍ବ ସରକାର ସମୟରେ ଯେଉଁ ଆଇନଗତ ତ୍ରୁଟି ରହିଯାଇଥିଲା ବର୍ତ୍ତମାନ ସରକାର ସେଥିରେ ସଂଶୋଧନ ଆଣି ଟ୍ରିବ୍ୟୁନାଲ ସମ୍ମୁଖରେ ଓଡ଼ିଶାର ହକ୍ ଓ ଅଧିକାର ପାଇଁ ଦୃଢ଼ ପକ୍ଷ ଉପସ୍ଥାପନ କରୁଛନ୍ତି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ କିଛି ବର୍ଷ ଧରି
ମହାନଦୀ ପ୍ରସଙ୍ଗରେ ଉଭୟ ରାଜ୍ୟ ମଧ୍ୟରେ ଆଲୋଚନା ପ୍ରାୟ ବନ୍ଦ ରହିଥିଲା। କିନ୍ତୁ ବର୍ତ୍ତମାନ ପ୍ରଶାସନିକ ଓ ବୈଷୟିକ ସ୍ତରରେ ଆଲୋଚନା ସଫଳ ଭାବେ ଆଗକୁ ବଢ଼ୁଛି। ଉଭୟ ରାଜ୍ୟର ଚାଷୀଙ୍କ ଅଧିକାର ଏବଂ ଜଳସେଚନ କ୍ଷେତ୍ରରେ କୌଣସି ରାଜ୍ୟର ଚାଷୀ ଯେପରି କ୍ଷତିଗ୍ରସ୍ତ ନ ହେବେ, ତାହାକୁ ଦୃଷ୍ଟିରେ ରଖି ଆଲୋଚନା କରାଯାଉଛି। ଟ୍ରିବ୍ୟୁନାଲ୍ଙ୍କ ପରାମର୍ଶକ୍ରମେ ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି। ଛତିଶଗଡ଼ ସରକାର ମଧ୍ୟ ଶୀଘ୍ର ଏଭଳି କମିଟି ଗଠନ କରିବେ। ଏହା ପରେ ଉଭୟ ରାଜ୍ୟ ମଧ୍ୟରେ ମନ୍ତ୍ରୀସ୍ତରୀୟ ଆଲୋଚନା ମାଧ୍ୟମରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ବିବାଦର ନିଶ୍ଚିତ ସମାଧାନ ହେବ ଏବଂ ଓଡ଼ିଶାର ସ୍ବାର୍ଥ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିବ।