ରାଜ୍ୟ

Education: ହାଇସ୍କୁଲରେ ଧନ୍ଦାମୂଳକ ଶିକ୍ଷା ବାଟବଣା: ପିଲାଙ୍କ ପ୍ରାକ୍ଟିକାଲ୍‌, ଇଣ୍ଡଷ୍ଟ୍ରି ଭିଜିଟ୍‌, ଗେଷ୍ଟ ଲେକଚର୍‌ ବନ୍ଦ

୧୮ରୁ ୪୫ ବର୍ଷ ବୟସରେ ନିଯୁକ୍ତିପତ୍ର ପାଇବେ। ସେହି ୪୫ ବର୍ଷ ବୟସରେ ଅବସର ଗ୍ରହଣ କରିବେ। କଥାଟା ଅଡ଼ୁଆ ଲାଗୁଥିଲେ ମଧ୍ୟ ରାଜ୍ୟର ସରକାରୀ ଉଚ୍ଚବିଦ୍ୟାଳୟ(ହାଇସ୍କୁଲ)ରେ ଚୁକ୍ତିରେ ନିୟୋଜିତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ କ୍ଷେତ୍ରରେ ଏଭଳି ଅଜବ ନିୟମ ଲାଗୁ ହୋଇଛି।

ଭୁବନେଶ୍ବର: ୧୮ରୁ ୪୫ ବର୍ଷ ବୟସରେ ନିଯୁକ୍ତିପତ୍ର ପାଇବେ। ସେହି ୪୫ ବର୍ଷ ବୟସରେ ଅବସର ଗ୍ରହଣ କରିବେ। କଥାଟା ଅଡ଼ୁଆ ଲାଗୁଥିଲେ ମଧ୍ୟ ରାଜ୍ୟର ସରକାରୀ ଉଚ୍ଚବିଦ୍ୟାଳୟ(ହାଇସ୍କୁଲ)ରେ ଚୁକ୍ତିରେ ନିୟୋଜିତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ କ୍ଷେତ୍ରରେ ଏଭଳି ଅଜବ ନିୟମ ଲାଗୁ ହୋଇଛି। ନିୟମକୁ କେତେକ ବିଦ୍ୟାଳୟରେ କାର୍ଯ୍ୟକାରୀ ମଧ୍ୟ କରାଯାଇଛି। ୨୦୨୬-୨୭ ଶିକ୍ଷାବର୍ଷରେ ୧୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ୪୫ ବର୍ଷ ପୂରଣ କରିଥିବାରୁ ଅବସର ନେଲେଣି। ଚଳିତ ଶିକ୍ଷାବର୍ଷ ଶେଷ ବେଳକୁ ଆଉ କିଛି ଶିକ୍ଷକ ଶିକ୍ଷୟିତ୍ରୀ ଅବସର ଗ୍ରହଣ କରିବେ। ସରକାରୀ ନିୟମରେ ନିଯୁକ୍ତି ବୟସରେ କୋହଳ ହେଉଥିବା ବେଳେ ଅବସର ବୟସରେ କାହିଁକି ଏଭଳି ନିୟମ ହୋଇଛି ତାହାକୁ ନେଇ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଶ୍ନ ଉଠାଇଛନ୍ତି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଗୋଟିଏ ପଟେ ଧନ୍ଦାମୂଳକ ଶିକ୍ଷାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରାଥମିକତା ଦେଉଛନ୍ତି। ଜାତୀୟ ଶିକ୍ଷା ନୀତି(ଏନ୍‌ଇପି)ରେ ବି ଧନ୍ଦାମୂଳକ ଶିକ୍ଷାକୁ ସ୍ଥାନ ଦିଆଯିବା ସହ ଅଧିକରୁ ଅଧିକ ପିଲାଙ୍କୁ ଯୋଡ଼ିବାକୁ ସୁଯୋଗ ଦିଆଯାଉଛି। ନୂଆ ନୂଆ ପାଠ୍ୟକ୍ରମ ଖୋଲୁଛି। ତା’ପରେ ବି ଆଜି ପର୍ଯ୍ୟନ୍ତ ହାଇସ୍କୁଲ ସ୍ତରରେ ଧନ୍ଦାମୂଳକ ଶିକ୍ଷା ଠିକ୍‌ ଭାବେ ଦିଆଯାଇପାରୁ ନାହିଁ। ଦରମା ନ ମିଳିବାରୁ କେବେ ଶିକ୍ଷକ ଶିକ୍ଷୟିତ୍ରୀ ରାଜରାସ୍ତାକୁ ଓହ୍ଲାଉଛନ୍ତି ତ ଆଉ କେବେ ଠିକା ସଂସ୍ଥା ବଦଳୁଛି। ଏମିତିକି ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ, ଇଣ୍ଡଷ୍ଟ୍ରି ଭିଜିଟ୍‌, ଗେଷ୍ଟ ଲେକଚର୍‌ ଭଳି କାର୍ଯ୍ୟକ୍ରମ ବନ୍ଦ ହୋଇଗଲାଣି। ଧନ୍ଦାମୂଳକ ଶିକ୍ଷାକୁ ତୃତୀୟ ଅପ୍‌ସନାଲ୍‌ ଭାବେ ଗ୍ରହଣ କରି ୯ମ ଓ ୧୦ମ ଶ୍ରେଣୀରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଏମିତି ସମସ୍ୟା ଉପୁଜିଛି। ପିଲାଙ୍କ ଭବିଷ୍ୟତକୁ ନେଇ ଅଭିଭାବକ ଏବେ ଚିନ୍ତାରେ। ପ୍ରଧାନଶିକ୍ଷକମାନେ ହାତ ଟେକି ଦେଇଛନ୍ତି। ଜିଲ୍ଲା ଓ ବ୍ଲକ୍‌ ଶିକ୍ଷା ଅଧିକାରୀମାନେ ମଧ୍ୟ ଉଚ୍ଚପଦସ୍ଥ ଅଧିକାରୀ ଯାହା ନିଷ୍ପତ୍ତି ନେବେ କହି ନିଜ ମୁଣ୍ଡରୁ ଦୋଷ ଖସାଉଛନ୍ତି।
ରାଜ୍ୟର ୧୫୦୦ରୁ ଅଧିକ ସରକାରୀ ହାଇସ୍କୁଲରେ ୩,୧୦୦ ଜଣ ଧନ୍ଦାମୂଳକ ଶିକ୍ଷକ ୨୦୧୬ରୁ ଘରୋଇ କମ୍ପାନି ଅଧୀନରେ ନିଯୁକ୍ତି ପାଇ କାର୍ଯ୍ୟ କରୁଛନ୍ତି।

