ସଂକ୍ଷେପରେ କହିଲେ ଅତି ପ୍ରକ୍ରିୟାକୃତ ଖାଦ୍ୟଦ୍ରବ୍ୟର ପ୍ରସାରଜନିତ ସ୍ବାସ୍ଥ୍ୟ ହାନି ବର୍ତ୍ତମାନ ଏକ ଜାତୀୟ ବିପତ୍ତି ରୂପେ ଆବିର୍ଭୂତ ହେଲାଣି। ଧୂମପାନ ପରି ଏଇ ଖାଦ୍ୟସବୁର ପ୍ରସାରକୁ ଯଦି ନିୟନ୍ତ୍ରଣ କରା ନ ଯାଏ, ତେବେ ଏଇ ବିପଦ ଆମକୁ କବଳିକ କରିବା ନିଶ୍ଚିତ।
ଭାରତୀୟ ଆୟୁର୍ବେଦ ସଂପର୍କିତ ଏକ ପ୍ରସିଦ୍ଧ ପ୍ରାଚୀନ ସଂସ୍କୃତ ଗଳ୍ପରେ ଦେବ ବୈଦ୍ୟ ଅଶ୍ବିନୀ କୁମାର ଦ୍ବୟ ଏକ ଶୁକପକ୍ଷୀ ରୂପ ଧାରଣ କରି ଉଡ଼ିଉଡ଼ି ଭେଟୁଥିବା ପ୍ରତ୍ୟେକ ବ୍ୟକ୍ତିକୁ ଏଇ ପ୍ରଶ୍ନଟି ପଚାରିବାରେ ଲାଗନ୍ତି: ‘‘କୋଽରୁକ୍? କୋଽରୁକ୍? କୋଽରୁକ୍?’’ ପ୍ରଶ୍ନଟିର ଅର୍ଥ ହେଉଛି: ‘‘କଃ ଅରୁକ୍?’’ ବା ‘‘କିଏ ନିରୋଗ?’’ ପକ୍ଷୀଟି ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ପଣ୍ଡିତ ଓ ଖ୍ୟାତନାମା ବୈଦ୍ୟମାନଙ୍କୁ ମଧ୍ୟ ଏଇ ସରଳ ପ୍ରଶ୍ନଟି ପଚାରିଥିଲେ ହେଁ, କାହାରି ଉତ୍ତର ତାକୁ ସନ୍ତୁଷ୍ଟ କରିପାରେ ନାହିଁ। ଶେଷରେ ପକ୍ଷୀଟି ଯାଇ ପହଞ୍ଚେ ଏକ ବୃକ୍ଷ ତଳେ ଧ୍ୟାନରତ ଥିବା ଋଷି ବାଗ୍ଭଟଙ୍କ ପାଖରେ, ଯାହାଙ୍କର ଉତ୍ତର ପକ୍ଷୀରୂପୀ ଦେବ ବୈଦ୍ୟ ଦ୍ବୟଙ୍କୁ ସଂପୂର୍ଣ୍ଣ ରୂପେ ସନ୍ତୁଷ୍ଟ କରିଥାଏ।
ବାଗ୍ଭଟ ପକ୍ଷୀଟିର ସରଳ ପ୍ରଶ୍ନ ‘‘କୋଽରୁକ୍?’’ର ଯେଉଁ ଉତ୍ତର ଦେଇଥିଲେ, ତାହା ଥିଲା ଅନୁରୂପ ଭାବରେ ସରଳ- ତିନିଟି ମାତ୍ର ଶବ୍ଦ। ସେ ଶବ୍ଦ ତିନିଟି ହେଲେ: ‘‘ହିତଭୁକ୍’’, ‘‘ମିତଭୁକ୍’’, ‘‘ଋତଭୁକ୍’’। ସେଇ ବ୍ୟକ୍ତି ନିରୋଗ ହୋଇଥାଏ, ଯିଏ ହିତକାରକ ଖାଦ୍ୟ ଖାଇଥାଏ, ମିତାହାର କରିଥାଏ ଓ ନିର୍ଦ୍ଦିଷ୍ଟ ଋତୁରେ ଉପଲବ୍ଧ ଖାଦ୍ୟ ଖାଇଥାଏ। ଅର୍ଥାତ୍ ଖାଦ୍ୟରେ ସଂଯମ ହେଉଛି ନିରୋଗ ରହିବାର ଚାବିକାଠି।
