Election: ବାଙ୍କିପୁର ଉପନିର୍ବାଚନରେ ନିର୍ଣ୍ଣାୟକ ଶକ୍ତି ହେବେ ଜେନ୍ ଜି
ବିହାରର ବାଙ୍କିପୁର ବିଧାନସଭା ଉପନିର୍ବାଚନ ଏବେ କେବଳ ଗୋଟିଏ ଆସନର ଲଢ଼େଇରେ ସୀମିତ ନାହିଁ। ଛାତ୍ର ଆନ୍ଦୋଳନ ଦେଶବ୍ୟାପୀ ରାଜନୈତିକ ବିମର୍ଶର ଦିଗ ବଦଳାଇ ଦେଇଥିବାରୁ ଏହି ନିର୍ବାଚନ ଏବେ ବିଜେପି ପାଇଁ ପ୍ରେଷ୍ଟିଜ୍ ଲଢ଼େଇରେ ପରିଣତ ହୋଇଛି।

ପାଟନା: ବିହାରର ବାଙ୍କିପୁର ବିଧାନସଭା ଉପନିର୍ବାଚନ ଏବେ କେବଳ ଗୋଟିଏ ଆସନର ଲଢ଼େଇରେ ସୀମିତ ନାହିଁ। ଛାତ୍ର ଆନ୍ଦୋଳନ ଦେଶବ୍ୟାପୀ ରାଜନୈତିକ ବିମର୍ଶର ଦିଗ ବଦଳାଇ ଦେଇଥିବାରୁ ଏହି ନିର୍ବାଚନ ଏବେ ବିଜେପି ପାଇଁ ପ୍ରେଷ୍ଟିଜ୍ ଲଢ଼େଇରେ ପରିଣତ ହୋଇଛି। ବାଙ୍କୀପୁର ଦୀର୍ଘ ଦିନ ଧରି ବିଜେପିର ଏକ ଦୁର୍ଗ ଭାବେ ପରିଚିତ। ବିଜେପି ନେତା ନିତିନ ନବୀନ ଏହି ଆସନରୁ ଏକାଧିକ ଥର ବିଜୟୀ ହୋଇଛନ୍ତି। ସେ ବିଜେପିର ଜାତୀୟ ଅଧ୍ୟକ୍ଷ ହେବା ପରେ ରାଜ୍ୟସଭାକୁ ଯାଇଥିବାରୁ ଏହି ଆସନ ଏବେ ଖାଲି ପଡ଼ିଛି। ଉଭୟ କେନ୍ଦ୍ର ଓ ରାଜ୍ୟରେ କ୍ଷମତାରେ ଥିବା ବିଜେପି ପାଇଁ ଉକ୍ତ ଆସନରେ ବିଜୟୀ ହେବା ଗୁରୁତ୍ୱପୂର୍ଣ୍ଣ। ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ନିଜେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାରୁ ଏହି ଲଢ଼େଇ ଆହୁରି ରୋଚକ ହୋଇଛି।
ଉଲ୍ଲେଖଯୋଗ୍ୟ, ବାଙ୍କିପୁର ବିଧାନସଭା କ୍ଷେତ୍ରର ସବୁଠାରୁ ବଡ଼ ବିଶେଷତ୍ବ ହେଉଛି ଏଠାକାର ଯୁବ ଭୋଟରଙ୍କ ସଂଖ୍ୟା। ଏହି ଅଞ୍ଚଳରେ ପାଟନା ବିଶ୍ୱବିଦ୍ୟାଳୟ, ଏନ୍ଆଇଟି ପାଟନା, ବିଏନ୍ କଲେଜ, ସାଇନ୍ସ କଲେଜ, ଏଏନ୍ କଲେଜ, ଚାଣକ୍ୟ ନ୍ୟାସନାଲ ଲ’ ୟୁନିଭର୍ସିଟି ସମେତ ଅନେକ କଲେଜ, ବିଶ୍ୱବିଦ୍ୟାଳୟ, କୋଚିଂ ସେଣ୍ଟର ଓ ଛାତ୍ରାବାସ ରହିଛି। ପ୍ରତିବର୍ଷ ହଜାର ହଜାର ଛାତ୍ରଛାତ୍ରୀ ଏଠାକୁ ପାଠପଢ଼ିବା ପାଇଁ ଆସନ୍ତି। ଏହି ଆସନରେ ମୋଟ ୩.୭୯ ଲକ୍ଷ ଭୋଟର ଥିବାବେଳେ ସେଥିରୁ ପ୍ରାୟ ୧.୨୦ରୁ ୧.୩୫ ଲକ୍ଷ, ଅର୍ଥାତ୍ ପ୍ରାୟ ଏକ-ତୃତୀୟାଂଶ ଭୋଟରଙ୍କ ବୟସ ୧୮ରୁ ୨୯ ବର୍ଷ ମଧ୍ୟରେ। ଏହି ବର୍ଗ ଛାତ୍ର ସମସ୍ୟା ସହ ସିଧାସଳଖ ଭାବେ ଜଡ଼ିତ ଥିବାରୁ, ଏଥର ନିର୍ବାଚନରେ ଜେନ୍ ଜି ଭୋଟରଙ୍କୁ ଏକ ବଡ଼ ନିର୍ଣ୍ଣାୟକ ଶକ୍ତି ଭାବେ ଦେଖାଯାଉଛି। ସମ୍ପ୍ରତି ହୋଇଥିବା ଛାତ୍ର ଆନ୍ଦୋଳନ ଯୁବ ଭୋଟରଙ୍କୁ ପୂର୍ବ ଅପେକ୍ଷା ଅଧିକ ରାଜନୈତିକ ଭାବେ ସକ୍ରିୟ କରିଛି। ଚାକିରି, ଶିକ୍ଷା ଓ ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗକୁ ନେଇ ବହୁ ସଂଖ୍ୟକ ଛାତ୍ର ରାସ୍ତାକୁ ଓହ୍ଲାଇଥିଲେ। ଆନ୍ଦୋଳନ ସମୟରେ ପୁଲିସ କାର୍ଯ୍ୟାନୁଷ୍ଠାନ ସୋସିଆଲ ମିଡିଆରେ ବ୍ୟାପକ ଚର୍ଚ୍ଚା ସୃଷ୍ଟି କରିଥିଲା। ଫଳରେ ଶିକ୍ଷା ଓ ନିଯୁକ୍ତି ପ୍ରସଙ୍ଗ ନିର୍ବାଚନୀ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି।
ସୌଜନ୍ୟ ସମ୍ବାଦ




