ଜୀବନ ଜିଇଁବାର ଜଞ୍ଜାଳ ମଧ୍ୟରେ ଗଭୀର ସତ୍ୟଟି ହେଉଛି ନିଜର ମୂଲ୍ୟବୋଧ ସହିତ ସମନ୍ବୟ ରକ୍ଷାକରି ବଞ୍ଚିବାର ମହତ୍ତ୍ବ। ଦୁନିଆର ଆମଠାରୁ ଆବଶ୍ୟକତା କ’ଣ ସେକଥା ନ ପଚାରି ଦୁନିଆକୁ ଆମେ ଜଣାଇଦେବା କଥା ଯେ, କ’ଣ ଓ କିଏ ଆମକୁ ଜୀବନ୍ତ ଓ ସତେଜ ରଖିଛି। ନିଜସ୍ବ ମୂଲ୍ୟବୋଧ ହିଁ ଆମକୁ ଉଦ୍ଦେଶ୍ୟଟିଏ ନେଇ ଜିଇଁବାର ପ୍ରେରଣା ଦିଏ। ଦୁନିଆର ସମସ୍ତ ଆବଶ୍ୟକତାକୁ ପୂରଣ କରିବାକୁ ଚେଷ୍ଟା କଲେ ପଥପ୍ରଦର୍ଶକ ନିଜେ ପଥ ହୁଡ଼ିଯିବ। ତେଣୁ ନିଜସ୍ବ ପଥରେ ଚାଲିବା କେବଳ ଏକ ପସନ୍ଦ ନୁହେଁ, ନିଜ ପ୍ରତି ଓ ନିଜର ମୂଲ୍ୟବୋଧ ପ୍ରତି ବିଶ୍ବସ୍ତ ହେବା ପାଇଁ ଏକ ପ୍ରତିବଦ୍ଧତା। କୁହାଯାଏ, ‘ମାଇଣ୍ଡ ୟୋର୍ ଓନ୍ ବିଜନେସ୍’। ନିଜ କଥା ନିଜେ ଦେଖ। ତେଣୁ ଯେଉଁ କାର୍ଯ୍ୟ କରିବାକୁ ଆମେ ନିର୍ଦ୍ଦେଶିତ ସେଥିରେ ଲାଗି ରହିବା ହିଁ ଶ୍ରେୟ। ଏ ସାରା ଜଗତ ଆଜି ନୃତ୍ୟରତ ସାପ ନଚାଳିମାନଙ୍କର ନୃତ୍ୟରେ ଝଙ୍କୃତ। ନିର୍ଦ୍ଧାରିତ କର୍ତ୍ତବ୍ୟକୁ ଆମେ ବିସ୍ମରି ଗଲେଣି କାହିଁ କେବେଠାରୁ। ନିଜ ନିଜ ବୀଣାର ତାନରେ ସମସ୍ତେ ଏଠାରେ ନୃତ୍ୟରତ। ସେ ବୀଣାର ତାନ ହେଉଛି ଲୋଭର, ମୋହର ଓ ସ୍ବାର୍ଥର। ଭୂଲୁଣ୍ଠିତ ଗଣ-ବ୍ୟକ୍ତିତ୍ବର ଭଗ୍ନ ମଞ୍ଚ ଉପରେ ସାପୁଆର ନୃତ୍ୟ ଏମିତି ଚାଲିଛି ଓ ଚିରକାଳ ଚାଲିଥିବ ଏବଂ ମୂଳ ପ୍ରଶ୍ନଟି ତଥାପି ରହିଥିବ ଅନୁତ୍ତରିତ: “କ୍ୟୁଁ ନାଚେ ସପେରା?”
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୩୩୭୬୪୮୬୩୮