ଭାରତୀୟମାନେ ପ୍ରାଚୀନ କାଳରୁ ସୁସ୍ଥ ରହିବାର ଏଇ ସରଳ କୌଶଳ ଆବିଷ୍କାର କରିସାରିଥିଲେ ହେଁ, ସେମାନଙ୍କର ଆଜିର ଖାଦ୍ୟାଭ୍ୟାସ ଯେଉଁଭଳି ଏହି ବାଗ୍ଭଟୀୟ ଆଦର୍ଶ ଠାରୁ ଦ୍ରୁତ ବେଗରେ ଦୂରେଇ ଯିବାରେ ଲାଗିଛି, ତାହା କେବଳ ଦୁର୍ଭାଗ୍ୟଜନକ ନୁହେଁ, ତାହା ଯେ ସେମାନଙ୍କ ପାଇଁ ଘୋର ବିପଜ୍ଜନକ ହୋଇପଡ଼ିଲାଣି, ବର୍ତ୍ତମାନର ଚିତ୍ର ଉପରେ ଏକ କ୍ଷିପ୍ର ନଜର ପକାଇଲେ ସେ ବିଷୟରେ କୌଣସି ସନ୍ଦେହ ରହି ନ ଥାଏ। ଭାରତୀୟମାନଙ୍କର ଖାଦ୍ୟ ସଂଯମର ଧ୍ବଂସ ସାଧନ ପାଇଁ ବିଭିନ୍ନ କାରଣ ଦାୟୀ ହୋଇଥିଲେ ହେଁ, ଯେଉଁ ଗୋଟିଏ ଶ୍ରେଣୀର ଖାଦ୍ୟ ପ୍ରତି ସେମାନଙ୍କର ଦ୍ରୁତବର୍ଦ୍ଧିଷ୍ଣୁ ଲାଳସା ହେଉଛି ମୁଖ୍ୟ ଅପରାଧୀ, ତାହା ହେଉଛି ଆଜି ବଜାରରେ ବ୍ୟାପକ ଭାବରେ ଉପଲବ୍ଧ ବିଭିନ୍ନ କିସମର ଅତି-ପ୍ରକ୍ରିୟାକୃତ ଖାଦ୍ୟପଦାର୍ଥମାନ (ଅଲ୍ଟ୍ରା-ପ୍ରସେସ୍ଡ ଫୁଡ୍ସ) ବା (‘ୟୁପିଏଫ୍’), ଯେଉଁଗୁଡ଼ିକର ଦୀର୍ଘ ତାଲିକାରେ ଅନ୍ତର୍ଭୁକ୍ତ ମୃଦୁପାନୀୟରୁ ଆରମ୍ଭ କରି ଚିପ୍ସ, କୁକିଜ୍, ଚକୋଲେଟ୍ ବାର୍, ଆଇସକ୍ରିମ୍, ପ୍ୟାଷ୍ଟ୍ରି, ଫ୍ରୋଜ୍ନ ପିଜା, ଇନ୍ଷ୍ଟାଣ୍ଟ ନୁଡଲ୍ସ, ଇନ୍ଷ୍ଟାଣ୍ଟ ସୁପ୍, ସସେଜ୍, କେଚପ୍, ମାୟୋନେସ୍, ସ୍ବାଦିଷ୍ଠ ଦହି ଓ ଆହୁରି ଅନେକ ଏଭଳି ପଦାର୍ଥମାନ।
