Editorial: ବହିର ଭାଗ୍ୟ

ଏହି ପରିପ୍ରେକ୍ଷୀରେ ‘କାରାଭାନ’ ପତ୍ରିକା ଆଲେଖ୍ୟର ଲେଖକ ସୁଶାନ୍ତ ସିଂହ କହିଥାଆନ୍ତି ଯେ ଲେଖକୀୟ ନୈତିକତା ଦୃଷ୍ଟିରୁ ସେ କୁଆଡ଼େ ‘ଇ-ମେଲ’ ମାଧ୍ୟମରେ ପ୍ରତିରକ୍ଷା ମନ୍ତ୍ରାଳୟକୁ ଏ ସଂଦର୍ଭରେ ଜଣାଇ ସେଠାରୁ ପ୍ରତିକ୍ରିୟା ଲୋଡ଼ିଥିଲେ....

ଏହି ପରିପ୍ରେକ୍ଷୀରେ ‘କାରାଭାନ’ ପତ୍ରିକା ଆଲେଖ୍ୟର ଲେଖକ ସୁଶାନ୍ତ ସିଂହ କହିଥାଆନ୍ତି ଯେ ଲେଖକୀୟ ନୈତିକତା ଦୃଷ୍ଟିରୁ ସେ କୁଆଡ଼େ ‘ଇ-ମେଲ’ ମାଧ୍ୟମରେ ପ୍ରତିରକ୍ଷା ମନ୍ତ୍ରାଳୟକୁ ଏ ସଂଦର୍ଭରେ ଜଣାଇ ସେଠାରୁ ପ୍ରତିକ୍ରିୟା ଲୋଡ଼ିଥିଲେ, ଯାହା କିନ୍ତୁ ଅନୁତ୍ତରିତ ହୋଇ ରହିଯାଇଥିଲା। ଦ୍ବିତୀୟ କଥା ହେଲା ଜଣେ ପୂର୍ବତନ ସେନାଧ୍ୟକ୍ଷଙ୍କ ଦ୍ବାରା ରଚିତ ପୁସ୍ତକକୁ ଏତେ ଦୀର୍ଘ କାଳ ପକେଇ ନ ରଖି ତହିଁରେ ଆବଶ୍ୟକ ସଂଶୋଧନ ଘଟାଇ ପ୍ରକାଶନର ଅନୁମତି ପ୍ରଦାନ କରିବା ବୁଦ୍ଧିମାନର କାର୍ଯ୍ୟ ‌ହୋଇଥାଆନ୍ତା। ସୁଶାନ୍ତଙ୍କ ମତରେ କୈୖଂବଦନ୍ତୀୟ ସରକାରୀ ଅବହେଳା, ନିଷ୍ପତ୍ତି ନେବାରେ ମନ୍ଥରତା ଏହି ପ୍ରକରଣରେ ମଧ୍ୟ ପରିଲକ୍ଷିତ!

ପୂର୍ବତନ ସେନାଧ୍ୟକ୍ଷ ଏମ.ଏମ. ନରବଣେଙ୍କ ଦ୍ବାରା ଲିଖିତ ‘ଫୋର୍‌ ଷ୍ଟାର୍‌ସ ଅଫ ଡେଷ୍ଟିନି’ (ଭାଗ୍ୟର ଚାରିଟି ତାରା) ହେଉଛି ସମ୍ଭବତଃ ଏଭଳି ପ୍ରଥମ ପୁସ୍ତକ, ଯାହା ବିଧିବଦ୍ଧ ଭାବେ ପ୍ରକାଶିତ ହୋଇ ନ ଥିଲେ ସୁଦ୍ଧା ଅନେକଙ୍କ ଦ୍ବାରା ପଠିତ, ଗଣମାଧ୍ୟମ ଓ ଲୋକକ୍ଷେତ୍ରରେ ବିପୁଳ ଭାବେ ଆଲୋଚିତ ଏବଂ ଏକ ତୀବ୍ର ରାଜନୈତିକ ବିବାଦର କେନ୍ଦ୍ରସ୍ଥ ହୋଇଛି। ଏହାକୁ ପଢ଼ିଥିବା ପାଠକପାଠିକାଙ୍କ ମତରେ ଗଭୀର ଅନ୍ତର୍ଦୃଷ୍ଟି ସଂପନ୍ନ ଏହି ଆତ୍ମଜୀବନୀମୂଳକ ପୁସ୍ତକର ଶତକଡ଼ା ୯୦ ଅଂଶ ଜଣେ ‌ତରୁଣ ସେନା କ୍ୟାଡେଟ୍‌ର ଏନ.