Editorial: ଗୀତା ବାଣୀ

ଏଣେ, ଅକଳନ୍ତି ଉଚ୍ଚାଙ୍ଗ ଗବେଷଣାର ନିଷ୍କର୍ଷ ଅକାଟ୍ୟ ଭାବେ ପ୍ରମାଣ କରି ଚାଲିଛନ୍ତି ଯେ ଫୁସ୍‌ଫୁସ୍‌ ବା ହୃତ୍‌ପିଣ୍ଡ ବା ବୃକ୍‌କ ଇତ୍ୟାଦି ଭଳି ଗୁରୁତ୍ବପୂର୍ଣ୍ଣ ଅଙ୍ଗମାନ ବିଷାକ୍ତ ବାୟୁ ଓ ତହିଁରେ ଭାସି ବୁଲୁଥିବା....

ଏଣେ, ଅକଳନ୍ତି ଉଚ୍ଚାଙ୍ଗ ଗବେଷଣାର ନିଷ୍କର୍ଷ ଅକାଟ୍ୟ ଭାବେ ପ୍ରମାଣ କରି ଚାଲିଛନ୍ତି ଯେ ଫୁସ୍‌ଫୁସ୍‌ ବା ହୃତ୍‌ପିଣ୍ଡ ବା ବୃକ୍‌କ ଇତ୍ୟାଦି ଭଳି ଗୁରୁତ୍ବପୂର୍ଣ୍ଣ ଅଙ୍ଗମାନ ବିଷାକ୍ତ ବାୟୁ ଓ ତହିଁରେ ଭାସି ବୁଲୁଥିବା ସୂକ୍ଷ୍ମ କଣିକା ବା ‘ପାର୍ଟିକୁଲେଟ ମ୍ୟାଟର’ ଦ୍ବାରା କ୍ଷତିଗ୍ରସ୍ତ ହୋଇ ଅକାଳରେ ରୁଗ୍‌ଣ ଓ ପରିଶେଷରେ ଅଚଳ ହୋଇଯାଆନ୍ତି। ତେଣୁ ମୃତ୍ୟୁର ‘କାରଣ’ ହୁଏତ ଅକ୍ଷମ ଫୁସ୍‌ଫୁସ୍‌ ବା ଅଚଳ ହୃଦ୍‌ଯନ୍ତ୍ର ହୋଇଥାଏ, କିନ୍ତୁ ‘କାରକ’ ହୋଇଥାଏ ବାୟୁର ପ୍ରଦୂଷଣ। ଏହା ମଧ୍ୟ ଶୁଣିବାକୁ ମିଳିଥାଏ ଯେ ଭାରତୀୟମାନଙ୍କ ସକାଶେ ଅନୁକୂଳ ଏକ ସ୍ବତନ୍ତ୍ର ‘ଏ.କ୍ୟୁ.ଆଇ.’ ନିର୍ଣ୍ଣୟ କରିବାକୁ ସରକାର ଚେଷ୍ଟିତ, ଯାହା ହାସ୍ୟାସ୍ପଦ। କହିବା ବାହୁଲ୍ୟ ଯେ ସମସ୍ୟାକୁ ସ୍ବୀକାର କରା ନ ଯିବା ପର୍ଯ୍ୟନ୍ତ ସମାଧାନର ମାର୍ଗ ଉନ୍ମୋଚିତ ହୋଇ ନ ଥାଏ।

ଗୀତା ଗୋପୀନାଥ ହେଉଛନ୍ତି ହାର୍ଭାର୍ଡ ବିଶ୍ବବିଦ୍ୟାଳୟର ଅର୍ଥନୀତି ବିଭାଗର ପ୍ରଫେସର ଏବଂ ‘ଆଇ.ଏମ.ଏଫ.’