ଉପଭୋକ୍ତାଙ୍କ ପାଇଁ ମୁଖ୍ୟତଃ ଦୁଇଟି ଆକର୍ଷଣକୁ ପ୍ରାଧାନ୍ୟ ଦେଇ କଂପାନିମାନେ ଏଗୁଡ଼ିକର ଉତ୍ପାଦନ କରିଥାନ୍ତି: ସ୍ବାଦ ଓ ସୁବିଧା। ସ୍ବାଦ ବୃଦ୍ଧି ପାଇଁ ସେମାନେ ଏଥିରେ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ମାତ୍ରାରେ ଚର୍ବି, ଚିନି ଓ ଲୁଣ ଆଦି ବ୍ୟବହାର କରିବା ସହିତ ସୁବିଧା ପାଇଁ ଅଧିକ କାଳ ନଷ୍ଟ ନ ହୋଇ ସାଇତା ଯାଇପାରିବା ଲାଗି ସଂରକ୍ଷଣକାରୀ ରାସାୟନିକ ପଦାର୍ଥମାନ ବ୍ୟବହାର କରାଯାଇଥାଏ। ଏଭଳି ଖାଦ୍ୟରେ ସ୍ବାସ୍ଥ୍ୟପ୍ରଦ ତନ୍ତୁଜାତୀୟ ପଦାର୍ଥ ଓ ମୌଳିକ ପୋଷକତତ୍ତ୍ବ ପ୍ରାୟ ସଂପୂର୍ଣ୍ଣ ରୂପେ ଅନୁପସ୍ଥିତ ଥିବା ଦେଖାଯାଇଥାଏ। ଭାରତୀୟମାନଙ୍କର ଆୟରେ ଘଟି ଚାଲିଥିବା ବୃଦ୍ଧି ଓ ଜୀବନଶୈଳୀରେ ଘଟି ଚାଲିଥିବା ଦ୍ରୁତ ପରିବର୍ତ୍ତନ ସହିତ ତାଳ ଦେଇ ଏଇ ଅହିତକର ଖାଦ୍ୟପଦାର୍ଥମାନଙ୍କର ଚାହିଦାରେ କିଭଳି ତୀକ୍ଷ୍ଣ ବୃଦ୍ଧି ଘଟିବାରେ ଲାଗିଛି, ତାହା ୨୦୨୫-୨୬ର ଅର୍ଥନୈତିକ ସର୍ବେକ୍ଷଣ(‘ଇକୋନୋମିକ୍ ସର୍ଭେ ୨୦୨୫-୨୬’)ରୁ ଜଣାପଡ଼ିଥାଏ। ଏହା ଅନୁସାରେ ୨୦୦୯ରୁ ୨୦୨୩ ମଧ୍ୟରେ ଭାରତରେ ‘ୟୁପିଏଫ୍’ଗୁଡ଼ିକର ବିକ୍ରୟରେ ୧୫୦ ଶତାଂଶରୁ ଅଧିକ ହାରରେ ବୃଦ୍ଧି ଘଟିଛି।
ଚିକିତ୍ସାବିଜ୍ଞାନୀମାନେ ଏକମତ ଯେ ଭାରତରେ ଦେଖାଯାଉଥିବା ବ୍ୟାପକ ମେଦ ବୃଦ୍ଧି, ମଧୁମେହ ଓ ଅନ୍ୟାନ୍ୟ ଅଣ-ସଂକ୍ରାମକ ବ୍ୟାଧିମାନଙ୍କର ପ୍ରସାରର ଏହା ହେଉଛି ଏକ ମୁଖ୍ୟ କାରଣ। ଲଣ୍ଡନ୍ରୁ ପ୍ରକାଶିତ ମର୍ଯ୍ୟାଦାଜନକ ଚିକିତ୍ସାବିଜ୍ଞାନ ଗବେଷଣା ପତ୍ରିକା ‘ଦି ଲାନ୍ସେଟ୍’ ଦ୍ବାରା ‘ୟୁପିଏଫ୍’ମାନଙ୍କ ଉପରେ କରାଯାଇଥିବା ଏକ ଗବେଷଣା ଶୃଙ୍ଖଳାରୁ ଉପଲବ୍ଧ ତଥ୍ୟରାଜି ଏଭଳି ଖାଦ୍ୟସବୁର ମାତ୍ରାଧିକ ଆହାର ସହିତ ମେଦବହୁଳତା, ମଧୁମେହ, ହୃଦ୍ରୋଗ, ଶ୍ବାସପ୍ରଶ୍ବାସ ବ୍ୟାଧି ଓ ଏପରିକି