ଶ୍ରୀଲୋକନାଥଙ୍କୁ ଦର୍ଶନ କଲାପରେ ଶ୍ରୀକ୍ଷେତ୍ର ପରିଭ୍ରମଣ କରି ରାମଚନ୍ଦ୍ର ମାର୍କଣ୍ଡେଶ୍ବର, କପାଳମୋଚନ, ବାଲୁଙ୍କେଶ୍ବର, ନୀଳକଣ୍ଠ ଆଦିଙ୍କୁ ଦର୍ଶନ କରି ପୁଣ୍ୟତୋୟା ଭାର୍ଗବୀ ନଦୀ ପାର ହୋଇ ଏକାମ୍ରକାନନରେ ପହଞ୍ଚିଲେ ଏବଂ ସେଠାରେ ବିନ୍ଦୁସାଗରରେ ସ୍ନାନ କଲେ। ସୀତା ଏହି ସୁନ୍ଦର କାନନ, ବିନ୍ଦୁସାଗର ତଥା ପୂଜିତ ଶିବଲିଙ୍ଗଙ୍କ ସଂପର୍କରେ ଜାଣିବାକୁ ଉତ୍ସାହ ପ୍ରକାଶ କରିବାରୁ ଶ୍ରୀରାମ ଏହି କ୍ଷେତ୍ର ସଂପର୍କରେ ଯେଉଁ ତଥ୍ୟ ପ୍ରଦାନ କରିଥିଲେ ତାହା ଏହିପରି
ଏହି କ୍ଷେତ୍ରର ନାମ ଏକାମ୍ର ଚକ୍ରକ୍ଷେତ୍ର। କାରଣ ଏହି କାନନରେ ଗୋଟିଏ ଆମ୍ରତରୁ ଚକ୍ରାକାର ହୋଇ ଏକ ବିଶାଳ ବନଭୂମି ସୃଷ୍ଟି କରିଛି। ଏହାର ଅନ୍ୟ ଏକ ନାମ ଗୁପ୍ତକାଶୀ। କୈଳାସ ପରେ ଶିବଙ୍କର ପ୍ରିୟ କ୍ଷେତ୍ର ଥିଲା କାଶୀ। ମାତ୍ର ଏହି ସ୍ଥାନ ତାହାଠାରୁ ମଧ୍ୟ ପ୍ରିୟ। ଦେବୀ ସୀତାଙ୍କର ମୃତ୍ୟୁ ପରେ ଦେବୀ ମହାମାୟା ପୁନଶ୍ଚ ପର୍ବତରାଜ ହିମାଳୟଙ୍କ କନ୍ୟା ପାର୍ବତୀ ଭାବରେ ଜନ୍ମଗ୍ରହଣ କରି ଶିବଙ୍କୁ ବିବାହ କଲେ। ବିବାହ ପରେ ପାର୍ବତୀ ପିତ୍ରାଳୟ (କୈଳାସ)ରେ ରହିବାକୁ ଅନିଚ୍ଛା ପ୍ରକାଶ କରିବାରୁ ଶିବ ତାଙ୍କୁ ଆଣି କାଶୀରେ ରହିଲେ। କିନ୍ତୁ କାଶୀକ୍ଷେତ୍ର କ୍ରମଶଃ ଜନାକୀର୍ଣ୍ଣ ହେବାରୁ ସେମାନଙ୍କର ଯୋଗ ଓ ଧ୍ୟାନ ସମ୍ଭବ ହେଲା ନାହିଁ। ଏଥିରେ ପାର୍ବତୀ ବ୍ୟଥିତ ହେବାରୁ ଶିବ ପାର୍ବତୀଙ୍କୁ ଏକ ଉତ୍ତମ ସ୍ଥାନର ସନ୍ଧାନ କରିବେ ବୋଲି କହିଲେ। ସେ କହିଲେ- ଦକ୍ଷିଣ ସମୁଦ୍ରତଟରେ ଏକ ବିଶାଳ ଆମ୍ରବୃକ୍ଷ ଦ୍ବାରା ପରିଶୋଭିତ ଏକ କାନନ ରହିଛି। ଏହି ଆମ୍ରବନ ମଧ୍ୟରେ ସ୍ଫଟିକ ଓ ବୈଦୁର୍ଯ୍ୟ ମଣିରେ ଉଦ୍ଭାସିତ ମୋର ଏକ ଶିବଲିଙ୍ଗ ଅଛି। ଏହି ଲିଙ୍ଗର ଊର୍ଦ୍ଧ୍ବଭାଗ ପଦ୍ମରାଗ ମଣିଦ୍ବାରା ବିମଣ୍ଡିତ ହୋଇଥିବାରୁ ଏଥିରୁ ଜ୍ବଳନ୍ତ ଅଗ୍ନି ସଦୃଶ ତେଜ ନିର୍ଗତ ହେଉଛି। ସେହି ତେଜସମୂହ ଦ୍ବାରା ଦିଗବିଦିଗ ଉଦ୍ଭାସିତ ହେଉଛି। ସେହି ସ୍ଥାନ ଅତ୍ୟନ୍ତ ମୁକ୍ତିପ୍ରଦ। ଏହା ଜାଣି ପାର୍ବତୀ ପ୍ରଥମେ ସ୍ଥାନଟିକୁ ଦେଖିବା ପାଇଁ ଆସିଲେ। ଆମ୍ରକାନନ ତାଙ୍କୁ ଅତ୍ୟନ୍ତ ଆକୃଷ୍ଟ କଲା। କିନ୍ତୁ ବନ ମଧ୍ୟରେ ଶିବଲିଙ୍ଗଙ୍କୁ ନ ପାଇ ସେ ବ୍ୟଥିତ ହୋଇ ନିକଟରେ ଥିବା ଗୋପାଳବସ୍ତିର ରମଣୀମାନଙ୍କୁ ଦେଖି ସେହି ରୂପ ନେଇ ସେ ସମଗ୍ର ବନ ପରିଭ୍ରମଣ କଲେ।
ସୌଜନ୍ୟ ସମ୍ବାଦ