ପିଲାଙ୍କ ପ୍ରାକ୍ଟିକାଲ୍‌, ଇଣ୍ଡଷ୍ଟ୍ରି ଭିଜିଟ୍‌, ଗେଷ୍ଟ ଲେକଚର୍‌ ବନ୍ଦ
୭ ମାସ ହେଲା ଦରମା ପାଇନାହାନ୍ତି ଶିକ୍ଷକ ଶିକ୍ଷୟିତ୍ରୀ
ଅଜବ ନିୟମ: ୪୫ ବର୍ଷରେ ନିଯୁକ୍ତି, ୪୫ ବର୍ଷରେ ଅବସର

ସମାନ କାମକୁ ସମାନ ଦରମା, ଚାକିରିର ସର୍ତ୍ତାବଳୀ, ନିୟମିତ ଦରମା ପ୍ରଦାନ ସହ ପାରିଶ୍ରମିକ ବୃଦ୍ଧି, ଧନ୍ଦାମୂଳକ ଶିକ୍ଷାର ଘରୋଇକରଣ ବନ୍ଦ, କମ୍ପାନି ବଦଳରେ ରାଜ୍ୟ ସରକାର ଶିକ୍ଷକମାନଙ୍କ ଦାୟିତ୍ବ ନେବାକୁ ବହୁଦିନ ହେଲା ଦାବି ହେଉଛି। ମାତ୍ର ରାଜ୍ୟ ସରକାର ଧନ୍ଦାମୂଳକ ଶିକ୍ଷକଙ୍କ ପାଇଁ ନିର୍ଦ୍ଦିଷ୍ଟ ଶିକ୍ଷାନୀତି ଆଣୁନାହାନ୍ତି। ଯେଉଁଥିପାଇଁ ଶିକ୍ଷକମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏହି ପାଠ୍ୟକ୍ରମ ପରିଚାଳନା କରିବାକୁ ୨୪ଟି ଭୋକେସନାଲ୍‌ ଟ୍ରେନିଂ ପାର୍ଟନର(ଯାହାକି ବିଭିନ୍ନ ଘରୋଇ କମ୍ପାନି)ଙ୍କୁ ଦାୟିତ୍ୱ ଦିଆଯାଇଛି। କେଉଁ ସଂସ୍ଥା ମାସିକ ୧୫ ହଜାର ପାରିଶ୍ରମିକ ଦେଉଛି ତ ଆଉ କିଏ ୪ ମାସକୁ ଥରେ ଦରମା ଦେଉଛି। ଯେତେବେଳେ କି ଅନ୍ୟାନ୍ୟ ରାଜ୍ୟରେ ସର୍ବନିମ୍ନ ୩୫ ହଜାର ଟଙ୍କା ଦରମା ମିଳୁଛି। ଏତେ କମ୍‌ ଅର୍ଥରେ ପରିବାର ପ୍ରତିପୋଷଣ କରିବା ସମ୍ଭବପର ହେଉନାହିଁ। ଏବେ ୪୫ ବର୍ଷରେ ଅବସର ଛାଟ ବୃତ୍ତିଗତ ଶିକ୍ଷା ଗ୍ରହଣ କରିଥିବା ଉଚ୍ଚଶିକ୍ଷିତ ଯୁବକଯୁବତୀଙ୍କ ପେଟରେ ନାତ ମାରିବା ଭଳି ପରିସ୍ଥିତି ସୃଷ୍ଟି କରିଛି। ଏହାଦ୍ବାରା ରାଜ୍ୟର ପ୍ରାୟ ୩ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହେବାକୁ ଯାଉଛି। ଭୋକେସନାଲ୍‌ ଟ୍ରେନର୍ସ ଆସୋସିଏସନ ସଭାପତି ସୁନିଲ୍‌ ଦେବତା କହିଛନ୍ତି ଯେ ଅବସର ବୟସ ୪୫ ରଖିବା ଆଦୌ ଗ୍ରହଣୀୟ ନୁହେଁ। ୪ରୁ ୫ଟି କଳାତାଲିକାଭୁକ୍ତ କମ୍ପାନି ନିୟୋଜିତ ‌ହୋଇଛନ୍ତି। କେ‌ତେକ କମ୍ପାନି ୭ ମାସ ହେଲା ଦରମା ଦେଇ ନାହାନ୍ତି। ଏପରିକି ୪ ମାସ ଦରମା ବୃଦ୍ଧି ହୋଇଥିଲେ ମଧ୍ୟ ମିଳିପାରି ନାହିଁ। ହରିୟାଣା, ରାଜସ୍ଥାନ, ଆସାମରେ ଧନ୍ଦାମୂଳକ ଶିକ୍ଷକ ନିୟମିତ ହୋଇସାରିଲେଣି। ତେଣୁ ରାଜ୍ୟ ସରକାର ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button