Encounter: ଗୁଜରାଟରେ ଶିଶୁକୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ସନ୍ଦିଗ୍ଦକୁ ଏନକାଉଣ୍ଟର
ଗୁଜରାଟର ଆନନ୍ଦ ଜିଲ୍ଲାରେ ଜଣେ ୪ ବର୍ଷୀୟା ଶିଶୁକୁ ଅପହରଣ, ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଏକ ପୁଲିସ ଟିମ୍ ଆଜି ଜଣେ ମୁଖ୍ୟ ସନ୍ଦିଗ୍ଧକୁ ଏନକାଉଣ୍ଟର କରି ମାରିଦେଇଛନ୍ତି। ପୁଲିସ ଅନୁଯାୟୀ ସନ୍ଦିଗ୍ଧ ଖସିଯିବାକୁ ଚେଷ୍ଟା କରିବା ସମୟରେ ଏକ ଛୁରୀ କାଢ଼ି ପୁଲିସ ଟିମ୍ ଉପରେ ଆକ୍ରମଣ କରିଥିଲା।

ଅହମଦାବାଦ: ଗୁଜରାଟର ଆନନ୍ଦ ଜିଲ୍ଲାରେ ଜଣେ ୪ ବର୍ଷୀୟା ଶିଶୁକୁ ଅପହରଣ, ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଏକ ପୁଲିସ ଟିମ୍ ଆଜି ଜଣେ ମୁଖ୍ୟ ସନ୍ଦିଗ୍ଧକୁ ଏନକାଉଣ୍ଟର କରି ମାରିଦେଇଛନ୍ତି। ପୁଲିସ ଅନୁଯାୟୀ ସନ୍ଦିଗ୍ଧ ଖସିଯିବାକୁ ଚେଷ୍ଟା କରିବା ସମୟରେ ଏକ ଛୁରୀ କାଢ଼ି ପୁଲିସ ଟିମ୍ ଉପରେ ଆକ୍ରମଣ କରିଥିଲା। ପୁଲିସ ଟିମ୍ ଏହାର ପାଲଟା ଜବାବ ଦେଇ ଗୁଳି ଚଳାଇବା ଦ୍ବାରା ଗୁଳିମାଡ଼ରେ ତା’ର ମୃତ୍ୟୁ ହୋଇଛି। ଆନନ୍ଦ ଡିଏସ୍ପି ଗୌରବ ଜାସନୀ ସ୍ପଷ୍ଟ କରିଛନ୍ତି ଯେ ପୁଲିସ ଆତ୍ମରକ୍ଷା ପାଇଁ ଗୁଳି ଚଳାଇଛି। ପୁଲିସ ଏହି ମାମଲାରେ ୨୫ ବର୍ଷୀୟ ସୁରେଷ ପାରମରକୁ ବୋରସଦରୁ ଗିରଫ କରି ପରବର୍ତ୍ତୀ ଜେରା ପାଇଁ ଆନନ୍ଦ ନେଉଥିଲା। ତେବେ ବାଟରେ ପାରମର ଅସୁସ୍ଥ ଅନୁଭବ କରୁଥିବା କହି ଗାଡ଼ିରୁ ଓହ୍ଲାଇ ପଡ଼ିଥିଲା। ପୁଲିସ ଅଧିକାରୀମାନେ ଦାବି କରିଛନ୍ତି ଯେ ଗାଡ଼ିରୁ ଓହ୍ଲାଇ ଯିବାପରେ ପାରମର ଏକ ଛୁରୀ ଦ୍ବାରା ପୁଲିସ ଟିମ୍ ଉପରେ ଆକ୍ରମଣ ଆରମ୍ଭ କରିଥିଲେ। ପୁଲିସ ତାକୁ ସରେଣ୍ଡର୍ କରିବାପାଇଁ ଚେତାବନୀ ଦେଇଥିଲା। କିନ୍ତୁ ସେ ସରେଣ୍ଡର୍ ନକରି ଆକ୍ରମଣ ଜାରି ରଖିବାରୁ ଆତ୍ମରକ୍ଷା ପାଇଁ ପୁଲିସ ଗୁଳି ଚଳାଇଥିଲା। ପାରମର ଆନନ୍ଦ ଜିଲ୍ଲାର ବସଦ ରେଳ ଷ୍ଟେସନ୍ରେ ପୀଡ଼ିତାଙ୍କୁ କୁଆଡ଼େ ନେଇ ଯାଉଥିବା ସିସିଟିଭି କ୍ୟାମେରାରୁ ଧରାପଡ଼ିବାପରେ ଗିରଫ ହୋଇଥିଲା। ୪ ବର୍ଷୀୟା ଶିଶୁ ଜୁଲାଇ ୧୮ ତାରିଖରେ ନିଖୋଜ ହୋଇ ଯାଇଥିଲା। ପରଦିନ ସକାଳେ ରେଳ ଧାରଣାରୁ ତା’ର ମୃତଦେହ ମିଳିଥିଲା।
ସୌଜନ୍ୟ ସମ୍ବାଦ