ମାନସିକ ବ୍ୟାଧି ଆଦିର ନିଶ୍ଚିତ କାର୍ଯ୍ୟ-କାରଣ ସଂପର୍କ ରହିଥିବା ସାବ୍ୟସ୍ତ କରିଥାଏ। ଏଥିରେ ତେଣୁ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ ସେଇ ୨୦୦୯-୨୩ ସମୟ କାଳରେ ଭାରତରେ ମେଦବହୁଳତାର ଉପସ୍ଥିତିରେ ଦୁଇ ଗୁଣ ବୃଦ୍ଧି ଘଟିଥିବା ସର୍ବେକ୍ଷଣରୁ ଜଣାପଡ଼ିଛି।
ନେସନାଲ୍ ଫ୍ୟାମିଲି ହେଲ୍ଥ ସର୍ଭେ(୨୦୧୯-୨୧) ଅନୁସାରେ ଭାରତରେ ମହିଳାମାନଙ୍କ ମଧ୍ୟରୁ ୨୪ ଶତାଂଶ ମେଦବହୁଳ ହୋଇଥିବା ବେଳେ ୨୩ ଶତାଂଶ ପୁରୁଷଙ୍କ ଠାରେ ଏହା ପରିଲକ୍ଷିତ ହୋଇଥାଏ। ଏଇ ସମସ୍ୟା ଯେ କେବଳ ବୟସ୍କମାନଙ୍କ ମଧ୍ୟରେ ସୀମିତ ନ ରହି କ୍ରମେ ଦେଶର ଭବିଷ୍ୟତ ଶିଶୁମାନଙ୍କୁ ମଧ୍ୟ ଗ୍ରାସ କରିବାକୁ ଆରମ୍ଭ କଲାଣି, ତା’ର ପ୍ରମାଣ ସ୍ବରୂପ ୨୦୧୫-୧୬ରେ ପାଞ୍ଚ ବର୍ଷରୁ କମ୍ ବୟସର ଶିଶୁମାନଙ୍କ ମଧ୍ୟରୁ ୨.୧ ଶତାଂଶଙ୍କ ଠାରେ ମେଦବହୁଳତା ଦେଖାଯାଇଥିବା ବେଳେ, ୨୦୧୯-୨୧ରେ ତାହା ୩.୪ ଶତାଂଶକୁ ବୃଦ୍ଧି ପାଇଥିଲା। ‘ଦି ୱର୍ଲଡ୍ ଓବେସିଟି ଆଟ୍ଲାସ୍ ୨୦୨୪’ ଦ୍ବାରା ପ୍ରକାଶିତ ସୂଚନା ଅନୁସାରେ ୨୦୨୦ରେ ପ୍ରାୟ ସାଢ଼େ ତିନି କୋଟି ଭାରତୀୟ ଶିଶୁଙ୍କ ଠାରେ ମେଦବହୁଳତା ଉପସ୍ଥିତ ଥିଲା। ଚିକିତ୍ସାବିଜ୍ଞାନୀମାନେ କହନ୍ତି ଯେ ଶୈଶବର ମେଦବହୁଳତା ପରବର୍ତ୍ତୀ ସମୟରେ ପୁଣି ଆତ୍ମପ୍ରକାଶ କରିଥାଏ। ୨୦୩୫ ବେଳକୁ ଯେହେତୁ ଭାରତରେ ମେଦବହୁଳ ଶିଶୁଙ୍କ ସଂଖ୍ୟା ପ୍ରାୟ ୮.୫ କୋଟି ହେବ ବୋଲି ପୂର୍ବାନୁମାନ ପ୍ରକାଶ ପାଇଛି, ଏହା ଭାରତ ପାଇଁ ଏକ ମେଦବହୁଳ ଭବିଷ୍ୟତ ଅର୍ଥାତ୍ ଏକ ରୁଗ୍ଣ ଭବିଷ୍ୟତ ନିଶ୍ଚିତ କରିବାକୁ ଯାଉଛି ବୋଲି କହିଲେ ଭୁଲ୍ ହେବ ନାହିଁ।
