ଦେଶ ବିଦେଶ

Japan: ଜାପାନରେ ମସଜିଦ୍‌ ନିର୍ମାଣ କରି ହରଡ଼ଘଣାରେ ପାକିସ୍ତାନ

ଟୋକିଓ: ଜାପାନରେ ରହୁଥିବା ପାକିସ୍ତାନର ପ୍ରବାସୀମାନଙ୍କ ପାଇଁ କାୱାଗୋଏ ସହରରେ ଅବୈଧ ଭାବରେନିର୍ମିତ ଏକ ମସଜିଦ ସମସ୍ୟାର କାରଣ ପାଲଟିଛି। ଜାପାନରେ ଥିବା ପାକିସ୍ତାନର ରାଷ୍ଟ୍ରଦୂତ ଅବଦୁଲ ହମିଦଙ୍କ ଉପସ୍ଥିତିରେ ଏପ୍ରିଲରେ ଏହି ମସଜିଦ୍‌ର ଉଦଘାଟନ ହୋଇଥିଲା। ଜାପାନୀ ଆଇନ ଅନୁଯାୟୀ ଆବଶ୍ୟକ ଅନୁମତି ବିନା ମସଜିଦ୍‌ ନିର୍ମାଣ କରାଯାଇଥିବାରୁ ଏହାକୁ ଭଙ୍ଗାଯିବ ବୋଲି ଜଣାପଡ଼ିଛି।

ମସଜିଦ ସହରାଞ୍ଚଳ ବିକାଶ

ସହରର ପୌର ପ୍ରଶାସନିକ କେନ୍ଦ୍ର କାୱାଗୋଏ ସିଟି ହଲ୍ ବେଆଇନ ଭାବରେ ନିର୍ମିତ ମସଜିଦ ସମ୍ପର୍କରେ ନିଜର ସ୍ଥିତି ସ୍ପଷ୍ଟ କରିଛି। ଏହି ମସଜିଦ ସହରାଞ୍ଚଳ ବିକାଶ ନିୟନ୍ତ୍ରଣ କ୍ଷେତ୍ରରେ ନିର୍ମିତ ହୋଇଥିଲା ଯେଉଁଠାରେ ନଗର ଯୋଜନା ଆଇନ ଅନୁଯାୟୀ ନିର୍ଦ୍ଦିଷ୍ଟ ଅନୁମତି ପ୍ରାପ୍ତ ନହେଲେ ନିର୍ମାଣ ସାଧାରଣତଃ ବେଆଇନ ଭାବେ ଗ୍ରହଣ କରାଯାଏ ବୋଲି ସିଟି ହଲ୍ ପକ୍ଷରୁ ଏକ ସରକାରୀ ବିବୃତିରେ କୁହାଯାଇଛି।

ସିଟି ହଲ୍ ବିବୃତି ଅନୁଯାୟୀ, ମସଜିଦ ଭାଙ୍ଗିବା ପାଇଁ କର୍ତ୍ତୃପକ୍ଷଙ୍କୁ ସମ୍ପୃକ୍ତ ପକ୍ଷଙ୍କଠାରୁ ଅନୁରୋଧ ମଧ୍ୟ ମିଳିଛି ଓ ପ୍ରସ୍ତାବକୁ ସମୀକ୍ଷା ପାଇଁ ପଠାଯାଇଛି। ମସଜିଦଟି ଅବୈଧ ଭାବରେ ନିର୍ମିତ ହୋଇଥିବା ଜଣାପଡିବା ପରେ, ଟୋକିଓରେ ଥିବା ପାକିସ୍ତାନୀ ଦୂତାବାସ ହରଡ଼ଘଣାରେ ପଡ଼ିଛି। ପାକିସ୍ତାନ ଦୂତାବାସ ସ୍ପଷ୍ଟ କରିଥିଲା ଯେ, ଜାପାନର ଆଇନ ଉଲ୍ଲଂଘନ କରୁଥିବା ପ୍ରକଳ୍ପଗୁଡ଼ିକ ସହିତ ଏହାର କୌଣସି ସମ୍ପର୍କ ନାହିଁ। ଅନ୍ୟପକ୍ଷରେ ପାକିସ୍ତାନୀ ଦୂତାବାସ ଜାପାନରେ ରହୁଥିବା ପାକିସ୍ତାନ ନାଗରିକଙ୍କୁ ଜାପାନର ନିୟମାବଳୀକୁ ସମ୍ପୂର୍ଣ୍ଣ ପାଳନ କରିବାକୁ ଅନୁରୋଧ କରିଛି।ବିଶେଷକରି ଧାର୍ମିକସ୍ଥଳ ନିର୍ମାଣ କରିବା ସମୟରେ ସମସ୍ତ ନିମୟ ଅନୁପାଳନ କରିବାକୁ କହିଛି। ଜୁନ୍‌ ୧ରେ ପାକିିସ୍ତାନ ଦୂତାବାସ ପକ୍ଷରୁ ଜାପାନରେ ରହୁଥିବା ପାକିସ୍ତାନ ନାଗରିକଙ୍କୁ ପାଇଁ ‘ଏକ୍ସ’ରେ ଏକ ବାର୍ତ୍ତା ସେୟାର କରି ଜାପାନର ସ୍ଥାନୀୟ ସରକାରଙ୍କ ବିନା ଅନୁମତିରେ କୌଣସି ନିର୍ମାଣ ବିଶେଷ କରି ଧାର୍ମିକ ସ୍ଥଳ ନିର୍ମାଣ ନ କରିବାକୁ ଅନୁରୋଧ କରାଯାଇଛି। ଉଲ୍ଲେଖନୀୟ ଯେ, ଦୂତାବାସ ପକ୍ଷରୁ କୁହାଯାଇଛି ଯେ ଜାପାନୀ ଆଇନ ଅନୁଯାୟୀ ଆବଶ୍ୟକ ସମସ୍ତ ଅନୁମୋଦନ ପ୍ରାପ୍ତ ହୋଇଥିବା ସୂଚନା ପାଇବା ପରେ ରାଷ୍ଟ୍ରଦୂତ ଅବଦୁଲ ହମିଦ ଏପ୍ରିଲ ୩ ତାରିଖରେ ମସଜିଦର ଉଦଘାଟନରେ ଯୋଗ ଦେଇଥିଲେ। ମେ ୩୧ ତାରିଖରେ ଏକ ପୃଥକ ବିବୃତିରେ ଜାପାନରେ ଥିବା ପାକିସ୍ତାନୀ ମିଶନ କହିଥିଲେ ଯେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କଠାରୁ ଆବଶ୍ୟକୀୟ ଅନୁମତି ନ ପାଇ କୌଣସି ନିର୍ମାଣ ପ୍ରକଳ୍ପ ଆରମ୍ଭ ହେବା ଉଚିତ୍ ନୁହେଁ। ଆଇନ ଉଲ୍ଲଂଘନ କଥା ଜଣାପଡ଼ିବା ପରେ ମସଜିଦ ଭଙ୍ଗାଯିବାର ସମ୍ଭାବନା ରହିଛି ।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button