East Coast Railway: ପୂର୍ବତଟ ରେଳପଥର ନିଆରା ପ୍ରୟାସ: ରେଳରେ ଚଳମାନ ସାହିତ୍ୟ ଆସର
ପ୍ରତିଦିନ ଭଳି ଟ୍ରେନ୍ରେ ଯାତ୍ରୀ ରହିଥିଲେ। ମାତ୍ର ପରିବେଶ ଥିଲା ନିଆରା। ଟ୍ରେନ୍ଟି ପାଲଟିଯାଇଥିଲା ଚଳମାନ ପୁସ୍ତକମେଳା। ଯାତ୍ରୀଙ୍କ ହାତରେ ଥିଲା ବିଭିନ୍ନ ପ୍ରକାରର ବହି। ଶବ୍ଦର ଦୁନିଆ ଭିତରେ ବୁଡ଼ି ରହିଥିଲେ ଯାତ୍ରୀମାନେ।

ଭୁବନେଶ୍ୱର: ପ୍ରତିଦିନ ଭଳି ଟ୍ରେନ୍ରେ ଯାତ୍ରୀ ରହିଥିଲେ। ମାତ୍ର ପରିବେଶ ଥିଲା ନିଆରା। ଟ୍ରେନ୍ଟି ପାଲଟିଯାଇଥିଲା ଚଳମାନ ପୁସ୍ତକମେଳା। ଯାତ୍ରୀଙ୍କ ହାତରେ ଥିଲା ବିଭିନ୍ନ ପ୍ରକାରର ବହି। ଶବ୍ଦର ଦୁନିଆ ଭିତରେ ବୁଡ଼ି ରହିଥିଲେ ଯାତ୍ରୀମାନେ। କିଏ କବିତା ମାଧ୍ୟମରେ ମନର କଥା କହୁଥିଲେ ତ ଆଉ କିଏ ସଙ୍ଗୀତ ମାଧ୍ୟମରେ ମନୋରଞ୍ଜନ କରିଥିଲେ। ଭୁବନେଶ୍ୱର-ଦଶପଲ୍ଲା ମେମୁ(୬୮୪୨୯)ରେ ଚଢ଼ିଥିବା ପାଠକ ଓ ଲେଖକଙ୍କ ପାଇଁ ଏହି ଯାତ୍ରା ଏକ ଚଳନ୍ତା ସାହିତ୍ୟିକ ସମାବେଶରେ ପରିଣତ ହୋଇଥିଲା। ଭୁବନେଶ୍ୱରର ‘ୱାକିଂ ବୁକ୍ ଫେୟାର୍ସ’ର ସହଯୋଗରେ ପୂର୍ବତଟ ରେଳପଥ ପକ୍ଷରୁ ଆୟୋଜିତ ‘ରେଳ ରିଡିଂ କ୍ୟାମ୍ପେନ୍-ଗିଫ୍ଟ ଏ ବୁକ୍’ କାର୍ଯ୍ୟକ୍ରମରେ ଏଭଳି କିଛି ନିଆରା ଦୃଶ୍ୟମାନ ହୋଇଥିଲା। ଶହେରୁ ଅଧିକ ଅଂଶଗ୍ରହଣକାରୀଙ୍କର ଏହି ସାହିତ୍ୟିକ ଯାତ୍ରାକୁ ଆହୁରି ସ୍ୱତନ୍ତ୍ର କରିଥିଲା ପ୍ରଖ୍ୟାତ ସାହିତ୍ୟିକ ଜେରୀ ପିଣ୍ଟୋ, ଶରତ ଚନ୍ଦ୍ର ଦାସ, କ୍ରିଷ୍ଟୋଫ ରାନ୍ସମାୟର, ଆକୃତି ମାନ୍ଧୱାନୀ ଓ ଚନ୍ଦ୍ରହାସ ଚୌଧୁରୀ। ସେମାନେ ଅଂଶଗ୍ରହଣକାରୀ ଓ ପାଠକଙ୍କ ସହ ନିଜର କବିତା, ଚିନ୍ତାଧାରା, ସାହିତ୍ୟିକ ଅନୁଭବ ଓ ସୃଜନଶୀଳତାର ବିଭିନ୍ନ ଦିଗ ଉପରେ ବଖାଣିଥିଲେ। ସେମାନଙ୍କ ଉପସ୍ଥିତି ଏହି ରେଳଯାତ୍ରାକୁ ପାଠକ, ଲେଖକ ଓ ସାହିତ୍ୟପ୍ରେମୀଙ୍କ ମଧ୍ୟରେ ଏକ ନିଆରା ଆଲୋଚନା ଓ ଭାବବିନିମୟର ପରିସରରେ ପରିଣତ କରିଥିଲା। ଏହି ଅଭିଯାନ ଏକ ସାଧାରଣ ରେଳଯାତ୍ରାକୁ କିଛି ସମୟ ପାଇଁ ବହି ପଢ଼ିବା ଓ ପରସ୍ପର ସହ ଯୋଡ଼ି ହେବାର ଏକ ସୁନ୍ଦର ଆହ୍ୱାନରେ ପରିଣତ କରିଥିଲା।
ସୌଜନ୍ୟ ସମ୍ବାଦ




