The Narmada: କୁମାରୀନଦୀ ନର୍ମଦା

ଭାକାସୁର ବଧ ପରେ ପାଣ୍ଡବମାନେ ଏକଚକ୍ରା ନଗରୀ ପରିତ୍ୟାଗ କରି ପାଞ୍ଚାଳ ନଗରୀ ଅଭିମୁଖେ ଯାତ୍ରା ଆରମ୍ଭ କଲେ। ଏହି ଯାତ୍ରା ପାଣ୍ଡବମାନଙ୍କର ଗୁପ୍ତଯାତ୍ରା ଥିବାରୁ ସେମାନେ ପ୍ରାୟ ରାତିର ଅନ୍ଧକାରରେ ଯାତ୍ରା କରୁଥିଲେ। ଏହି ସମୟରେ ସେମାନେ ଗଙ୍ଗାକୂଳରେ ଯାଉଥିବାବେଳେ ଏକ ଅଘଟଣ ଘଟିଲା। ସେହି ସମୟରେ ଅଙ୍ଗାରପର୍ଣ୍ଣ ନାମରେ ଜଣେ ଗନ୍ଧର୍ବ ତା’ର ପତ୍ନୀମାନଙ୍କ ସହିତ ଜଳକ୍ରୀଡ଼ା କରୁଥିଲା। ଏହି ଗନ୍ଧର୍ବ ଅତ୍ୟନ୍ତ ଗର୍ବୀ ଓ ଈର୍ଷାଳୁ ଥିଲା। ତା’ର ସୁନ୍ଦରଭାବେ ଚିତ୍ରିତ ଏକ ଅପୂର୍ବ ରଥ ଥିଲା; ତେଣୁ ତା’ର ଅନ୍ୟ ନାମ ଥିଲା ଚିତ୍ରରଥ। ଗଙ୍ଗାତଟର ସେହି ବନଭୂମି ତା’ର ଅଧୀନରେ ଥିଲା।
ସେଠାରେ ମନୁଷ୍ୟମାନଙ୍କର ପଦଧ୍ବନି ଶୁଣି ସେ କ୍ରୋଧରେ ଅନ୍ଧ ହୋଇ ତା’ର ଧନୁ ଟଙ୍କାରର ଭୀଷଣ ଘୋଷ କରି କହିଲା- ହେ ମନୁଷ୍ୟମାନେ, ଏଠାରୁ ଦୂର ହୁଅ। ଗନ୍ଧର୍ବରାଜ ଅଙ୍ଗାରପର୍ଣ୍ଣ ଏଠାରେ ଏବେ ଜଳକ୍ରୀଡ଼ା କରୁଛନ୍ତି। ଏ ବନଭୂମି ମୋର ଅଧୀନ। ତୁମର କିପରି ସାହସ ହେଲା ଏଠାକୁ ଆସିବାକୁ? ନିୟମ ଅନୁସାରେ ମନୁଷ୍ୟମାନଙ୍କର ବିଚରଣର ସମୟ ଦିବାକାଳ। ଯକ୍ଷ, ଗନ୍ଧର୍ବ, ରାକ୍ଷସ ଆଦିଙ୍କର ବିହାର ଓ ବିଚରଣ ସମୟ ରାତ୍ରିକାଳ। ମୋର ବଳବୀର୍ଯ୍ୟ ଓ ସାହସ ସଂପର୍କରେ ବୋଧହୁଏ ତୁମେମାନେ ଅଜ୍ଞ।

