Editorial: ଅବିଶ୍ବାସ ବିଷ

ଏତେ ସଅଳ ଯଦି ପିଲାମାନଙ୍କୁ ନ୍ୟାୟପାଳିକାରେ ଉପସ୍ଥିତ ଦୁର୍ନୀତି ସମ୍ବନ୍ଧରେ ଧାରଣା ଦିଆଯାଏ, ତେବେ ସେଥିସହିତ ସେମାନଙ୍କୁ ଏହାର ପ୍ରତିକାର ପାଇଁ କରାଯାଇଥିବା ବ୍ୟବସ୍ଥାମାନ - ଅପିଲ୍, ଆଚରଣ ସଂହିତା, ଅଦାଲତ ଅବମାନନା ଅଧିକାର....

ଏତେ ସଅଳ ଯଦି ପିଲାମାନଙ୍କୁ ନ୍ୟାୟପାଳିକାରେ ଉପସ୍ଥିତ ଦୁର୍ନୀତି ସମ୍ବନ୍ଧରେ ଧାରଣା ଦିଆଯାଏ, ତେବେ ସେଥିସହିତ ସେମାନଙ୍କୁ ଏହାର ପ୍ରତିକାର ପାଇଁ କରାଯାଇଥିବା ବ୍ୟବସ୍ଥାମାନ – ଅପିଲ୍, ଆଚରଣ ସଂହିତା, ଅଦାଲତ ଅବମାନନା ଅଧିକାର ଓ ସାଂବିଧାନିକ ଉପଚାର ଆଦି – ସମ୍ବନ୍ଧରେ ମଧ୍ୟ ଅବଗତ କରାଯିବା ଜରୁରି। ନିଜେ ନିଜର ସଂଶୋଧନ କରିବା ପାଇଁ ନ୍ୟାୟପାଳିକାର ଥିବା କ୍ଷମତା ସମ୍ବନ୍ଧରେ ମଧ୍ୟ ଛାତ୍ରଛାତ୍ରୀମାନେ ସଚେତନ ହେବା ଆବଶ୍ୟକ।

ନେସନାଲ କାଉନ୍‌ସିଲ ଅଫ ଏଜୁକେସନାଲ ରିସର୍ଚ୍ଚ ଆଣ୍ଡ୍ ଟ୍ରେନିଙ୍ଗ (‘ଏନ୍‌ସିଇଆର୍‌ଟି’) ଦ୍ବାରା ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ସଦ୍ୟ ପ୍ରକାଶିତ ଏକ ନୂତନ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକ ବର୍ତ୍ତମାନ ଦେଶର ବୁଦ୍ଧିଜୀବୀ ମହଲରେ ଓ ବିଶେଷ କରି ନ୍ୟାୟିକ ପରିସରରେ ଏକ ଉତ୍ତପ୍ତ ବିତର୍କର ସୂତ୍ରପାତ କରିବା ଆରମ୍ଭ କରିଛି। ଏହି ବିତର୍କର ମୂଳରେ ରହିଛି ସେଇ ପୁସ୍ତକରେ ଅନ୍ତର୍ଭୁକ୍ତ ଏକ ଅଂଶ, ଯେଉଁଥିରେ ନ୍ୟାୟପାଳିକାରେ ଦୁର୍ନୀତିର ଉପସ୍ଥିତି ଓ ବିଚାର ଅପେକ୍ଷାରେ ପଡ଼ିରହିଥିବା ମାମଲାମାନଙ୍କର ବର୍ଦ୍ଧିଷ୍ଣୁ ତାଲିକା ସମ୍ବନ୍ଧରେ ବିଶଦ ଆଲୋଚନା କରାଯାଇଛି। ଏହି