ଡି.ଏ.ରୁ ପ୍ରାରମ୍ଭ ଜୀବନ ଯାତ୍ରାକୁ ନେଇ ଗଢ଼ିଉଠିଛି, ଯାହା ଅବଲୀଳା କ୍ରମେ ‘ଚାରିଟି ତାରକା’ ଖଚିତ ସେନା ବାହିନୀର ସର୍ବୋଚ୍ଚ ପଦରେ ସମାପ୍ତ ହୋଇଛି। ତେବେ ଏଭଳି ଏକ ପୁସ୍ତକ କେଉଁ କାରଣରୁ ବିବାଦୀୟ ହୋଇପଡ଼ିଲା, ତାହା ଏକ କ୍ଷୁଦ୍ର ଆଲୋଚନାର ବିଷୟବସ୍ତୁ ହୋଇପାରେ।
ପ୍ରକାଶ ଥାଉ କି ଲେଖା ହେବା ପରେ ଏହି ପୁସ୍ତକ ପ୍ରକାଶନ ସକାଶେ ଅନୁମୋଦନ ଲାଗି ୨୦୨୩ ମସିହାରୁ ପ୍ରତିରକ୍ଷା ମନ୍ତ୍ରାଳୟ ଠାରେ ପ୍ରତୀକ୍ଷାରତ। ଏଣେ ଏହାର ପ୍ରକାଶନ ସଂସ୍ଥା ‘ପେଙ୍ଗୁଇନ ରାଣ୍ଡମ ହାଉସ’ ଏହି ଧାରଣାର ବଶବର୍ତ୍ତୀ ହୋଇ ପ୍ରାକ୍‌-ପ୍ରକାଶନ କପିର ଅର୍ଡର ନେବା ଆରମ୍ଭ କରି ସାରିଥିଲେ ଯେ ନରବଣେଙ୍କ ଭଳି ଅତୁଲ୍ୟ ଗରିମାସଂପନ୍ନ କ୍ୟାରିଅରର ଅଧିକାରୀ ଜଣେ ପ୍ରାକ୍ତନ ସେନାଧ୍ୟକ୍ଷଙ୍କ ଆତ୍ମଜୀବନୀର ପ୍ରକାଶନ ପଥରେ କୌଣସି ପ୍ରତିବନ୍ଧକ ସୃଷ୍ଟି ହେବ ନାହିଁ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଷ୍ଟ୍ରର ନିରାପତ୍ତା ଦୃଷ୍ଟିରୁ ସାମରିକ ବାହିନୀର କୌଣସି ପୂର୍ବତନ କର୍ମଚାରୀଙ୍କ ଦ୍ବାରା ରଚିତ ପୁସ୍ତକମାନ ଏହି ଭଳି ଅନୁମୋଦନ ଲୋଡ଼ିଥାଆନ୍ତି। ‘ଇଣ୍ଡିଆନ ଏକ୍‌ସପ୍ରେସ’ର ଏକ ସମ୍ବାଦ ଅନୁସାରେ ୨୦୨୦ରୁ ୨୦୨୪ ମସିହା ପର୍ଯ୍ୟନ୍ତ ସମୟ ଖଣ୍ଡରେ ଏଭଳି ୩୫ଟି ପୁସ୍ତକ ଅନୁମୋଦନ ଚାହିଥିବା ବେଳେ କେବଳ ନରବଣେଙ୍କ ପୁସ୍ତକ ବ୍ୟତୀତ ଅବଶିଷ୍ଟ ୩୪ଟିକୁ ଅନୁମୋଦନ ମିଳିଯାଇଥିଲା; ଏପରିକି ତାଙ୍କ ଦ୍ବାରା ରଚିତ ଏକ ରହସ୍ୟଧର୍ମୀ ଉପନ୍ୟାସ ‘ଦ କାଣ୍ଟନମେଣ୍ଟ କନ୍‌ସପି‌େରସି’ ଇତିମଧ୍ୟରେ ପ୍ରକାଶିତ ହୋଇ ସାରିଲାଣି। ତେବେ ପ୍ରଶ୍ନ ଉଠିଥାଏ କେଉଁ କାରଣରୁ ନରବଣେଙ୍କ ରଚନା ଅପ୍ରକାଶିତ ହୋଇ ପଡ଼ି ରହିଛି? ଏହାକୁ ପଢ଼ିଥିବା ଲୋକେ ଲେଖାର ଦୁଇଟି ଅଂଶକୁ ଏହାର କାରଣ ଭାବେ ଦର୍ଶାନ୍ତି; ଗୋଟିଏରେ ରହିଛି ସରକାରଙ୍କ ଦ୍ବାରା ସଂସ୍କାରଧର୍ମୀ ଯୋଜନା ଭାବେ ପ୍ରଦର୍ଶିତ ‘ଅଗ୍ନିବୀର’ ଯୋଜନାକୁ ଜେନେରାଲ ନରବଣେଙ୍କ ନାପସନ୍ଦ ଓ ମୃଦୁ ସମାଲୋଚନା ଏବଂ ଅନ୍ୟଟିରେ ରହିଛି ୨୦୨୧ ମସିହାର ଗଲୱାନ ସଂଘର୍ଷ ପରିପ୍ରେକ୍ଷୀରେ ସରକାରଙ୍କ ପକ୍ଷରୁ ନରବଣେଙ୍କୁ ପ୍ରାପ୍ତ ଏକ ସଂଶୟାଚ୍ଛନ୍ନ ପରାମର୍ଶ ବିଷୟରେ ବର୍ଣ୍ଣନା, ଯାହା ସମ୍ଭବତଃ ସରକାରଙ୍କ ସକାଶେ ଅତ୍ୟନ୍ତ ସ୍ପର୍ଶକାତର ହୋଇଛି। ସେହି ବର୍ଣ୍ଣନା ଅନୁସାରେ ଆକ୍ରମଣାତ୍ମକ ଆଭିମୁଖ୍ୟ ନେଇ ଚୀନା ଟ୍ୟାଙ୍କ ଭାରତ ଆଡ଼କୁ ମାଡ଼ି ଆସୁଥିବା ଦେଖି ଜେନେରାଲ ନରବଣେ କୁଆଡ଼େ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ତାଙ୍କ ସକାଶେ କ’ଣ କରଣୀୟ ବୋଲି ପରାମର୍ଶ ଲୋଡ଼ିଥିଲେ, ଯାହାର ଉତ୍ତର ସ୍ବରୂପ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା ପରେ ପ୍ରତିରକ୍ଷା ମନ୍ତ୍ରୀ ଧାଡ଼ିଏ ମାତ୍ର ଜଣାଇଥିଲେ ଯେ ‘ଯାହା ଉଚିତ, ତାହା କର’। ସଂପ୍ରତି ଏହି ବାକ୍ୟର ବ୍ୟାଖ୍ୟା କରିବାରେ ସରକାରଙ୍କ ସପକ୍ଷବାଦୀ ଓ ବିରୋଧୀଙ୍କ ମଧ୍ୟରେ ତୀବ୍ର ମତ ପାର୍ଥକ୍ୟ ଦିଶୁଛି। ସରକାରଙ୍କ ପକ୍ଷଭୁକ୍ତମାନଙ୍କ ମତରେ ଏହି ବାକ୍ୟଟି ସହିତ ଜେନେରାଲ ନରବଣେଙ୍କୁ କାର୍ଯ୍ୟାନୁଷ୍ଠାନ କରିବାର ଅଙ୍କୁଶହୀନ ସ୍ବାଧୀନତା ପ୍ରଦାନ କରାଯାଇଥିଲା। କିନ୍ତୁ, ବିରୋଧୀମାନେ କହିଥାଆନ୍ତି ଯେ ଏକ ଘଡ଼ିସନ୍ଧି କ୍ଷଣରେ ଦୃଢ଼ ନିଷ୍ପତ୍ତି ନେବାରେ ଅସମର୍ଥ କୌଣସି ସରକାର ଠାରୁ କେବଳ ଏଭଳି ବାକ୍ୟ ନିସୃତ ହୋଇପାରେ; କାରଣ କୋଭିଡ ପାନଡେମିକ କାଳୀନ ଭାରତର ଆର୍ଥିକ ସ୍ଥିତି ଏବଂ ଦେଶର ଆନ୍ତର୍ଜାତିକ ସଂପର୍କର ସୂକ୍ଷ୍ମ ସମୀକରଣ ଇତ୍ୟାଦି ଘେନି ଜଣେ ସେନାଧ୍ୟକ୍ଷ ଅଜ୍ଞ ରହିବା ସ୍ବାଭାବିକ; ଯେଉଁଥି ପାଇଁ ଏଭଳି ସନ୍ଧିକ୍ଷଣରେ ସରକାରଙ୍କ ଠାରୁ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶକୁ ସାମରିକ ବାହିନୀ ଚାହି ଥାଆନ୍ତି। ତେବେ, ସେ ଯାହା ହେଉ, ଏ ସଂଦର୍ଭରେ ପ୍ରଶ୍ନଟି ହେଉଛି ଉଭୟ ସପକ୍ଷ ଓ ବିପକ୍ଷ ଗୋଷ୍ଠୀଙ୍କ ଦ୍ବାରା ସେହି ବାକ୍ୟଟିର ଅର୍ଥାନ୍ତର ସମତୁଲ ଭାବେ ତର୍କ-ସମ୍ମତ ବୋଧ ହେଉଥିଲେ ହେଁ ବିବାଦଟିରେ ସରକାର ରକ୍ଷାତ୍ମକ ମୁଦ୍ରାରେ ଦିଶିଲେ କାହିଁକି?

ଏହାର କାରଣ ହେଲା ଚଳିତ ବଜେଟ ଅଧିବେଶନରେ ରାଷ୍ଟ୍ରପତିଙ୍କ ଭାଷଣ ଉପରାନ୍ତ ବିତର୍କ କାଳରେ ଉପରୋକ୍ତ ରଚନାର ଶଂସିତ ଅଂଶକୁ ଗୃହରେ ପଢ଼ି ଶୁଣାଇବାକୁ ବିରୋଧୀ ଦଳର ନେତା ରାହୁଳ ଗାନ୍ଧୀଙ୍କୁ ଅନୁମତି ଦିିଆଯାଇ ନ ଥିଲା ଏବଂ ଏଥିରେ ଲୋକସଭାର ବାଚସ୍ପତି, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଓ ଗୃହ ମନ୍ତ୍ରୀ ବିଶେଷ ଭୂମିକା ନିର୍ବାହ କରିଥିଲେ। ଏହି କାରଣରୁ ସୃଷ୍ଟ ହଟ୍ଟଗୋଳ ହେତୁ ଗୃହକୁ ବାରମ୍ବାର ମୁଲତବୀ କରାଯାଇଥିଲା। ସାଧରଣ ଜ୍ଞାନ କହିଥାଏ ଯେ ରାହୁଳ ଗାନ୍ଧୀଙ୍କୁ ଅନୁମତି ମିଳି ଯାଇଥିଲେ ହୁଏତ ଏ ସଂଦର୍ଭରେ ଘୋର ତର୍କ-ବିତର୍କ ସୃଷ୍ଟି ହୁଅନ୍ତା; କିନ୍ତୁ ଧାରଣାଟିଏ ସୃଷ୍ଟି ହୋଇ ନ ଥାଆନ୍ତା ଯେ ସରକାର ଭୟଭୀତ ବା କିଛି ଲୁଚାଇବାକୁ ଉଦ୍‌ଗ୍ରୀବ। ପ୍ରକାଶ ଥାଉ କି ରାହୁଳ ଗାନ୍ଧୀ ପଢ଼ିବାକୁ ଦାବି କରୁଥିବା ସେହି ଅପ୍ରକାଶିତ ଆତ୍ମଜୀବନୀର ଅଂଶଟି ‘କାରାଭାନ’ ନାମକ ପତ୍ରିକାରେ ଛପିଥିବା ଏକ ଆଲେଖ୍ୟରେ ସ୍ଥାନିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ସରକାରୀ ପକ୍ଷଙ୍କ ଯୁକ୍ତି ଥିଲା ଏହା ଯେ ପତ୍ରିକାରେ ସ୍ଥାନିତ ଅଂଶ ନିର୍ଭରଯୋଗ୍ୟ ସୂତ୍ରରୁ ଆସିନାହିଁ, କାରଣ ପୁସ୍ତକଟି ଅପ୍ରକାଶିତ; ତେଣୁ, ଅନୁପଲବ୍‌ଧ। କିନ୍ତୁ, ଇତିମଧ୍ୟରେ ରାହୁଳ ଗାନ୍ଧୀ ଉକ୍ତ ପୁସ୍ତକର ଗୋଟିଏ କପି ସମସ୍ତଙ୍କୁ ଦେଖାଇ ହୃଦ୍‌ବୋଧ କରାଇ ଦେଇଛନ୍ତି ଯେ ସରକାରଙ୍କ ଧାରଣା ଭ୍ରମାତ୍ମକ ଏବଂ ମୁଦ୍ରିତ ହୋଇସାରିଥିବା କିଛି କପି ସନ୍ତର୍ପଣରେ ଔପଚାରିକ ପ୍ରକାଶନକୁ ଅତିକ୍ରମ କରି ଲୋକକ୍ଷେତ୍ରରେ ଚଲାବୁଲା କଲେଣି। ଅବଶ୍ୟ, ଏହାର ପ୍ରତିକ୍ରିୟାମୂଳକ କାର୍ଯ୍ୟାନୁଷ୍ଠାନ ସ୍ବରୂପ ‘ପେଙ୍ଗୁଇନ ରାଣ୍ଡମ ହାଉସ’ର ଦପ୍ତର ଉପରେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ‘ଲିକ୍‌’ର ସୂତ୍ରଧରଙ୍କୁ ଠାବ କରିବାର ଉଦ୍ୟମ ହେଲାଣି; କିନ୍ତୁ ଏହା ଦ୍ବାରା ସରକାରଙ୍କ ଅସ୍ବସ୍ତି ମୋଚନର ବିଶେଷ ସମ୍ଭାବନା ନାହିଁ।
ଏହି ପରିପ୍ରେକ୍ଷୀରେ ‘କାରାଭାନ’ ପତ୍ରିକା ଆଲେଖ୍ୟର ଲେଖକ ସୁଶାନ୍ତ ସିଂହ କହିଥାଆନ୍ତି ଯେ ଲେଖକୀୟ ନୈତିକତା ଦୃଷ୍ଟିରୁ ସେ କୁଆଡ଼େ ‘ଇ-ମେଲ’ ମାଧ୍ୟମରେ ପ୍ରତିରକ୍ଷା ମନ୍ତ୍ରାଳୟକୁ ଏ ସଂଦର୍ଭରେ ଜଣାଇ ସେଠାରୁ ପ୍ରତିକ୍ରିୟା ଲୋଡ଼ିଥିଲେ, ଯାହା କିନ୍ତୁ ଅନୁତ୍ତରିତ ହୋଇ ରହିଯାଇଥିଲା। ଦ୍ବିତୀୟ କଥା ହେଲା ଜଣେ ପୂର୍ବତନ ସେନାଧ୍ୟକ୍ଷଙ୍କ ଦ୍ବାରା ରଚିତ ପୁସ୍ତକକୁ ଏତେ ଦୀର୍ଘ କାଳ ପକେଇ ନ ରଖି ତହିଁରେ ଆବଶ୍ୟକ ସଂଶୋଧନ ଘଟାଇ ପ୍ରକାଶନର ଅନୁମତି ପ୍ରଦାନ କରିବା ବୁଦ୍ଧିମାନର କାର୍ଯ୍ୟ ‌ହୋଇଥାଆନ୍ତା। ସୁଶାନ୍ତଙ୍କ ମତରେ କୈୖଂବଦନ୍ତୀୟ ସରକାରୀ ଅବହେଳା, ନିଷ୍ପତ୍ତି ନେବାରେ ମନ୍ଥରତା ଏହି ପ୍ରକରଣରେ ମଧ୍ୟ ପରିଲକ୍ଷିତ!