ର ପୂର୍ବତନ ମୁଖ୍ୟ ଅର୍ଥନୀତିଜ୍ଞ, ଯିଏ ଶଂସିତ ଆଲୋଚନା ବେଳେ ବିଦେଶୀ ପୁଞ୍ଜି ନିବେଶ ଓ ସୁଗମ ବାଣିଜ୍ୟକୁ ନିରୁତ୍ସାହିତ କରୁଥିବା ପ୍ରାଶାସନିକ, ବିଚାର ବିଭାଗୀୟ ଏବଂ କର ସମ୍ବନ୍ଧୀୟ ପ୍ରତିବନ୍ଧକଗୁଡ଼ିକର ଦୂରୀକରଣ ଲାଗି ସଂସ୍କାରର ଆବଶ୍ୟକତା ଉପରେ ଗୁରୁତ୍ବ ଦେଇଥିଲେ ହେଁ ଏକ ଗଭୀର ଅନ୍ତର୍ଦୃଷ୍ଟିର ପରିଚୟ ଦେଇ ଭାରତକୁ କୁଖ୍ୟାତ କରିଥିବା ବାୟୁ ପ୍ରଦୂଷଣକୁ ସର୍ବବୃହତ୍‌ ପ୍ରତିବନ୍ଧକ ରୂପେ ଅଭିହିତ କରିଥିଲେ। ‘ଆଇ.ଏମ.ଏଫ.’ ଦ୍ବାରା ୨୦୨୨ ମସିହାରେ ପ୍ରସ୍ତୁତ ଏକ ଆକଳନର ଦୃଷ୍ଟାନ୍ତ ଦେଇ ସେ କହିଥିଲେ ଯେ ବାୟୁ ପ୍ରଦୂଷଣ କାରଣରୁ ସେହି ବର୍ଷ ଭାରତରେ ୧.୭ ନିୟୁତ ଅକାଳ ମୃତ୍ୟୁ ଘଟିଥିଲା। ପ୍ରକାଶ ଥାଉ କି ୨୦୧୦ ତୁଳନାରେ ସଂଖ୍ୟାର ଏହି ବୃଦ୍ଧି ହେଉଛି ୩୮ ପ୍ରତିଶତ। ପୃଥିବୀର ସର୍ବୋତ୍କୃଷ୍ଟ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ପତ୍ରିକା ‘ଲାନ୍‌ସେଟ’ର ତଥ୍ୟ ଅନୁସାରେ ବାୟୁ ପ୍ରଦୂଷଣ ଜନିତ ବ୍ୟାଧିଗୁଡ଼ିକ ଦ୍ବାରା ରାଷ୍ଟ୍ର ଉପରେ ପଡୁଥିବା ଆର୍ଥିକ ବୋଝର ପରିମାଣ ହେଉଛି ପ୍ରାୟ ୩୦ ଲକ୍ଷ କୋଟି ଟଙ୍କା ଅର୍ଥାତ୍‌ ଜାତୀୟ ଆୟ ବା ‘ଜି.ଡି.ପି.’ର ଏକ ଉଚ୍ଚ ଅଂଶ ପ୍ରାୟ ୧୦ ପ୍ରତିଶତ। ସେହି ଭଳି ୨୦୨୪ ମସିହାର ଡେଟା ଅନୁସାରେ ବାୟୁ ପ୍ରଦୂଷଣ ଦ୍ବାରା ସର୍ବାଧିକ ଆକ୍ରାନ୍ତ ପୃଥିବୀର ୩୦ଟି ସହର ମଧ୍ୟରୁ ୧୭ଟି ଭାରତରେ ଅବସ୍ଥିତ, ଯହିଁରେ ମହାନଗରୀଗୁଡ଼ିକ ସହିତ ଦ୍ବିତୀୟ ଦର୍ଜାର ସହର ମଧ୍ୟ ଅନ୍ତର୍ଭୁକ୍ତ। ଏହା ଏବେ ସର୍ବ ଜ୍ଞାତ ଯେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ଜାରି ‘ଗାଇଡଲାଇନ’ ଅନୁସାରେ ‘ଏ.କ୍ୟୁ.ଆଇ.’(ବାୟୁ ଗୁଣମାନ ସୂଚକାଙ୍କ) ସ୍ତର ୫୦ରୁ ୧୦୦ ମଧ୍ୟ ରହିବା ହେଉଛି ମନୁଷ୍ୟ ସ୍ବାସ୍ଥ୍ୟ ଲାଗି ଅନୁକୂଳ, କିନ୍ତୁ ସଂପ୍ରତି ଭାରତର ପ୍ରାୟ ସମସ୍ତ ସହରରେ ଏହି ସ୍ତର ହାରାହାରି ୩୦୦ ପାଖାପାଖି ରହିଥାଏ, ଦିଲ୍ଲୀରେ ଏହା ୮୦୦ ପର୍ଯ୍ୟନ୍ତ ମଧ୍ୟ ଚାଲିଯାଇଥାଏ। ତେଣୁ ପରିସ୍ଥିତି ଯେ ଅତ୍ୟନ୍ତ ଉଦ୍‌ବେଗଜନକ, ତାହା ପ୍ରଶ୍ନାତୀତ। ଇତିମଧ୍ୟରେ, ଦିଲ୍ଲୀରେ ବାୟୁ ପ୍ରଦୂଷଣ ପରିପ୍ରେକ୍ଷୀରେ ସରକାରଙ୍କ ନିଃସ୍ପୃହତା ବିରୋଧରେ ଜନ ଆନ୍ଦୋଳନମାନ ମୁଣ୍ଡ ଟେକୁଛି, ଦିଲ୍ଲୀ ପରିତ୍ୟାଗ କରିବା ଲାଗି ଚିକିତ୍ସକମାନେ ପରାମର୍ଶ ମଧ୍ୟ ଦେଉଛନ୍ତି; କିନ୍ତୁ ବିଡ଼ମ୍ବନାଟି ହେଲା ତିନିଟି କାରଣରୁ ଏହି ଦୁଃସ୍ଥିତି ଦୂର ‌ହେବାର ଆଶା ଅନ୍ତତଃ ବର୍ତ୍ତମାନ ସକାଶେ ଦିଶି ନ ଥାଏ।
ପ୍ରଥମ କାରଣ ସାଧାରଣ ଜନତାଙ୍କ ଦୃଷ୍ଟିଭଙ୍ଗୀ; ଯେଉଁମାନେ ବାୟୁ ପ୍ରଦୂଷଣ ଦ୍ବାରା ସର୍ବାଧିକ ଆକ୍ରାନ୍ତ, ଏହାର ବିପଦ ସଂପର୍କରେ ଅନେକାଂଶରେ ଅବଗତ, କିନ୍ତୁ ଏଥି ନେଇ ଉଦ୍‌ବିଗ୍ନ ହୋଇ ରହିବାର ସଚେତନତା ପ୍ରଦର୍ଶନ କରି ନ ଥାଆନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ନଡ଼ାପୋଡ଼ି ବା ଦୀପାବଳିରେ ବାଣଫୁଟା ଭଳି ବାୟୁ ପ୍ରଦୂଷଣକାରୀ କାର୍ଯ୍ୟରେ ବିନା ସଂକୋଚରେ ଲିପ୍ତ ହୋଇ ପାରନ୍ତି। ‘ଏ.କ୍ୟୁ.ଆଇ.’ର ସତର୍କ ଘଣ୍ଟି ଏମାନଙ୍କ ସକାଶେ ଜଣେ ଧୂମପାୟୀ ଦୃଷ୍ଟିରେ ସିଗାରେଟ ଖୋଳ ଉପରେ ଲିଖିତ ବୈଧାନିକ ସତର୍କତା ଭଳି ନିରର୍ଥକ ହୋଇପାରେ। ଦ୍ବିତୀୟ କାରଣଟି ହେଉଛି ଶିକ୍ଷିତ ଓ ସଚେତନ ମଧ୍ୟମ ଓ ଉଚ୍ଚ ବିତ୍ତୀୟ ବର୍ଗଙ୍କ ଆତ୍ମ-କୈନ୍ଦ୍ରିକତା, ଯେଉଁମାନଙ୍କ ପ୍ରଭାବ ହୁଏତ ନୀତି ନିର୍ଦ୍ଧାରଣକୁ ଦିଗ ଦେଇ ପାରନ୍ତା; ଅଥଚ ସେମାନେ ନିଜ ଲାଗି ନିବୁଜ ଓ ନିରାପଦ ଦୁର୍ଗ ଗଢ଼ିବାରେ ବ୍ୟାପୃତ; ନିଜ ଘର ଓ ଦପ୍ତରରେ ଥିବା ବେଳେ ଏମା‌ନେ ‘ଏୟାର ପ୍ୟୁରିଫାୟର’ ଏବଂ ବିଚରଣ କଲା ବେଳେ ବ୍ୟକ୍ତିଗତ ଯାନର ବ୍ୟବହାର କରନ୍ତି। ତେବେ, ସଚେତନ ହୋଇଥିବାରୁ ଏମାନେ ବୈଠକୀ ଆଲୋଚନା, ଉଚ୍ଚାଟ ଓ ତ୍ବରିତ୍‌ ପଦକ୍ଷେପର ଦାବି ଆଦି କରନ୍ତି ସତ, କିନ୍ତୁ ସେଥିରେ ‘ନ ହେଲେ ନ ଚଳେ’ ଭଳି ବ୍ୟାକୁଳତା ଦିଶି ନ ଥାଏ। କେବଳ ସେତିକି ନୁହେଁ, କୌଣସି ଦୃଢ଼ ଓ ଅପ୍ରୀତିକର ପଦକ୍ଷେପ ସ୍ଥଳେ ଏହି ବର୍ଗ ସାମାନ୍ୟ ତ୍ୟାଗ ସ୍ବୀକାର କରିବାକୁ ହୁଏତ ପ୍ରସ୍ତୁତ ହୋଇ ନ ପାରେ! ତୃତୀୟ କାରଣଟି ହେଉଛି ସମସ୍ୟାକୁ ସ୍ବୀକାର କରିବାକୁ ସରକାରଙ୍କ ଅନାଗ୍ରହ! କାରଣ ତାହା ହୋଇ ନ ଥିଲେ ଗଲା ଡିସେମ୍ବର ୨୫ରେ ପରିବେଶ ସଂକ୍ରାନ୍ତ କେନ୍ଦ୍ର ମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ କହି ନ ଥାଆନ୍ତେ ଯେ ବାୟୁ ପ୍ରଦୂଷଣ ଦ୍ବାରା ମୃତ୍ୟୁ ଘଟିଥାଏ ବୋଲି ନିର୍ଦ୍ଦିଷ୍ଟ ଉପସଂହାର ଉପଲବ୍‌ଧ ନାହିଁ। ଏଣେ, ଅକଳନ୍ତି ଉଚ୍ଚାଙ୍ଗ ଗବେଷଣାର ନିଷ୍କର୍ଷ ଅକାଟ୍ୟ ଭାବେ ପ୍ରମାଣ କରି ଚାଲିଛନ୍ତି ଯେ ଫୁସ୍‌ଫୁସ୍‌ ବା ହୃତ୍‌ପିଣ୍ଡ ବା ବୃକ୍‌କ ଇତ୍ୟାଦି ଭଳି ଗୁରୁତ୍ବପୂର୍ଣ୍ଣ ଅଙ୍ଗମାନ ବିଷାକ୍ତ ବାୟୁ ଓ ତହିଁରେ ଭାସି ବୁଲୁଥିବା ସୂକ୍ଷ୍ମ କଣିକା ବା ‘ପାର୍ଟିକୁଲେଟ ମ୍ୟାଟର’ ଦ୍ବାରା କ୍ଷତିଗ୍ରସ୍ତ ହୋଇ ଅକାଳରେ ରୁଗ୍‌ଣ ଓ ପରିଶେଷରେ ଅଚଳ ହୋଇଯାଆନ୍ତି। ତେଣୁ ମୃତ୍ୟୁର ‘କାରଣ’ ହୁଏତ ଅକ୍ଷମ ଫୁସ୍‌ଫୁସ୍‌ ବା ଅଚଳ ହୃଦ୍‌ଯନ୍ତ୍ର ହୋଇଥାଏ, କିନ୍ତୁ ‘କାରକ’ ହୋଇଥାଏ ବାୟୁର ପ୍ରଦୂଷଣ। ଏହା ମଧ୍ୟ ଶୁଣିବାକୁ ମିଳିଥାଏ ଯେ ଭାରତୀୟମାନଙ୍କ ସକାଶେ ଅନୁକୂଳ ଏକ ସ୍ବତନ୍ତ୍ର ‘ଏ.