ପରିମାର୍ଜିତ ପୁସ୍ତକର ଆବିର୍ଭାବ ଏପରି ଏକ ସମୟରେ ଘଟିଛି, ଯେତେବେଳେ ଏକ ଅବିଶ୍ବାସ୍ୟ ଭାବେ ବିରଳ ଦୁର୍ନୀତି ଅଭିଯୋଗରେ ଛନ୍ଦି ହୋଇ ଜଣେ ଉଚ୍ଚ ନ୍ୟାୟାଳୟ ବିଚାରପତି ସଂସଦରେ ମହାଭିଯୋଗର ସମ୍ମୁଖୀନ ହେବାକୁ ଅପେକ୍ଷା କରିଛନ୍ତି। ଏହା ନିଶ୍ଚିତ ରୂପେ ‘ଏନ୍‌ସିଇଆର୍‌ଟି’ର ଏହି ପଦକ୍ଷେପକୁ ପ୍ରାସଙ୍ଗିକତା ଯୋଗାଇଥାଏ।
କିନ୍ତୁ ଏଠାରେ ଯେଉଁ ଏକ ପ୍ରଶ୍ନ ପ୍ରକୃତରେ ପ୍ରାସଙ୍ଗିକ ମନେ ହୋଇଥାଏ, ତାହା ନ୍ୟାୟପାଳିକାରେ ଦୁର୍ନୀତିର ଉପସ୍ଥିତି କିମ୍ବା ଅନୁପସ୍ଥିତି ନୁହେଁ, ତାହା ହେଉଛି ଆଦ୍ୟ କୈଶୋରରେ ପ୍ରବେଶ କରିବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ କେଉଁଭଳି ସଚେତନତା ସୃଷ୍ଟିକୁ ପ୍ରାଥମିକତା ପ୍ରଦାନ କରାଯିବା ଉଚିତ: ଏକ ଆଦର୍ଶ ସମାଜର ମୂଳ ଭିତ୍ତି ରୂପେ ନ୍ୟାୟପାଳିକାର ଆବଶ୍ୟକତା ଉପରେ ବିଶ୍ବାସ, ନଁା ଦୁର୍ନୀତି ବା ଅପାରଗତାର ଉପସ୍ଥିତିର ସମ୍ଭାବନା ଯୋଗୁଁ ନ୍ୟାୟପାଳିକା ପ୍ରତି ଅବିଶ୍ବାସ?
ବିଦ୍ୟାଳୟ ସ୍ତରରେ ପାଠ୍ୟପୁସ୍ତକର ଭୂମିକା କେବଳ ସୂଚନା ପ୍ରସାରଣରେ ସୀମିତ ହୋଇ ନ ଥାଏ, ଏହା କୋମଳମତି ଛାତ୍ରଛାତ୍ରୀମାନଙ୍କର ନୈତିକ କଳ୍ପନାକୁ ମଧ୍ୟ ରୂପ ପ୍ରଦାନ କରିଥାଏ। ସେମାନେ କୌଣସି ଏକ ବ୍ୟବସ୍ଥାରେ ଅନୁପ୍ରବେଶ କରୁଥିବା ଦୋଷଦୁର୍ବଳତା ଓ ସଂପୃକ୍ତ ଅନୁଷ୍ଠାନର ଉପସ୍ଥିତିର ଅପରିହାର୍ଯ୍ୟତା ମଧ୍ୟରେ ଥିବା ପ୍ରଭେଦ ହୃଦୟଙ୍ଗମ କରିବା ପାଇଁ ସକ୍ଷମ ହେବା ପୂର୍ବରୁ ସେମାନଙ୍କ ମସ୍ତିଷ୍କରେ ଅଦାଲତମାନଙ୍କର ସାଧୁତା ଓ ନିରପେକ୍ଷତା ସମ୍ବନ୍ଧରେ ଯଦି ସନ୍ଦେହର ବୀଜ ବପନ କରାଯାଏ, ତେବେ ତାହାର କୁପରିଣାମ ସ୍ବରୂପ ଭବିଷ୍ୟତରେ ସେମାନଙ୍କର ଚରିତ୍ର ଓ ବ୍ୟକ୍ତିତ୍ବରେ ଅବିଶ୍ବାସ ଓ ଦୋଷଦର୍ଶିତା ପ୍ରାଧାନ୍ୟ ଲାଭ କରିବାର ଦୃଢ଼ ସମ୍ଭାବନା ଦେଖାଦେଇଥାଏ। ତେର ଚଉଦ ବର୍ଷ ବୟସରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନ୍ୟାୟ, ଆଇନର ଶାସନ ଏବଂ ପ୍ରାଧିକାର ଆଦି ସମ୍ବନ୍ଧରେ ଝାପ୍‌ସା ଧାରଣା ସୃଷ୍ଟି ହେବାକୁ ଆରମ୍ଭ କରିଥାଏ, ଯାହା ସଂପୂର୍ଣ୍ଣ ନମନୀୟ ଅବସ୍ଥାରେ ଥାଏ। ଏଇ ଅବସ୍ଥାରେ ଯଦି ନ୍ୟାୟପାଳିକାର ଦୋଷଦୁର୍ବଳତା ପ୍ରତି ସେମାନଙ୍କର ଧ୍ୟାନ ଆକର୍ଷଣ କରାଯାଏ, ସେମାନଙ୍କ ଠାରେ ଏହାଦ୍ବାରା ଉପଯୁକ୍ତ ସଚେତନତା ସୃଷ୍ଟି ହେବା ପରିବର୍ତ୍ତେ, ସେମାନଙ୍କର ନାଗରିକ ବିଶ୍ବାସରେ ଅବକ୍ଷୟ ଘଟିବା ସାର ହେବ।
ମହାନ ପ୍ରାଚୀନ ଗ୍ରୀକ୍ ଦାର୍ଶନିକ ପ୍ଲାଟୋଙ୍କ ଅନୁସାରେ ଆତ୍ମା ଓ ରାଷ୍ଟ୍ର ମଧ୍ୟରେ ସମନ୍ବୟ ରକ୍ଷା କରିବା ହେଉଛି ନ୍ୟାୟର ସ୍ବରୂପ। ଏଇ ସମନ୍ବୟର ସଂରକ୍ଷକ ହେଉଛି ନ୍ୟାୟପାଳିକା। ଯଦି ଏଇ ନ୍ୟାୟପାଳିକା ହେଉଛି ଦୁର୍ନୀତିଗ୍ରସ୍ତ ବୋଲି ପିଲାବେଳରୁ ଏକ ଧାରଣା ସୃଷ୍ଟି ହୁଏ, ତେବେ ସେମାନଙ୍କ ପକ୍ଷରେ ନ୍ୟାୟକୁ ପରବର୍ତ୍ତୀ ସମୟରେ ଏକ ଆଦର୍ଶ ରୂପେ ଗ୍ରହଣ କରିବା କଷ୍ଟକର ହେବ। ପ୍ଲାଟୋଙ୍କର ପ୍ରସିଦ୍ଧ ଶିଷ୍ୟ ଆରିଷ୍ଟୋଟ୍‌ଲଙ୍କ ଅନୁସାରେ ଆଇନର ଛାଞ୍ଚ ମଧ୍ୟରେ ପ୍ରତ୍ୟେକ ବ୍ୟକ୍ତିକୁ ତା’ର ଉଚିତ ପ୍ରାପ୍ୟ ପ୍ରଦାନ କରାଯିବା ହେଉଛି ନ୍ୟାୟ। ଗୁରୁତ୍ବପୂର୍ଣ୍ଣ ଭାବରେ ସେ ଆଦର୍ଶ ନ୍ୟାୟ ଓ ବାସ୍ତବ ସମାଜରେ ତାହାର ତ୍ରୁଟିଯୁକ୍ତ ପ୍ରୟୋଗ ମଧ୍ୟରେ ଥିବା ପ୍ରଭେଦ ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ। ଏକ ପରିପକ୍ବ ନାଗରିକ ଶିକ୍ଷା ବ୍ୟବସ୍ଥା ଏଇ ପାର୍ଥକ୍ୟକୁ ପ୍ରତିଫଳିତ କରିଥାଏ: ଏହା ବିଫଳତାକୁ ସ୍ବୀକାର କରିବା ସଙ୍ଗେସଙ୍ଗେ ତାହାକୁ ଦୂର କରିବା ନିମିତ୍ତ ସଂସ୍କାରର ସମ୍ଭାବନାର ଉପସ୍ଥିତି ଉପରେ ମଧ୍ୟ ଆଲୋକପାତ କରିଥାଏ। ଏହି ସନ୍ତୁଳନର ଅନୁପସ୍ଥିତିରେ ଛାତ୍ରଛାତ୍ରୀମାନଙ୍କ ମନରେ ଏକ ଧାରଣା ସୃଷ୍ଟି ହୋଇପାରେ ଯେ ନ୍ୟାୟ ଏକ ବାସ୍ତବ ମାନଦଣ୍ଡ ନୁହେଁ, ଯାହାକୁ ପ୍ରୟୋଗ କରି ସମାଜର ଅନ୍ୟ ସମସ୍ତ ଅଙ୍ଗର କାର୍ଯ୍ୟକୁ ତଉଲା ଯାଇଥାଏ, ତାହା ହେଉଛି କେବଳ ଏକ କାଳ୍ପନିକ ଧାରଣା ମାତ୍ର।
ଆଧୁନିକ ନୈତିକ ଦାର୍ଶନିକମାନେ ମଧ୍ୟ ଏ ସଂପର୍କରେ ଅନୁରୂପ ଚିନ୍ତା ପ୍ରକଟ କରିବା ଦେଖାଯାଇଥାଏ। ଉଦାହରଣ ସ୍ବରୂପ ଜନ୍ ରଲ୍‌ସ ନ୍ୟାୟ ହେଉଛି ଔଚିତ୍ୟ ବୋଲି ତର୍ଜମା କରି ତାହାକୁ ମୁକ୍ତ ଏବଂ ସମାନ ନାଗରିକମାନଙ୍କ ମଧ୍ୟରେ ସାମାଜିକ ସହଯୋଗର ମୂଳ ଭିତ୍ତି ରୂପେ ପ୍ରଦର୍ଶିତ କରିଥିଲେ। ଅଦାଲତ ଏଇ ନିୟମ ଉପରେ ପ୍ରତିଷ୍ଠିତ ହୋଇଥାଏ, ଯେଉଁଠି ଯୁକ୍ତି କ୍ଷମତାକୁ ଲଗାମ ଦେଇଥାଏ। ଏଇ ଅନୁଷ୍ଠାନ ନିରପେକ୍ଷ, ଦୁର୍ନୀତିମୁକ୍ତ ରହିବା ନିମିତ୍ତ କରାଯାଇଥିବା ବ୍ୟବସ୍ଥା ସମ୍ବନ୍ଧରେ ଯଥେଷ୍ଟ ସଚେତନତା ସୃଷ୍ଟି ନ କରି ଯଦି ତାହାକୁ ସଂକ୍ରମିତ କରିଥିବା ଦୁର୍ନୀତି ଉପରେ ମାତ୍ରାଧିକ ଧ୍ୟାନ ନିବଦ୍ଧ କରାଯାଏ, ତେବେ ସମାଜ ଏଭଳି ଦୋଷଯୁକ୍ତ ଅନୁଷ୍ଠାନ ହାତରେ ଏତେ କ୍ଷମତା କାହିଁକି ଅର୍ପଣ କଲା, ସେ ନେଇ କିଶୋର ମାନସରେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି ହୋଇପାରେ।

ଅବଶ୍ୟ ଏହାର ଅର୍ଥ ନୁହେଁ ଯେ ଅସୁବିଧାଜନକ ସତ୍ୟକୁ ସର୍ବଦା ଦବାଇ ଦିଆଯିବା ଉଚିତ। ଗଣତନ୍ତ୍ରର ସଫଳତା ନିର୍ଭର କରିଥାଏ ଏଭଳି ନାଗରିମାନଙ୍କ ଉପରେ, ଯେଉଁମାନଙ୍କ ପାଖରେ ଆବଶ୍ୟକ ସୂଚନା ଉପଲବ୍‌ଧ ଥିବା ସହିତ ତାହାକୁ ବ୍ୟବହାର କରି ସତ୍ୟାସତ୍ୟ ଯାଞ୍ଚ କରିବାର କ୍ଷମତା ମଧ୍ୟ ରହିଥାଏ। ଏତେ ସଅଳ ଯଦି ପିଲାମାନଙ୍କୁ ନ୍ୟାୟପାଳିକାରେ ଉପସ୍ଥିତ ଦୁର୍ନୀତି ସମ୍ବନ୍ଧରେ ଧାରଣା ଦିଆଯାଏ, ତେବେ ସେଥିସହିତ ସେମାନଙ୍କୁ ଏହାର ପ୍ରତିକାର ପାଇଁ କରାଯାଇଥିବା ବ୍ୟବସ୍ଥାମାନ – ଅପିଲ୍, ଆଚରଣ ସଂହିତା, ଅଦାଲତ ଅବମାନନା ଅଧିକାର ଓ ସାଂବିଧାନିକ ଉପଚାର ଆଦି – ସମ୍ବନ୍ଧରେ ମଧ୍ୟ ଅବଗତ କରାଯିବା ଜରୁରି। ନିଜେ ନିଜର ସଂଶୋଧନ କରିବା ପାଇଁ ନ୍ୟାୟପାଳିକାର ଥିବା କ୍ଷମତା ସମ୍ବନ୍ଧରେ ମଧ୍ୟ ଛାତ୍ରଛାତ୍ରୀମାନେ ସଚେତନ ହେବା ଆବଶ୍ୟକ। ସେମାନେ ହୃଦୟଙ୍ଗମ କରିବା ଉଚିତ ଯେ ଜୀବନରେ ପ୍ରାୟ ସବୁ କଥା ଭଳି ଅନୁଷ୍ଠାନମାନ ମଧ୍ୟ ତ୍ରୁଟିଯୁକ୍ତ ହୋଇପାରିଥାନ୍ତି, କିନ୍ତୁ ଏଥିସତ୍ତ୍ବେ ନ୍ୟା‌ୟପାଳିକା ପରି ଅନୁଷ୍ଠାନମାନ ସମାଜ ତିଷ୍ଠି ରହିବା ନିମିତ୍ତ ଅପରିହାର୍ଯ୍ୟ ହୋଇଥାନ୍ତି।
କେବଳ ଅଦାଲତର କାର୍ଯ୍ୟ ନୁହେଁ, ଅଦାଲତ ଉପରେ ଲୋକମାନଙ୍କର ବିଶ୍ବାସ ହିଁ ସମାଜରେ ନ୍ୟାୟର ସଂସ୍ଥାପନ କରିଥାଏ। ଶିକ୍ଷା ଅବିଶ୍ବାସ ବିଷର ସଞ୍ଚାର ନ ଘଟାଇ ସେଇ ବିଶ୍ବାସକୁ ଦୃଢ଼ୀଭୂତ କରିବାରେ ସହାୟକ ହେବା ଉଚିତ ଏବଂ ଏଥିସହିତ ବୟସରେ ବୃଦ୍ଧି ଘଟିବା ସହିତ ତାଳ ଦେଇ ଛାତ୍ରଛାତ୍ରୀମାନଙ୍କୁ ଦାୟିତ୍ବପୂର୍ଣ୍ଣ ସମାଲୋଚନା ଶକ୍ତିର ଅଧିକାରୀ କରିବା ମଧ୍ୟ ଆବଶ୍ୟକ।

ସୌଜନ୍ୟ ସମ୍ବାଦ

Exit mobile version