‘ଫୋର ଷ୍ଟାର୍‌ସ ଅଫ ଡେଷ୍ଟିନି’ ଯେ ଏଭଳି ବିବାଦୀୟ ହୋଇପଡ଼ିବ, ସେ ଧାରଣା କସ୍ମିନ କାଳେ ଜେନେରାଲ ନରବଣେଙ୍କ ମୁଣ୍ଡରେ ସୃଷ୍ଟି ହୋଇ ନ ଥିବ। ବିଶିଷ୍ଟ କଲମ୍ବୀୟ ଲେଖକ ତଥା ସାହିତ୍ୟରେ ନୋବେଲ ପୁରସ୍କାର ବିଜେତା ଗାବ୍ରିଏଲ ଗାର୍ସିଆ ମାର୍କ୍ବେଜ ତାଙ୍କ ଗଳ୍ପ ସଂକଳନ ‘ଦ ଷ୍ଟ୍ରେଂଜ ପିଲଗ୍ରିମ୍‌ସ’ର ପ୍ରକାଶନ ସଂଦର୍ଭରେ କହିଥିଲେ ଓ ଲେଖିଥିଲେ ଯେ ଏକ ଇଚ୍ଛାର ବୀଜ ରୂପେ ଗର୍ଭସ୍ଥ ହେବା ଠାରୁ ଆରମ୍ଭ କରି ପ୍ରକାଶିତ ହୋଇ ବିକ୍ରି ହେବା ପର୍ଯ୍ୟନ୍ତ ପ୍ରତ୍ୟେକ ପୁସ୍ତକ ନିର୍ଦ୍ଦିଷ୍ଟ ଭାଗ୍ୟ ନେଇ ଜନ୍ମ ନିଅନ୍ତି। ସେହି ଭାଗ୍ୟର ଅବବୋଧ ମିଳିଥାଏ ଏହି ଘଟଣାରୁ ଯେ ମାକ୍‌ସ ବ୍ରଡ ତାଙ୍କ ଘନିଷ୍ଠ ବନ୍ଧୁ ଫ୍ରାନ୍‌ଜ କାଫକାଙ୍କ ଅନ୍ତିମ ଅନୁରୋଧକୁ ଅମାନ୍ୟ କରି ତାଙ୍କ ମୃତ୍ୟୁ ପରେ ପାଣ୍ଡୁଲିପିଗୁଡ଼ିକୁ ନଷ୍ଟ କରିଦେବା ପରିବର୍ତ୍ତେ ପ୍ରକାଶ କରି ଦେଇଥିବାରୁ ମାନବ ଜାତି କିଛି ସର୍ବକାଳୀନ ଶ୍ରେଷ୍ଠତମ ପୁସ୍ତକ ପଢ଼ିବାର ସୌଭାଗ୍ୟ ପାଏ। କାଫକାଙ୍କ ପୁସ୍ତକଗୁଡ଼ିକର ଭାଗ୍ୟ ଯେ ମାନବ ଜାତି ବଞ୍ଚିଥିବା ପର୍ଯ୍ୟନ୍ତ ସେମାନେ ମଧ୍ୟ ଅନ୍ତର୍ହିତ ହେବେ ନାହିଁ! ଜେନେରାଲ ନରବଣେଙ୍କ ପୁସ୍ତକଟି ମଧ୍ୟ ଏକ ବିରଳ ଭାଗ୍ୟ ନେଇ ଜନ୍ମ ଲାଭ କରିଛି, ଯେଉଁ କାରଣରୁ ପ୍ରକାଶିତ ହେବା ପୂର୍ବରୁ ତାହା ପ୍ରସାରିତ ହେଲାଣି, ଏପରିକି ବହୁଳ ଭାବେ ପଠିତ ହେବାର ସମ୍ଭାବନା ମଧ୍ୟ ସୃଷ୍ଟି କଲାଣି; କିନ୍ତୁ ଏଣେ ନରବଣେଙ୍କ ଭଳି ଜଣେ ଦକ୍ଷ ସେନାଧିକାରୀ ଓ ଅମଳିନ ବ୍ୟକ୍ତିତ୍ବଙ୍କୁ ଅନାବଶ୍ୟକ ରାଜନୈତିକ ବିବାଦରେ ଛନ୍ଦି ଦେଲାଣି।

ସୌଜନ୍ୟ ସମ୍ବାଦ

Exit mobile version