ଦେଶ ବିଦେଶ

Director: ବିଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ କୁକୁ କୋହଲିଙ୍କ ପରଲୋକ

ବଲିଉଡ୍‌ର ଜଣାଶୁଣା ଚଳଚ୍ଚିତ୍ର ନିର୍ଦ୍ଦେଶକ କୁକୁ କୋହଲିଙ୍କର ମଙ୍ଗଳବାର ମୁମ୍ବାଇରେ ପରଲୋକ ହୋଇଛି। ତାଙ୍କୁ ୭୭ ବର୍ଷ ହୋଇଥିଲା। ଅଜୟ ଦେବଗନଙ୍କୁ ଫିଲ୍ମ ଜଗତରେ ପରିଚିତ କରାଇଥିବା ନିର୍ଦ୍ଦେଶକ ଭାବେ କୁକୁ କୋହଲି ବିଶେଷ ଭାବେ ଜଣାଶୁଣା ଥିଲେ।

ମୁମ୍ବାଇ: ବଲିଉଡ୍‌ର ଜଣାଶୁଣା ଚଳଚ୍ଚିତ୍ର ନିର୍ଦ୍ଦେଶକ କୁକୁ କୋହଲିଙ୍କର ମଙ୍ଗଳବାର ମୁମ୍ବାଇରେ ପରଲୋକ ହୋଇଛି। ତାଙ୍କୁ ୭୭ ବର୍ଷ ହୋଇଥିଲା। ଅଜୟ ଦେବଗନଙ୍କୁ ଫିଲ୍ମ ଜଗତରେ ପରିଚିତ କରାଇଥିବା ନିର୍ଦ୍ଦେଶକ ଭାବେ କୁକୁ କୋହଲି ବିଶେଷ ଭାବେ ଜଣାଶୁଣା ଥିଲେ। ତାଙ୍କ ପ୍ରକୃତ ନାମ ସନ୍ଦେଶ କୋହଲି। ମୁମ୍ବାଇର କୋକିଲାବେନ୍‌ ହସ୍ପିଟାଲ୍‌ରେ ଆଜି ତାଙ୍କ ମୃତ୍ୟୁ ହୋଇଥିବା ପ୍ରକାଶିତ ଖବରରେ କୁହାଯାଇଛି। ବୁଧବାର ଓଶିୱାଡ଼ା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।

କୁକୁ କୋହଲିଙ୍କ ବନ୍ଧୁ ତଥା ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ ତାଙ୍କ ମୃତ୍ୟୁ ଖବର ନିଶ୍ଚିତ କରିଛନ୍ତି। କୌଣସି ଅସୁସ୍ଥତା ନ ଥିବାବେଳେ ହଠାତ୍‌ ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଅଶୋକ ପଣ୍ଡିତ କହିଛନ୍ତି। କୁକୁ କୋହଲି ଇଣ୍ଡିଆନ୍‌ ଫିଲ୍ମ ଆଣ୍ଡ୍‌ ଟେଲିଭିଜନ୍‌ ଡାଇରେକ୍ଟର୍ସ ଆସୋସିଏସନ୍‌ (ଆଇଏଫ୍‌ଟିଡିଏ)ର ସାଧାରଣ ସମ୍ପାଦକ ମଧ୍ୟ ଥିଲେ। ୧୯୯୧ରେ ମୁକ୍ତିଲାଭ କରିଥିବା ‘ଫୁଲ୍‌ ଔର୍‌ କାଣ୍ଟେ’ କୁକୁ କୋହଲିଙ୍କ ନିର୍ଦ୍ଦେଶନାରେ ପ୍ରଥମ ଫିଲ୍ମ ଥିଲା। ଏହି ଫିଲ୍ମରେ ଅଜୟ ଦେବଗନଙ୍କୁ ନାୟକ ଭାବେ ଉପସ୍ଥାପନ କରାଯାଇଥିଲା। ଫିଲ୍ମଟି ବ୍ୟବସାୟିକ ଭାବେ ସଫଳ ହୋଇଥିଲା। ଏଥିରେ ମଧୁ, ଅମରୀଶ ପୁରୀ, ଅରୁଣା ଇରାନୀ ଓ ଜଗଦୀପ ମଧ୍ୟ ଅଭିନୟ କରିଥିଲେ। ଏହାପରେ ସେ ସେହି ବର୍ଷ ‘କୋହରାମ’ର ନିର୍ଦ୍ଦେଶନା ଦେଇଥିଲେ।
୧୯୯୪ରେ କୁକୁ କୋହଲିଙ୍କ ନିର୍ଦ୍ଦେଶିତ ‘ସୁହାଗ’ ମୁକ୍ତିଲାଭ କରିଥିଲା। ଏଥିରେ ଅଜୟ ଦେବଗନ, ଅକ୍ଷୟ କୁମାର, କରିସ୍ମା କପୁର ଓ ନାଗମା ଅଭିନୟ କରିଥିଲେ। ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଅଜୟ ଦେବଗନ ଓ ଅକ୍ଷୟ କୁମାରଙ୍କୁ ଏକାଠି ପରଦାରେ ଦେଖିବାକୁ ମିଳିଥିଲା। ପରେ କୁକୁ କୋହଲି ‘ହକିକତ’, ‘ଜୁଲ୍‌ମୀ’, ‘ଅନାଡ଼ି ନମ୍ବର ୧’ ଓ ‘ୟେହ ଦିଲ୍‌ ଆଶିକାନା’ ଭଳି ଫିଲ୍ମ ନିର୍ଦ୍ଦେଶନା ଦେଇଥିଲେ। ତାଙ୍କ ଶେଷ ନିର୍ଦ୍ଦେଶିତ ଫିଲ୍ମ ‘ଓହ ତେରା ନାମ୍‌ ଥା’, ଯାହା ୨୦୦୪ରେ ମୁକ୍ତିଲାଭ କରିଥିଲା। କୁକୁ କୋହଲିଙ୍କ ପରଲୋକରେ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ପତ୍ନୀ ଭାବେ ଅଭିନେତ୍ରୀ ଅରୁଣା ଇରାନୀ ଅଛନ୍ତି। ପ୍ରଥମା ପତ୍ନୀ ରୀତା କୋହଲିଙ୍କଠାରୁ ତାଙ୍କର ପୂଜା ଓ କରିସ୍ମା ନାମରେ ଦୁଇ ସନ୍ତାନ ଅଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button