କ୍ୟୁ.ଆଇ.’ ନିର୍ଣ୍ଣୟ କରିବାକୁ ସରକାର ଚେଷ୍ଟିତ, ଯାହା ହାସ୍ୟାସ୍ପଦ। କହିବା ବାହୁଲ୍ୟ ଯେ ସମସ୍ୟାକୁ ସ୍ବୀକାର କରା ନ ଯିବା ପର୍ଯ୍ୟନ୍ତ ସମାଧାନର ମାର୍ଗ ଉନ୍ମୋଚିତ ହୋଇ ନ ଥାଏ। ଏହା ସତ ଯେ ବାୟୁ ପ୍ରଦୂଷଣ ଭଳି ଏକ ସମସ୍ୟାର ସମାଧାନ ଲାଗି ଦୃଢ଼ ରାଜନୈତିକ ଇଚ୍ଛା ଶକ୍ତି ସହିତ ନାଗରିକମାନଙ୍କ ତ୍ୟାଗ ଓ ଅଂଶୀଦାରି ମଧ୍ୟ ଲୋଡ଼ା। କିନ୍ତୁ ସେଥି ଲାଗି ଏ ଦେଶର ସରକାର ଓ ଜନ ସାଧାରଣ ଉଭୟ ପ୍ରସ୍ତୁତ ତ?
ଗୀତା ଗୋପୀନାଥ ଚିହ୍ନଟ କରିଥିବା ସମସ୍ୟା ହେତୁ ଯେଉଁ ତିନିଟି ଦୁର୍ଦଶା ଦୃଶ୍ୟମାନ ହେବ, ତାହା ଭାରତର ଅର୍ଥନୀତିକୁ ଅଥର୍ବ କରି ଦେଇପାରେ। ବାୟୁ ପ୍ରଦୂଷଣର କୁପ୍ରଭାବ ପ୍ରାୟ ସର୍ବଗ୍ରାସୀ ହୋଇଥିବା କାରଣରୁ ଭାରତର ମାନବ ସମ୍ବଳ ରୁଗ୍‌ଣ ହୋଇ ଉତ୍ପାଦକତାରେ ତୀବ୍ର ବ୍ୟାଘାତ ଘଟିବ। ଦ୍ବିତୀୟ ଦୁର୍ଦଶାଟି ହେଲା ବାୟୁ ପ୍ରଦୂଷଣ ଜନିତ ବ୍ୟାଧିର ବୋଝ ହେତୁ ସରକାରଙ୍କ ରାଜକୋଷରେ ବିପୁଳ କ୍ଷୟ ଘଟିବ। ତୃତୀୟ ଦୁର୍ଦଶାଟି ହେଲା, ବିଦେଶରୁ ଆମ ଦେଶକୁ ପୁଞ୍ଜିର ପ୍ରବାହରେ ସଂକୋଚନ ଘଟିବା ସହିତ ଆମ ଦେଶରୁ ପୁଞ୍ଜିର ପଳାୟନ ଘଟିବ, ଯଦ୍ଦ୍ବାରା ଜାତୀୟ ଅଭିବୃଦ୍ଧି ବାଧାପ୍ରାପ୍ତ ହେବ। ତେଣୁ ଗୀତାଙ୍କ ବାଣୀକୁ କର୍ଣ୍ଣପାତ ନ କରିବା କେବଳ ଅଦୂରଦର୍ଶିତା ହେବ ନାହିଁ, ଆତ୍ମଘାତୀ ମଧ୍ୟ ହୋଇପାରେ!

ସୌଜନ୍ୟ ସମ୍ବାଦ

Exit mobile version