ଏହାର ଚିନ୍ତାଜନକ କୁପରିଣାମ ସ୍ବରୂପ ଚିକିତ୍ସା ବ୍ୟୟରେ ବୃଦ୍ଧି, ଭାରତୀୟମାନଙ୍କର ଉତ୍ପାଦନଶୀଳତାରେ ହ୍ରାସ ଏବଂ ରାଜକୋଷ ଉପରେ ଚାପ ବୃଦ୍ଧି ଘଟି ଭାରତର ଅର୍ଥନୈତିକ ବିକାଶ ହାସଲ ଉଦ୍ୟମକୁ ଗୁରୁତର ଭାବରେ ବ୍ୟାହତ କରିବ। ସଂକ୍ଷେପରେ କହିଲେ ଅତି ପ୍ରକ୍ରିୟାକୃତ ଖାଦ୍ୟଦ୍ରବ୍ୟର ପ୍ରସାରଜନିତ ସ୍ବାସ୍ଥ୍ୟ ହାନି ବର୍ତ୍ତମାନ ଏକ ଜାତୀୟ ବିପତ୍ତି ରୂପେ ଆବିର୍ଭୂତ ହେଲାଣି। ଧୂମପାନ ପରି ଏଇ ଖାଦ୍ୟସବୁର ପ୍ରସାରକୁ ଯଦି ନିୟନ୍ତ୍ରଣ କରା ନ ଯାଏ, ତେବେ ଏଇ ବିପଦ ଆମକୁ କବଳିକ କରିବା ନିଶ୍ଚିତ।
ଏଇ ପରିପ୍ରେକ୍ଷୀରେ ଗତ ସପ୍ତାହରେ ସୁପ୍ରିମ୍ କୋର୍ଟ ଏ ସମସ୍ତ ଖାଦ୍ୟପଦାର୍ଥ ପ୍ୟାକେଟ୍ର ସମ୍ମୁଖ ଭାଗରେ ଏହାର କ୍ଷତିକାରକ ପ୍ରଭାବ ସମ୍ବନ୍ଧରେ ସତର୍କ ସୂଚନା ଛାପିବା ବାଧ୍ୟତାମୂଳକ କରିବା ପ୍ରସ୍ତାବକୁ ଗୁରୁତ୍ବର ସହିତ ବିଚାର କରିବା ପାଇଁ ନିୟନ୍ତ୍ରକ ସଂସ୍ଥା ‘ଏଫ୍ଏସ୍ଏସ୍ଏଆଇ’କୁ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି, ତାହା ସମୟୋଚିତ। ସୁପ୍ରିମ୍ କୋର୍ଟ କିନ୍ତୁ ଏଥିପ୍ରତି ଆହୁରି କଠୋର ଆଭିମୁଖ୍ୟ ଗ୍ରହଣ କରି ନିଜର ଏଇ ନିର୍ଦ୍ଦେଶକୁ ଆହୁରି ସ୍ପଷ୍ଟ ଓ କଡ଼ାକଡ଼ି କରିବା ଜରୁରି। କାରଣ, ବର୍ତ୍ତମାନ ସମୟରେ ସୁପ୍ରିମ୍ କୋର୍ଟ ଯଦି ଏକ ପକ୍ଷୀ ରୂପ ଧରି ବାଗ୍ଭଟଙ୍କୁ ପ୍ରଶ୍ନ କରନ୍ତେ: କୋଽରୁକ୍?, ବାଗ୍ଭଟ ନିଶ୍ଚିତ ରୂପେ ଉତ୍ତର ଦିଅନ୍ତେ: ସିଏ ହେଉଛି ନିରୋଗ, ଯିଏ ‘ୟୁପିଏଫ୍’ମାନଙ୍କ ଠାରୁ ଦୂରେଇ ରହିଥାଏ।
ସୌଜନ୍ୟ Prameya News7
