ବଡ଼ବିଲ: ଗଜରାଜ, ସମସ୍ତେ ଦେଖିଛନ୍ତି ଉଗ୍ରରୂପ । କେତେବେଳେ ଘର ଭାଙ୍ଗେ ତ ଆଉ କେତେବେଳେ ଜୀବନ ନିଏ । ଖାଲି ଘର ଭାଙ୍ଗିବା ତ ନୁହେଁ, ଫସଲ ନଷ୍ଟ କରୁଥିବା କିମ୍ବା ଜଳ କ୍ରିଡ଼ା କରୁଥିବା ଦୃଶ୍ୟ ମଧ୍ୟ ଦେଖିଥିବେ । ବେଳେ ବେଳେ ହାତୀ ମଣିଷ ଲଢେଇ ବି ଦେଖିଥିବେ । ହେଲେ କେବେ ଦେଖିନଥିବେ ଗଜରାଜଙ୍କ ଜଲି ମୁଡ୍ । ମୁଡ ଭଲ ନୁହେଁ ତ ନାଚୁଥିବା ବି ଜାଣିନଥିବେ । କିନ୍ତୁ ବାସ୍ତବରେ ଘଟଛି ଏମିତି କିଛି । ଯାହାର ଭିଡିଓ ଏବେ ଭାଇରାଲ୍ ।
ଭାଇରାଲ ଭିଡିଓରେ ସତ:
ଟିକେ ଭଲ ଭାବେ ଦେଖନ୍ତୁ ଭିଜୁଆଲ । କିଭଳି ଜଣେ ଯୁବକ ହାତୀ ଠାରୁ ମାତ୍ର ଅଳ୍ପ କିଛି ଦୁରତାରେ ନିର୍ଭୟ ଭାବରେ ନାଚୁଛନ୍ତି । ସାମ୍ନାରେ ଛିଡା ହୋଇଛି ଜଙ୍ଗଲୀ ଜନ୍ତୁ । ଯୁବକ ଜଣକ ସେହିଠାରେ ହିଁ ଏହି ଦନ୍ତା ହାତୀର ନାଁ“ରାଜୁ”ରଖିବା ସହିତ ତାକୁ ସମ୍ବୋଧନ କରି ନାଚୁଛନ୍ତି । ପାଖରେ ଥିବା ସାଙ୍ଗମାନେ ଏହି ଦୃଶ୍ୟକୁ ନିଜ ମୋବାଇଲ କ୍ୟାମେରାରେ କ୍ୟାପଚର୍ ମଧ୍ୟ କରୁଛନ୍ତି।
ସେପଟେ ଯୁବକଙ୍କ ସହ ତାଳ ଦେଇ ନାଚୁଛି ଦନ୍ତା । ଗୀତର ତାଳେ ତାଳେ ମୁଣ୍ଡ ହଲାଇ ମଜା ବି କରୁଛି । ଆଶ୍ଚର୍ଯ୍ୟର କଥା, ମଣିଷକୁ ଦେଖି ଆକ୍ରୋଶ କରିବା ବଦଳରେ ମଣିଷ ସହ ଶରୀର ଦୋହଲାଇ ନାଚିବାରେ ଲାଗୁଛି । ସତେ ଯେମିତି ସେ ମଧ୍ୟ ନାଚରେ ମଗ୍ନ । ଦେଖିଲେ ଲାଗୁଛି, ସେ ଯେମିତି ପୋଷା ମାନିଛି । ଏହି ଛୋଟ ଭିଡିଓ କ୍ଲିପ୍ଟଟି ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି। ତେବେ ଏହି ଭିଡିଓ କେଉଁଠିକାର ତାହା ସ୍ପଷ୍ଟ ହୋଇ ପାରିନାହିଁ ।
ଦନ୍ତା ନାଚିଲା ମଜ୍ଜା ଆସିଲା:
ଏହି ଦୃଶ୍ୟଟି କେଉଁ ଅଞ୍ଚଳର ତାହା ସ୍ପଷ୍ଟ ହୋଇ ପାରିନାହିଁ। ଏହା ଚମ୍ପୁଆ ରେଞ୍ଜ, ସରେଇ ଗାଁ ନିକଟ ବୈତରଣୀ ନଦୀ କୂଳର ଦୃଶ୍ୟ ବୋଲି କୁହାଯାଉଛି। ସେଠାରେ ଏକ ଗୋଠଛଡ଼ା ଦନ୍ତା ହାତୀ ଆସି ପହଞ୍ଚିଥିବା ବେଳେ, ଲୋକମାନେ ଦେଖିବାକୁ ଭିଡ଼ ଜମାଇଥିଲେ। ଏହି ସମୟରେ ଏହି ଅନନ୍ୟ ଘଟଣାଟି ଘଟିଥିଲା । ଏହି ଦୃଶ୍ୟ ହିଁ ବୟାନ କରୁଛି, ଜଙ୍ଗଲୀ ବନ୍ୟପ୍ରାଣୀ ମଧ୍ୟ କେବେ କେବେ ମଣିଷଙ୍କ ସହ ହସି ଖେଳି ମିଶିଯାଏ ।
ସୌଜନ୍ୟ Prameya News7
