ଯେମିତି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ରାଧାଷ୍ଟମୀ, ସେମିତି ରାମନବମୀ ଓ ସୀତା ନବମୀ। ଏହି ସଂପର୍କ ବା ଏହି ଯୋଗସୂତ୍ର ଅତ୍ୟନ୍ତ ରହସ୍ୟମୟ।
ଭାଦ୍ରବ କୃଷ୍ଣ ଅଷ୍ଟମୀ ହେଉଛି ଶ୍ରୀକୃଷ୍ଣଙ୍କ ଜନ୍ମତିଥି- ଜନ୍ମାଷ୍ଟମୀ। ଏହିଦିନ ମଧ୍ୟରାତ୍ରିରେ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିଥିଲେ। ଏବଂ ବିଚିତ୍ରତା ହେଉଛି- ସେହି ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ରାଧାଙ୍କର ଜନ୍ମ। କୃଷ୍ଣପକ୍ଷ ସହ ସାମ୍ୟ ରଖି ଶ୍ରୀକୃଷ୍ଣଙ୍କର ବର୍ଣ୍ଣ କୃଷ୍ଣ ହୋଇଥିବାବେଳେ, ଶୁକ୍ଳପକ୍ଷ ସହିତ ସାମ୍ୟ ରଖି ରାଧାଙ୍କର ବର୍ଣ୍ଣ ଥିଲା ଗୌର।
ସେହିପରି ରାମନବମୀ ଓ ସୀତାନବମୀ। ଶ୍ରୀରାମଙ୍କର ଜନ୍ମତିଥି ଚୈତ୍ର ଶୁକ୍ଳ ନବମୀ। ଆଦିକବି ବାଲ୍ମୀକିଙ୍କ ‘ରାମାୟଣ’ରେ ବର୍ଣ୍ଣିତ ଅଛି- ଦଶରଥଙ୍କ ପତ୍ନୀ କୌଶଲ୍ୟାଙ୍କ ଗର୍ଭରୁ, ଚୈତ୍ର ଶୁକ୍ଳ ନବମୀ ତିଥି ଓ ପୁନର୍ବସୁ ନକ୍ଷତ୍ରରେ ଶ୍ରୀରାମ ଜନ୍ମଗ୍ରହଣ କରିଥିଲେ। ସେଥିପାଇଁ ସେହି ତିଥି ‘ରାମନବମୀ’ ରୂପେ ଖ୍ୟାତ।
‘ସୀତା ନବମୀ’ ମଧ୍ୟ ସେହିପରି ସୀତାଙ୍କ ଜନ୍ମତିଥି ଭାବରେ ଖ୍ୟାତ। ଏହାର ତିଥି, ବୈଶାଖ ଶୁକ୍ଳ ନବମୀ। କିନ୍ତୁ ସୀତା ଥିଲେ ଅଯୋନିସମ୍ଭୂତା। ‘ବାଲ୍ମୀକି ରାମାୟଣ’ର ବାଳକାଣ୍ଡ, ୬୬ ସର୍ଗରେ ଏହାର ଉଲ୍ଲେଖ ଅଛି।
ଏହି ସର୍ଗର ଶିରୋନାମ- ‘ଧନୁଃ ପ୍ରସଙ୍ଗଃ’। ଏହା ‘ଶିବଧନୁ ଭଙ୍ଗ’ ରୂପେ ପ୍ରସିଦ୍ଧ। ଏହି ପ୍ରସଙ୍ଗରେ ସୀତାଙ୍କର ଜନ୍ମବୃତ୍ତାନ୍ତ ବର୍ଣ୍ଣିତ ହୋଇଛି। ମିଥିଳାର ରାଜା ଜନକ ମହର୍ଷି ବିଶ୍ବାମିତ୍ରଙ୍କୁ ସେହି ଧନୁର ବୃତ୍ତାନ୍ତ କହିଛନ୍ତି।
ଜନକ କହିଛନ୍ତି- ଏହା ଥିଲା ଶିବଙ୍କର ଧନୁ। ମହାଦେବ ଦକ୍ଷଯଜ୍ଞ ଧ୍ବଂସ କରିବା ସମୟରେ ସେହି ଧନୁର ଜ୍ୟା (ଗୁଣ) ଆକର୍ଷଣ କରି ଦେବତାମାନଙ୍କୁ କହିଥିଲେ- ମୋତେ ତୁମ୍ଭେମାନେ ଯଜ୍ଞଭାଗ ଦେଉନାହଁ। ଏଣୁ, ଏହି ଧନୁଦ୍ବାରା ମୁଁ ତୁମ୍ଭମାନଙ୍କର ଶିରଚ୍ଛେଦନ କରିବି। ତାହା ଦେଖି ଦେବତାମାନେ ଭୟଭୀତ ହୋଇ ତାଙ୍କୁ ସ୍ତୁତି କରିବାରୁ ସେ ପ୍ରସନ୍ନ ହୋଇ ସେହି ଧନୁକୁ ଦେବତାଙ୍କୁ ପ୍ରଦାନ କରିଥିଲେ। ଦେବତାମାନେ ତାହାକୁ ଜନକଙ୍କ ପୂର୍ବପୁରୁଷ ଦେବରାତଙ୍କ ପାଖରେ ରଖିଥିଲେ।
ନିଜର କନ୍ୟା ସୀତାଙ୍କୁ ଜନକ କହୁଥିଲେ- ‘ବୀର୍ଯ୍ୟଶୁଳ୍କା’। ସେଥିପାଇଁ ସର୍ତ୍ତ ରଖିଥିଲେ- ଯେଉଁ ବୀର ସେହି ଶିବଧନୁ ଭାଙ୍ଗିବେ, ସେ ସୀତାଙ୍କର ପତି ହେବେ।
ଏହି ପ୍ରସଙ୍ଗରେ ଜନକ ବିଶ୍ବାମିତ୍ରଙ୍କୁ ସୀତାଙ୍କ ଜନ୍ମ ବୃତ୍ତାନ୍ତ ସଂପର୍କରେ କହିଛନ୍ତି- ଏକଦା ଭୂମିକର୍ଷଣ କରୁ କରୁ ସେ ଲଙ୍ଗଳ ରେଖାରୁ ଏକ ଶିଶୁକନ୍ୟା ପାଇଲେ। କ୍ଷେତ୍ର ଶୋଧନ ସମୟରେ ଲଙ୍ଗଳରେଖାରୁ ଜାତ ହୋଇଥିବାରୁ ଲୋକେ ତାଙ୍କୁ ‘ସୀତା’ ନାମ ଦେଲେ।
ଶିବଧନୁ ଭଙ୍ଗ କରି ପରିଶେଷରେ ଶ୍ରୀରାମ ତାଙ୍କୁ ବିବାହ କରିଥିଲେ।
ସୀତା ଲଙ୍ଗଳ ରେଖାରୁ ବୈଶାଖ ଶୁକ୍ଳ ନବମୀ ଦିନ ଜାତ ହୋଇଥିବାରୁ ସେହି ତିଥି ସୀତାନବମୀ ନାମରେ ଖ୍ୟାତ ହୋଇଛି।
ସୌଜନ୍ୟ ସମ୍ବାଦ

