ସମୟ ବଦଳୁଛି। ସମୟ ସହ ତାଳ ଦେଇ ବ୍ୟବସ୍ଥା ବି ବଦଳୁଛି। ଉତ୍ତମ ଚାଟ ହେବା ପାଇଁ ପାଠ ସହ ଗୁରୁଜୀଙ୍କ ଛାଟର ଗୁରୁତ୍ବ ଏବେକାର ପିଲାଏ ଜାଣିପାରିବେ ନାହିଁ। ଖାଲି ସେତିକି ନୁହେଁ; ପୁରୁଣା ପିଢ଼ି ଶିକ୍ଷାକୁ ନେଇ ଅର୍ଜିଥିବା ଅନେକ ଅଭିଜ୍ଞତା ବି ଏବେକା ପିଢ଼ି ହାସଲ କରିପାରିବେ ନାହିଁ। ମନେହେଉଛି, ଡିଜିଟାଲ୍ ଟେକ୍ନୋଲଜିର ଆଗମନ ପରେ ସେତ ଯେପରି ଆଧୁନିକତାର ଦୌଡ଼ରେ ପଛରେ ପଡ଼ିଯିବ ପୁରାତନ ଶିକ୍ଷା ବ୍ୟବସ୍ଥା। ଆଉ ବହି ବସ୍ତାନିର ବୋଝ ବୋହିବ ନାହିଁ ଶିଶୁର କାନ୍ଧ। କାହିଁକି ନା, ଏବେ ଅଧିକାଂଶ ଦେଶ କାଗଜମୁକ୍ତ ଶିକ୍ଷା ବା ପେପର୍ଲେସ୍ ଏଜୁକେସନ୍କୁ ବିଶେଷ ଗୁରୁତ୍ବ ଦେଉଛନ୍ତି। ପିଲାଏ ପାଠ ପଢ଼ିବେ, ହେଲେ ଚାପ ନେବେନି। ନୂଆ ନୂଆ କୌଶଳ ବିଷୟରେ ଶିଖିବେ, ହେଲେ କାଗଜ-କଲମ ଧରିବେନି।
ଏହି ଚିନ୍ତାଧାରା ଏବେ ନିର୍ଦ୍ଦିଷ୍ଟ କିଛି ଦେଶରେ ସୀମିତ ନୁହେଁ; ବରଂ ବିଶ୍ବର ଅନେକ ଦେଶ ଏବେ ଏହି ପଦ୍ଧତିକୁ ଆପଣେଇବାରେ ଲାଗିଛନ୍ତି। ଆମେରିକା, ୟୁକେ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ, ଜର୍ମାନୀ ଭଳି ଦେଶଗୁଡ଼ିକ ଗୁରୁତ୍ବର ସହ କାଗଜମୁକ୍ତ ଶିକ୍ଷାକୁ ଆପଣେଇ ଚାଲିଛନ୍ତି। ସେହିଭଳି ଭାରତ, ଦକ୍ଷିଣ ଆଫ୍ରିକା, ମାଲେସିଆ, ଆଫ୍ରିକା ଓ ଏସିଆର କିଛି ଅଂଶରେ ଏହି ଶୈଳୀର ପ୍ରଚଳନ ମଧ୍ୟ ଆରମ୍ଭ ହେଲାଣି। ଆମ ଦେଶର ଅନେକ ରାଜ୍ୟ ଏବେ ଏହି ନୂତନ ପଦ୍ଧତିକୁ ଆପଣାଇବା ପ୍ରୟାସ ଆରମ୍ଭ କରିଛନ୍ତି।
ନେତୃତ୍ୱ ନେଉଛି କେରଳ
ଜାତୀୟ ଶିକ୍ଷା ନୀତି (ଏନ୍ଇପି ୨୦୨୦) ଅନୁଯାୟୀ, ଭାରତରେ କାଗଜମୁକ୍ତ ଶିକ୍ଷା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ୨୦୨୬ ମସିହାରେ କାଗଜମୁକ୍ତ ତଥା ଡିଜିଟାଲ୍ ଶିକ୍ଷାରେ ଭାରତର ନେତୃତ୍ୱ ନେଉଛି କେରଳ। କେରଳ ଦେଶର ପ୍ରଥମ ରାଜ୍ୟ ଭାବେ ସଂପୂର୍ଣ୍ଣ କାଗଜମୁକ୍ତ ଶିକ୍ଷା କାର୍ଯ୍ୟକାରୀ କରିବା ଦିଗରେ ଅଗ୍ରସର ହେଉଛି। ରାଜ୍ୟର ଶିକ୍ଷାଗତ ରେକର୍ଡ ସମେତ ସମସ୍ତ ଜରୁରି ଡକ୍ୟୁମେଣ୍ଟ୍କୁ ଡିଜିଟାଇଜ୍ କରାଯିବା ସହ ଡିଜିଲକର୍ରେ ସଂରକ୍ଷିତ କରିବାର ଲକ୍ଷ୍ୟ ରଖିଛି କେରଳ।
କାଗଜମୁକ୍ତ ପରୀକ୍ଷା, କାଗଜମୁକ୍ତ ପ୍ରମାଣପତ୍ରକୁ ସମର୍ଥନ ଦେଉଛି; କିନ୍ତୁ କାଗଜମୁକ୍ତ ଶିକ୍ଷାକୁ ନୁହେଁ
ଆମେ ଯେଉଁ ଭାବୁଛନ୍ତି କି ବିଦେଶରେ ସବୁ ପିଲା କାଗଜମୁକ୍ତ ଶିକ୍ଷାଲାଭ କରୁଛନ୍ତି, ତାହା ପୂରାପୂରି ମିଛ କଥା। ମୁଁ ଅନେକ ବାହାର ଦେଶରେ ପାଠ ପଢ଼ାଇଛି ଓ ଗବେଷଣା ବି କରିଛି। ଜଣେ ପ୍ରଫେସର୍ ଭାବେ ମୁଁ ମୋ ଅନୁଭୂତିରୁ କହୁଛି, କାଗଜମୁକ୍ତ ଶିକ୍ଷା ବ୍ୟବସ୍ଥା ହେଉଛି ଏକ ବିପର୍ଯ୍ୟୟ। ଆଜିକାଲି ଅନ୍ଲାଇନ୍ରେ ଯେଉଁ ପାଠପଢ଼ା ହେଉଛି, ତାହା ବି କେତେ ମାରାତ୍ମକ ମୁଁ ମୋ ଅଭିଜ୍ଞତାରୁ କହୁଛି। ଦିନ ୧୦ଟାରେ ଅନ୍ଲାଇନ୍ରେ କ୍ଲାସ୍ ହେବ। ମୁଁ ମୋ ନିଜର ପରିଚୟ ଦେଇ କ୍ଲାସ୍ ଆରମ୍ଭ କରିବି। ସେତେବେଳେ ୪୦-୫୦ ପିଲାଙ୍କ ମୁହଁ ଦିଶୁଥିବ। ହେଲେ ୧୦ ମିନିଟ୍ ପଢ଼ାଇସାରି ପ୍ରଶ୍ନ ପଚାରିଲା ବେଳକୁ କେହି ପିଲା ନଥିବେ।
ଏଥିରୁ ଅନୁମାନ କରନ୍ତୁ ଯେ କାଗଜମୁକ୍ତ ଶିକ୍ଷା ବ୍ୟବସ୍ଥା କେତେ ସଫଳ ହେବ। ଆମ ଭାରତ ସରକାର ଏବେ ଦେଶରେ ଜିଇଆର୍ (ଗ୍ରସ୍ ଏନ୍ରୋଲ୍ମେଣ୍ଟ୍ ରେଟ୍) ବଢ଼ାଇବା ପାଇଁ ଇ-ସମର୍ଥ ପରି ପୋର୍ଟାଲ୍ ଆରମ୍ଭ କରିଛନ୍ତି। ଏହି ଜିଇଆର୍ ବିଦେଶରେ ୬୦ ପ୍ରତିଶତ ଥିବା ବେଳେ ଆମ ଦେଶରେ ମାତ୍ର ୨୫ ପ୍ରତିଶତ। ଆପଣ ଭାବନ୍ତୁନି ଯେ ଇ-ସମର୍ଥ ବାହାରିଛି ସତରେ କାଗଜମୁକ୍ତ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ। ଏହା କେବଳ ଡକ୍ୟୁମେଣ୍ଟ୍ରେ ଶିକ୍ଷିତଙ୍କ ସଂଖ୍ୟା ବଢ଼ାଇବା ପାଇଁ କରାଯାଇଛି। ଖର୍ଚ୍ଚ କାଟ କରିବା ପାଇଁ ଆମେ ଆମ ଶିକ୍ଷାକୁ ଶେଷ କରିଦେବା କି? ବାସ୍ତବ ଶିକ୍ଷିତ ଲୋକ କେବେ ବି କହିବେ ନାହିଁ ଯେ କାଗଜମୁକ୍ତ ଶିକ୍ଷା ଏକ ଉତ୍ତମ ପଦକ୍ଷେପ। ଜଣେ ଗଣିତର ହିସାବ ଶିକ୍ଷା ବିନା କାଗଜ କଲମ ଧରି ଲାଭ କରିପାରିବ କି? ମୁଁ କାଗଜମୁକ୍ତ ପରୀକ୍ଷା, କାଗଜମୁକ୍ତ ପ୍ରମାଣପତ୍ରକୁ ସମର୍ଥନ ଦେଉଛି। ମାତ୍ର କାଗଜମୁକ୍ତ ଶିକ୍ଷା ଆଦୌ ବି ଗ୍ରହଣୀୟ ନୁହେଁ। -ପ୍ରଫେସର୍ ଶିବପ୍ରସାଦ ଅଧିକାରୀ, ବିଶିଷ୍ଟ ଶିକ୍ଷାବିତ୍ ତଥା ପୂର୍ବତନ କୁଳପତି, ଫକୀର ମୋହନ ବିଶ୍ୱବିଦ୍ୟାଳୟ
ଡିଜିଟାଲ୍ ପ୍ଲାଟ୍ଫର୍ମରେ ପୂରା ପରୀକ୍ଷା କଲା ଗୋଆ
ପରିବେଶ ଅନୁକୂଳ କାର୍ଯ୍ୟଧାରାର ପ୍ରଚଳନ ଓ ପିଲାମାନଙ୍କୁ ବୈଷୟିକ ଜ୍ଞାନ କୌଶଳରେ ଦକ୍ଷ କରିବା ଲକ୍ଷ୍ୟରେ ଗୋଆର ଏକ ସ୍କୁଲ୍ ଗତବର୍ଷ ଏକାଦଶ ଓ ଦ୍ବାଦଶ ଶ୍ରେଣୀରେ ପାଠ ପଢୁଥିବା ୩୪୭ ଜଣ ପିଲାଙ୍କ ପାଇଁ ଡିଜିଟାଲ୍ ପ୍ଲାଟ୍ଫର୍ମରେ ପରୀକ୍ଷାର ଆୟୋଜନ କରିଥିଲା। ଡକ୍ଟର କେ ବି ହେଡ୍ଗେୱାର୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗତବର୍ଷ ଜୁଲାଇ ୨୧ରୁ ଜୁଲାଇ ୨୬ ମଧ୍ୟରେ ଏହି ପରୀକ୍ଷା କରାଯାଇଥିଲା। ସ୍କୁଲ୍ର ଅଧ୍ୟକ୍ଷଙ୍କ କହିବାନୁଯାୟୀ, ଗୋଟାଏ ବି ଫର୍ଦ୍ଦ କାଗଜ ବ୍ୟବହାର ନକରି ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇଥିଲେ। ଯାହାଫଳରେ ୩୦ ହଜାର କାଗଜ ଫର୍ଦ୍ଦକୁ ବଂଚାଯାଇ ପାରିଥିଲା। ଯାହାକି ୩-୪ଟି ବଡ଼ ଗଛ ସହ ସମାନ।
ଗୁଜରାଟରେ ନମୋ-ଇ ଟାବ୍ଲେଟ୍ ଯୋଜନା
କାଗଜମୁକ୍ତ ଶିକ୍ଷା କାର୍ଯ୍ୟକାରୀ ଦିଗରେ ଗୁଜରାଟ ବି ପଛରେ ନାହିଁ। ନମୋ-ଇ ଟାବ୍ଲେଟ୍ ଯୋଜନା ମାଧ୍ୟରେ ଛାତ୍ରଛାତ୍ରୀଙ୍କୁ ସରକାର ଟାବ୍ଲେଟ୍ ଯୋଗାଇବା ତାହାର ଏକ ଜ୍ବଳନ୍ତ ଉଦାହରଣ। ଏହାଛଡ଼ା ଗୁଜୁରାଟର ଚାରୁସାଟ୍ ବିଶ୍ୱବିଦ୍ୟାଳୟ ଭଳି କିଛି ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଡିଜିଟାଲ୍ ମାଧ୍ୟମରେ ପରୀକ୍ଷା କରାଇବା ସମ୍ପୂର୍ଣ୍ଣ କାଗଜମୁକ୍ତ ଶିକ୍ଷାଦାନର ଅନନ୍ୟ ଉଦାହରଣ।
ସୌଜନ୍ୟ ସମ୍ବାଦ
