ବେଙ୍ଗାଲୁରୁ: ଦକ୍ଷିଣ ଭାରତର କଂଗ୍ରେସର ଜଣେ ଜଣାଶୁଣା ଚେହେରା ଡିକେ ଶିବକୁମାର ବୁଧବାର କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହା ଦ୍ୱାରା ଦୁଇ ବର୍ଷ ଧରି ଖବର ଶିରୋନାମା ପାଲଟିଥିବା ଏକ ଦୀର୍ଘ ବିବାଦର ଅନ୍ତ ଘଟିଛି। ବୁଧବାର ଲୋକଭବନର ଗ୍ଲାସ ହାଉସରେ କଂଗ୍ରେସ ନେତା ଡିକେ ଶିବକୁମାର କର୍ଣ୍ଣାଟକର ୧୮ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ୍ ଶପଥ ପାଠ କରାଇଛନ୍ତି। ରାଜ୍ୟ ଗୃହମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିବା ପ୍ରଭାବଶାଳୀ ଦଳିତ ନେତା ଜି ପରମେଶ୍ୱର ଉପ-ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଅନ୍ୟ ୧୨ ଜଣ ମନ୍ତ୍ରୀଙ୍କୁ ନୂତନ କ୍ୟାବିନେଟରେ ସାମିଲ କରାଯାଇଛି।
ଲୋକଭବନରେ ଶିବକୁମାରଙ୍କ ଶପଥ ଗ୍ରହଣ ଉତ୍ସବରେ ଇନଫୋସିସ୍ ସହ-ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ଓ ତାଙ୍କ ପତ୍ନୀ ତଥା ରାଜ୍ୟସଭା ସାଂସଦ ସୁଧା ମୂର୍ତ୍ତି, ପୂର୍ବତନ କ୍ରିକେଟର ଅନିଲ କୁମ୍ବଲେ, ଅଭିନେତା ଜୟମାଳା ଓ ଶିବ ରାଜକୁମାର ପ୍ରମୁଖ ଉପସ୍ଥିତ ଥିଲେ। ଶପଥ ଗ୍ରହଣ ସମାରୋହ ପାଇଁ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଲୋକଭବନରେ ପହଞ୍ଚିଥିଲେ। ଏହା ପୂର୍ବରୁ ଶିବକୁମାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ହାଲ୍ ବିମାନବନ୍ଦରରେ ଖଡ଼ଗେ ଓ ରାହୁଲ ଗାନ୍ଧୀଙ୍କୁ ସ୍ୱାଗତ କରିଥିଲେ। ଶିବକୁମାରଙ୍କ ପତ୍ନୀ ଉଷା ଓ ଝିଅ ଐଶ୍ୱର୍ଯ୍ୟା ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇଥିଲେ। କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ମଧ୍ୟ ଫୋନରେ ଶିବକୁମାରଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସମସ୍ତଙ୍କୁ ଏକାସାଙ୍ଗରେ ନେଇ ଚାଲିବାକୁ ପରାମର୍ଶ ଦେଇଥିଲେ।
ସୌଜନ୍ୟ ସମ୍ବାଦ