ସେହି ଗନ୍ଧର୍ବର ଏପରି ଆସ୍ଫାଳନ ଶୁଣି ଅର୍ଜୁନ ଆଉ ସ୍ଥିର ହୋଇ ରହିପାରିଲେ ନାହିଁ। ସେ କହିଲେ- ଆକାଶଗଙ୍ଗା ପୁଣ୍ୟ ପ୍ରଦାନ ନିମିତ୍ତ ମର୍ତ୍ତ୍ୟଲୋକରେ ପ୍ରବାହିତ। ତେଣୁ ତାଙ୍କର ତଟଦେଶ ସମସ୍ତଙ୍କ ନିମିତ୍ତ ଉନ୍ମୁକ୍ତ। ଗଙ୍ଗାତଟକୁ ଆସିବା ପାଇଁ ଆମକୁ ବାଧା ଦେବାକୁ ତୁମେ କିଏ?
ଏହିପରି ବାକ୍ୟ ବିନିମୟ ମଧ୍ୟରେ ଅଙ୍ଗାରପର୍ଣ୍ଣ ଅଧିକ କ୍ରୋଧିତ ହୋଇ ଅର୍ଜୁନଙ୍କୁ ଲକ୍ଷ୍ୟ କରି ବାଣ ନିକ୍ଷେପ କଲା। ଅର୍ଜୁନ ଗୋଟିଏ ବାଣରେ ଅଙ୍ଗାରପର୍ଣ୍ଣର ରଥ ଓ ଅସ୍ତ୍ର ସହିତ ସେହି ଗନ୍ଧର୍ବକୁ ମଧ୍ୟ ଭୂତଳଶାୟୀ କରିଦେଲେ। ତା’ପରେ ସେହି ଗନ୍ଧର୍ବକୁ ଧରି ସେ ଯୁଧିଷ୍ଠିରଙ୍କ ପାଖକୁ ଆଣିଲେ।
ଗନ୍ଧର୍ବ ଅଙ୍ଗାରପର୍ଣ୍ଣର କୁମ୍ଭୀନାଶୀ ନାମରେ ଏକ ଗୁଣବତୀ ପତ୍ନୀ ଥିଲା। ସେ ଆସି ଯୁଧିଷ୍ଠିରଙ୍କ ପାଦତଳେ ପଡ଼ି ସ୍ବାମୀର ଆଚରଣ ପାଇଁ କ୍ଷମାପ୍ରାର୍ଥନା କଲା। ଧର୍ମରାଜ ଯୁଧିଷ୍ଠିର ଗନ୍ଧର୍ବକୁ କ୍ଷମା କରିଦେଲେ। ତାହାର ସମସ୍ତ ଅହଂକାର ଚୂର୍ଣ୍ଣ ହେଲା ଏବଂ ସେ ପାଣ୍ଡବ ପାଞ୍ଚଭାଇଙ୍କ ପରିଚୟ ଜାଣି ଆନନ୍ଦରେ ସେମାନଙ୍କ ସହିତ ବନ୍ଧୁତା ଆଚରଣ କଲା। ସେ ‌ପ୍ରତ୍ୟେକ ଭାଇଙ୍କୁ ଏକ ଏକ ସୁନ୍ଦର ରଥ ତଥା ମନପବନ ସଦୃଶ ଗତି କରିପାରୁଥିବା ଅଶ୍ବମାନ ଉପହାର ସ୍ବରୂପ ପ୍ରଦାନ କଲା। ପରିଶେଷରେ ସେ ଅର୍ଜୁନଙ୍କୁ ଚାକ୍ଷୁଷୀ ବିଦ୍ୟା ଶିକ୍ଷା ଦେଲା- ଯାହା ଯୁଦ୍ଧକାଳରେ ଅର୍ଜୁନଙ୍କୁ ବିଶେଷ ସାହାଯ୍ୟ କରିପାରିବ।
ଅଙ୍ଗାରପର୍ଣ୍ଣ ଭୂତ ଓ ଭବିଷ୍ୟତର ଜ୍ଞାତା ହେତୁ ପାଣ୍ଡବମାନଙ୍କୁ ତାଙ୍କ ବଂଶର ଆଦିପୁରୁଷ କୁରୁଙ୍କର ଜନ୍ମଠାରୁ ସାଂପ୍ରତିକ କାଳ ପର୍ଯ୍ୟନ୍ତ ଯଶକୀର୍ତ୍ତି ଆଦି ସଂପର୍କରେ କଥାମାନ ଶୁଣାଇଲା ଏବଂ କହିଲା- ପାଣ୍ଡବମାନେ ଯେହେତୁ ରାଜପୁତ୍ର ଏବଂ ପରବର୍ତ୍ତୀ କାଳରେ ନିଶ୍ଚିତ ଭାବରେ ରାଜ୍ୟ ଶାସନ କରିବେ, ତେଣୁ ଜଣେ କୁଳଗୁରୁଙ୍କର ସନ୍ଧାନ କରି ତାଙ୍କର ନିର୍ଦ୍ଦେଶରେ ହିଁ କାର୍ଯ୍ୟ କରନ୍ତୁ।
ଏହି ଅଙ୍ଗାରପର୍ଣ୍ଣ ବା ଚିତ୍ରରଥ ମହାଭାରତର ଅନେକ ସ୍ଥାନରେ ଅନେକ ଭାବରେ ଦେଖାଯାଇଛନ୍ତି। ଏବଂ ସଦାସର୍ବଦା ସେ ପାଣ୍ଡବମାନଙ୍କ ସହିତ ସ୍ଥାପନ କରିଥିବା ମିତ୍ରତାର ମାନ ରକ୍ଷା କରିଛନ୍ତି।

 

 

 

 

ସୌଜନ୍ୟ ସମ୍ବାଦ