e20 petrol: ଇ୨୦ ପେଟ୍ରୋଲ୍ରେ ଇଞ୍ଜିନ ଖରାପ ହେଉନି: ସରକାର
ଇ୨୦ ପେଟ୍ରୋଲକୁ ଦେଶରେ ବ୍ୟାପକ ବିରୋଧ କରାଯାଉଛି। ତେବେ ଏହାଦ୍ବାରା ଗାଡ଼ିର ଇଞ୍ଜିନ ଖରାପ ହେଉନାହିଁ ବୋଲି ସଂସଦରେ ସରକାର ସ୍ପଷ୍ଟ କରିଛନ୍ତି। ପେଟ୍ରୋଲିୟମ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ ରାଜ୍ୟସଭାରେ କହିଛନ୍ତି ଯେ ଦେଶରେ ଚାଲୁଥିବା ୨୩ କୋଟି ଗାଡ଼ି ଚଲାଇବାର...

ନୂଆଦିଲ୍ଲୀ: ଇ୨୦ ପେଟ୍ରୋଲକୁ ଦେଶରେ ବ୍ୟାପକ ବିରୋଧ କରାଯାଉଛି। ତେବେ ଏହାଦ୍ବାରା ଗାଡ଼ିର ଇଞ୍ଜିନ ଖରାପ ହେଉନାହିଁ ବୋଲି ସଂସଦରେ ସରକାର ସ୍ପଷ୍ଟ କରିଛନ୍ତି। ପେଟ୍ରୋଲିୟମ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ ରାଜ୍ୟସଭାରେ କହିଛନ୍ତି ଯେ ଦେଶରେ ଚାଲୁଥିବା ୨୩ କୋଟି ଗାଡ଼ି ଚଲାଇବାର ଅନୁଭବ ଓ ବୈଜ୍ଞାନିକ ଅଧ୍ୟୟନ ଆଧାରରେ ସରକାର ଏହି ନିଷ୍କର୍ସରେ ପହଞ୍ଚିଛନ୍ତି।
ଏହି ତେଲ ପକାଇବା ପରେ ଇଞ୍ଜିନ ଖରାପ ହେଉଥିବାର କୌଣସି ପ୍ରମାଣ ମିଳିନାହିଁ। ଦେଶରେ ବର୍ତ୍ତମାନ ୨୦ କୋଟି ୨ଚକିଆ ଯାନ ଓ ୩ କୋଟିରୁ ଅଧିକ କାର୍ ଇ୨୦ ପେଟ୍ରୋଲ୍ରେ ଚାଲୁଛି। ସେଥି ମଧ୍ୟରୁ ଏକ ବଡ଼ ଭାଗ ହେଉଛି ପୁରୁଣା ଗାଡ଼ି। ସେହି ଗାଡ଼ିଗୁଡ଼ିକର ଡାଟା ଓ ସର୍ଭିସ୍ ରେକର୍ଡକୁ ଅନୁଶୀଳନ କରିବା ପରେ ମଧ୍ୟ ତେଲ ପାଇଁ ଇଞ୍ଜିନ ଖରାପ ହେବା ଭଳି କୌଣସି ସ୍ପଷ୍ଟ ସୂଚନା ସାମନାକୁ ଆସିନାହିଁ ବୋଲି ମନ୍ତ୍ରୀ ଗୋପୀ କହିଛନ୍ତି।
ସେ ଜଣାଇଛନ୍ତି ଯେ ତରବରିଆ ଭାବେ ଇ୨୦ ପେଟ୍ରୋଲ୍ ବିକ୍ରି ନିଷ୍ପତ୍ତି ନିଆଯାଇନାହିଁ। ବୈଜ୍ଞାନିକ ପ୍ରମାଣ ଆଧାରରେ ସବୁ କିଛି କରାଯାଇଛି। ୨୦୧୩-୧୪ରେ ପେଟ୍ରୋଲ୍ରେ ୧.୫୩ ପ୍ରତିଶତ ଇଥାନଲ ମିଶାଯାଉଥିଲା। ବୈଜ୍ଞାନିକ ପ୍ରମାଣ ଓ ସମସ୍ତ ଅଂଶୀଦାରଙ୍କ ସହ ବ୍ୟାପକ ବିଚାରବିମର୍ଶ କରିବା ପରେ ୨୦୨୫-୨୬ରୁ ୨୦ ପ୍ରତିଶତ ଇଥାନଲ୍ ମିଶା ପେଟ୍ରୋଲ ବିକ୍ରି ଆରମ୍ଭ କରାଯାଇଥିଲା। ପୂର୍ବରୁ ସରକାର ଜଣାଇଥିଲେ ଯେ ଇ୨୦ ତେଲ ପାଇଁ ପୁରୁଣା ଗାଡ଼ିର ମାଇଲେଜ ୫ ପ୍ରତିଶତ ହ୍ରାସ ପାଇବା ଆଶଙ୍କା ରହିଛି। କିନ୍ତୁ ଏହି ତେଲର ଅନେକ ଭଲ ଗୁଣ ରହିଛି।
ସୌଜନ୍ୟ ସମ୍ବାଦ




