Site icon Swayam News

Elephant: ହାତୀ ହିସାବ ହାଲଚାଲ

 

ବହୁ ପ୍ରତୀକ୍ଷିତ ସର୍ବଭାରତୀୟ ହାତୀ ଗଣନାର ଫଳାଫଳ ଅକ୍‌‌େଟାବର ୧୫ ତାରିଖରେ ଭାରତ ସରକାରଙ୍କ ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଦ୍ୱାରା ସାର୍ବଜନୀନ କରାଯାଇଛି। ୨୦୨୧ ମସିହାରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ବହୁବିଧ ବିଜ୍ଞାନ ସମ୍ମତ ଅନ୍ୱେଷଣ, ଅନୁଧ୍ୟାନ ଓ ଆଲୋଚନା ପରେ ସଂପ୍ରତି ସମାପ୍ତ ହୋଇଛି। ଗତ ୨୦୧୭ ମସିହାରେ ଗଣତି ବେଳେ ୨୯,୯୬୪ଟି ହାତୀ ଥିବା ବେଳେ ଏବେ ୨୫% ହ୍ରାସ ପାଇ ତାହା ୨୨,୪୪୬ରେ ପହଞ୍ଚିଛି। ହାତୀ ସଂଖ୍ୟାରେ ଏଭଳି ଏକ-ଚତୁର୍ଥାଂଶ କମିଯିବା ଅନେକ ଆଶଙ୍କା ଓ ଉଦ୍‌ବେଗକୁ ଜନ୍ମ ଦେଇଛି।
ହାତୀ ସଂରକ୍ଷଣ ଓ ଅଭିବୃଦ୍ଧି ନିମନ୍ତେ ୧୯୯୨ରେ ଆରମ୍ଭ ହୋଇଥିଲା ହାତୀ ପ୍ରକଳ୍ପ। ଏଭଳି ପ୍ରକଳ୍ପର ପ୍ରଭାବକୁ ତଉଲିବା ଲାଗି ୫ ବର୍ଷୀୟା ଗଣନା ଚକ୍ରର ବ୍ୟବସ୍ଥା ହୋଇଥିଲା। ଫଳରେ ୧୯୯୩, ୧୯୯୭, ୨୦୦୨ ଓ ୨୦୦୭ରେ ହାତୀମାନଙ୍କ ଦୃଶ୍ୟମାନତା ଆଧାରରେ ଗଣତି କରାଯିବାର ପଦ୍ଧତି ଅନୁସୃତ ହୋଇଥିଲା। ୨୦୧୨ ମସିହାରେ ପଶ୍ଚିମଘାଟ ଅଞ୍ଚଳର କେରଳ, କର୍ଣ୍ଣାଟକ ଓ ତାମିଲନାଡୁ ରାଜ୍ୟର ନମୁନା କ୍ଷେତ୍ରରୁ ଗଣନା କରି ସମଗ୍ର ଅଞ୍ଚଳ ପାଇଁ ଆକଳନ କରାଗଲା। ଅନ୍ୟ ସବୁ ରାଜ୍ୟ ମଧ୍ୟ ପ୍ରଚଳିତ ପ୍ରଣାଳୀକୁ ଆପଣାଇ ଥିଲେ। ୨୦୧୭ ମସିହା‌ରେ ଆଉ ଗୋଟିଏ ପରୋକ୍ଷ ଉପାୟ ବାହାରିଲା, ଯାହାକୁ ହାତୀ ଗୋବର ଗୋଲି ସୂତ୍ର ବୋଲି କୁହାଯାଏ। ଭାରତର ଉତ୍ତର-ପୂର୍ବ ପାର୍ବତ୍ୟାଞ୍ଚଳ ଓ ବ୍ରହ୍ମପୁତ୍ର ଅବବାହିକାରେ ଏହାକୁ ଅବଲମ୍ବନ କରାଯାଇଥିବା ବେଳେ ପଶ୍ଚିମଘାଟ ଅନ୍ତର୍ଭୁକ୍ତ ରାଜ୍ୟରେ ଉଭୟ ନମୁନା କ୍ଷେତ୍ର ଓ ମଳ କ୍ଷୟ ହାର ପଦ୍ଧତିର ସହାୟତା ନିଆ ଯାଇଥିବା ବେଳେ ଅନ୍ୟ ରାଜ୍ୟରେ ଗତାନୁଗତିକ ପ୍ରତ୍ୟକ୍ଷଦର୍ଶୀ ଗଣନା ଦ୍ୱାରା ହାତୀ ସଂଖ୍ୟା ନିର୍ଦ୍ଧାରଣ କରାଯାଇଥିଲା। ତେବେ, ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପଦ୍ଧତିରୁ ନିର୍ଣ୍ଣିତ ସଂଖ୍ୟାର ସଠିକତା ଉପରେ ପ୍ରଶ୍ନବାଚୀ ରହୁଥିଲା। ଏହାକୁ ଅଧିକ ଠିକ୍ ଓ ବିଶ୍ୱସ୍ତରୀୟ ବିଶ୍ୱସନୀୟତା ହାସଲ କରିବା ଉଦ୍ଦେଶ୍ୟରେ ଆଧୁନିକ ଜ୍ଞାନକୌଶଳ-ଭିତ୍ତିକ ଏକକ ଗଣତି ପ୍ରକ୍ରିୟା ସାରା ଦେଶରେ ପ୍ରଚଳନ କରିବାର ଆବଶ୍ୟକତା ଅନୁଭୂତ ହେଲା।
ଡେରାଡୁନସ୍ଥିତ ‘ଭାରତୀୟ ବନ୍ୟ ଜୀବନ ଅନୁଷ୍ଠାନ’ ଦ୍ୱାରା ସଂପନ୍ନ ହୋଇଥିବା ଚଳିତ ଆକଳନରେ ବିସ୍ତୁତଃ ୨୦୦୬ ମସିହାରୁ ବାଘ ପାଇଁ ବ୍ୟବହୃତ ପ୍ରଣାଳୀକୁ ଅନୁସରଣ କରାଯାଇ ତିନି ପର୍ଯ୍ୟାୟରେ ତାହା ସଂପୂର୍ଣ୍ଣ କରାଯାଇଥିଲା। ପ୍ରଥମ ଚରଣରେ ହାତୀ ଚଳପ୍ରଚଳ ଅଞ୍ଚଳରେ ୧,୮୮,୦୩୦ଟି ଅନ୍ୱେଷଣ ପଥରେ ୬,୬୬,୯୭୭ କିଲୋମିଟର ପାଦରେ ଚାଲି ‘ଏମ୍‌-ଷ୍ଟ୍ରାଇପ୍‌ସ’ ମୋବାଇଲ ଆପ୍ ମାଧ୍ୟମରେ ହାତୀର ଉପସ୍ଥିତି ଓ ଆନୁଷାଙ୍ଗିକ ସୂଚନା ସଂଗ୍ରହ କରାଯାଇଥିଲା। ଦ୍ୱିତୀୟରେ ଉପଗ୍ରହ ଦ୍ୱାରା ବାସସ୍ଥଳୀ ଓ ମାନବୀୟ କାର୍ଯ୍ୟକଳାପ ଇତ୍ୟାଦିର ସ୍ଥିତି ଅନୁଧ୍ୟାନ କରାଯାଇଥିଲା। ତୃତୀୟରେ ୩,୧୯,୪୬୪ଟି ନମୁନା କ୍ଷେତ୍ରରୁ ମଳ ସଂଗ୍ରହ କରି ଓ ୮୨୩ଟି ସ୍ଥାନରେ କ୍ୟାମେରା ଖଞ୍ଜି ୪୩,୬୧୮ଟି ଚିତ୍ର ଉତ୍ତୋଳନ କରାଯାଇଥିଲା। ସଂଗୃହୀତ ମଳର ବିଜ୍ଞାନଗାରୀୟ ପରୀକ୍ଷାନିରୀକ୍ଷାରୁ ପ୍ରାପ୍ତ ତଥ୍ୟର ଅନୁଶୀଳନ ପରେ ଭାରତର ୪ଟି ହାତୀ ବସବାସ ଅଂଚଳ ଯଥା- ପଶ୍ଚିମଘାଟରେ ୧୧,୯୩୪, ଉତ୍ତର-ପୂର୍ବ ପାର୍ବତ୍ୟାଞ୍ଚଳ ଓ ବ୍ରହ୍ମପୁତ୍ର ଅବବାହିକାରେ ୬୫୫୯, ସିବାଲିକ ପାର୍ବତ୍ୟାଞ୍ଚଳ ଓ ଗାଙ୍ଗେୟ ସମତଳରେ ୨୦୬୨ ଏବଂ କେନ୍ଦ୍ରୀୟ ଭାରତ ଓ ପୂର୍ବ ଘାଟରେ ୧,୮୯୧ଟି ହାତୀ ଥିବା ଜଣାପଡ଼ିଛି, ଅର୍ଥାତ୍‌ ପଶ୍ଚିମ ଘାଟରେ ସର୍ବାଧିକ ସଂଖ୍ୟକ ହାତୀ ଥିବା ବେଳେ ପୂର୍ବ ଘାଟର ସେମାନଙ୍କ ସଂଖ୍ୟା ସର୍ବନିମ୍ନ ହୋଇଛି। ରାଜ୍ୟୱାରି ହିସାବରେ କର୍ଣ୍ଣାଟକରେ ୬,୦୧୩, ଆସାମରେ ୪,୧୫୯, ତାମିଲନାଡୁରେ ୩,୧୩୬, କେରଳରେ ୨,୭୮୫, ଉତ୍ତରାଖଣ୍ଡରେ ୧,୭୯୨, ଓଡ଼ିଶାରେ ୯୧୨ ଓ ପଶ୍ଚିମବଙ୍ଗରେ ୭୦୭ଟି ହାତୀ ଥିବାବେଳେ ମଣିପୁରରେ ମାତ୍ର ୯, ବିହାରରେ ୧୩ ଓ ମିଜୋରାମରେ ୧୬ଟି ହାତୀ ଅଛନ୍ତି। ପ୍ରକାଶ ଥାଉ କି ପରୀକ୍ଷାଗାରରେ ମଳ ବିଶ୍ଳେଷଣରୁ ଗୁଣସୂତ୍ର ବା ଜିନ୍‌ର ମୌଳିକ ଅଂଶ ଡି.ଏନ୍‌.ଏ. ଆଧାରିତ ଆକଳନ ଏହି ଗଣନା(୨୦୨୧-୨୫)ର ବୈଶିଷ୍ଟ୍ୟ। ଏହା ଭବିଷ୍ୟତ୍‌ରେ ହାତୀ ଗଣନାକୁ ଅଣୁ ସ୍ତରୀୟ ସଠିକତା ପ୍ରଦାନ କରିବ।
ତେବେ, ଏହି ଗଣତି ପରେ କେନ୍ଦ୍ରୀୟ ଭାରତ ଓ ପୂର୍ବଘାଟ ଇଲାକାରେ ପୂର୍ବ ଗଣନା ସହିତ ଅତ୍ୟଧିକ ସଂଖ୍ୟା ବ୍ୟବଧାନ ଯୋଗୁଁ କିଛି ପ୍ରଶ୍ନ ଉଠିଛି। ଏଠାରେ ଦେଶର ୧୦%ରୁ କମ୍ ହାତୀ ଥିଲେ ମଧ୍ୟ ମଣିଷ-ହାତୀ ସଂଘର୍ଷରେ ହାତୀ ମୃତ୍ୟୁ ଅଧିକ ଘଟୁଛି। ଓଡ଼ିଶା‌ ପରିପ୍ରେକ୍ଷୀରେ ଏହି ବ୍ୟବଧାନ ସର୍ବାଧିକ ହୋଇଛି। ଆମ ରାଜ୍ୟରେ ୨୦୧୭ ମସିହାରେ ୧୯୭୬ଟି ହାତୀ ଥିଲେ। ରାଜ୍ୟ ବନ୍ୟପ୍ରାଣୀ ସଂସ୍ଥା ଦ୍ୱାରା ୨୦୨୪ ମସିହା ମେ ମାସରେ ଗ୍ରୀଷ୍ମକାଳୀନ ଓ ନଭେମ୍ବରରେ ଶୀତକାଳୀନ ଗଣନାରେ ଏହି ସଂଖ୍ୟା ଯଥାକ୍ରମେ ୨,୦୯୮ ଓ ୨,୧୦୩ ଥିଲା। ୨୦୧୮ ମସିହାରେ ଏକ ଅନୁଧ୍ୟାନ ଅନୁସାରେ ଓଡ଼ିଶା ଜଙ୍ଗଲର ହାତୀ ଧାରଣ ବା ପରିପୋଷଣ କ୍ଷମତା ପ୍ରାୟ ୧,୭୦୦ରୁ ୧,୮୦୦। ଏଥରର ଗଣତିରେ ମାତ୍ର ୯୧୨ଟି ହାତୀ ଅଛନ୍ତି।
ଆମ ରାଜ୍ୟରେ ହାତୀ-ମଣିଷ ସଂଘର୍ଷ କ୍ରମେ ଉତ୍କଟ ହେଉଛି। ବିଖଣ୍ଡିତ ବାସସ୍ଥଳୀ, ସଂକୁଚିତ ବନାନୀ, ଅବକ୍ଷୟିଷ୍ଣୁ ଖାଦ୍ୟ ପାନୀୟ ଉତ୍ସ, ଜଙ୍ଗଲ ବିଧ୍ବଂସକ ଭିତ୍ତିଭୂମି ନିର୍ମାଣ, ଅନିୟନ୍ତ୍ରିତ ଖଣି ଖନନ ଇତ୍ୟାଦି ହାତୀମାନଙ୍କ ଜୀବନକୁ ଗଭୀର ଭାବେ ଆକ୍ରାନ୍ତ କରୁଛି। ବିଦ୍ୟୁତ୍‌ ଆଘାତ, ରେଳ ଦୁର୍ଘଟଣା, ମାନବୀୟ ଆକ୍ରୋଶ ଇତ୍ୟାଦି ହେତୁ ହାତୀ ସଂଖ୍ୟାରେ ହ୍ରାସ ଘଟିଛି ବୋଲି ଦର୍ଶାଯାଇଛି। ଜଙ୍ଗଲର ପୁନରୁଦ୍ଧାର, ହାତୀ ପସନ୍ଦ କରୁଥିବା ବୃକ୍ଷଲତାର ଅଭିବୃଦ୍ଧ, ପର୍ଯ୍ୟାପ୍ତ ଜଳ ଉତ୍ସ ସୃଷ୍ଟି ସହିତ ଜନ ସହଯୋଗକୁ ବ୍ୟାପକ କରିବା ଲାଗି ପରାମର୍ଶ ଦିଆଯାଇଛି। ତେବେ ସଂଖ୍ୟାର ସଠିକତା ହେଉଛି ସର୍ବାଧିକ ମହତ୍ତ୍ବପୂର୍ଣ୍ଣ, ଯାହା ଏଥର ସମ୍ଭବ ହୋଇଛି ବୋଲି କୁହାଯାଇପାରେ। ଠିକ୍‌ ସଂଖ୍ୟା ବିଷୟରେ ଜାଣିଲେ ହାତୀ ସୁରକ୍ଷା ଲାଗି ପ୍ରକଳ୍ପ ଚିନ୍ତନ ଓ ରୂପାୟନ ସହଜ ଓ ସମର୍ଥ ହେବ।

 

ସୌଜନ୍ୟ – ସମ୍ବାଦ

Exit mobile version