Heat Storm: ପୃଥିବୀକୁ ବିପଦ ‘ହିଟ୍ ଷ୍ଟର୍ମ’
ଜଳବାୟୁ ପରିବର୍ତ୍ତନ ଯୋଗୁଁ ପୃଥିବୀରେ ଅତ୍ୟଧିକ ତାପମାତ୍ରାର ପ୍ରଭାବ ଅଧିକ ବ୍ୟାପକ ଓ ଦୀର୍ଘସ୍ଥାୟୀ ହେବାରେ ଲାଗିଛି। ପୂର୍ବରୁ ଅଳ୍ପ କିଛି ଅଞ୍ଚଳରେ ସୀମିତ ରହୁଥିବା ତାପ ପ୍ରବାହ ଏବେ ପୃଥିବୀର ବିସ୍ତୀର୍ଣ୍ଣ ଅଞ୍ଚଳକୁ ମାସ ମାସ ଧରି ପ୍ରଭାବିତ କରୁଛି।

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଯୋଗୁଁ ପୃଥିବୀରେ ଅତ୍ୟଧିକ ତାପମାତ୍ରାର ପ୍ରଭାବ ଅଧିକ ବ୍ୟାପକ ଓ ଦୀର୍ଘସ୍ଥାୟୀ ହେବାରେ ଲାଗିଛି। ପୂର୍ବରୁ ଅଳ୍ପ କିଛି ଅଞ୍ଚଳରେ ସୀମିତ ରହୁଥିବା ତାପ ପ୍ରବାହ ଏବେ ପୃଥିବୀର ବିସ୍ତୀର୍ଣ୍ଣ ଅଞ୍ଚଳକୁ ମାସ ମାସ ଧରି ପ୍ରଭାବିତ କରୁଛି। ଏଭଳି ବିଶାଳ ଓ ଦୀର୍ଘସ୍ଥାୟୀ ତାପ ପ୍ରବାହକୁ ‘ହିଟ୍ ଷ୍ଟର୍ମ’ (ଉତ୍ତାପ ଝଡ଼) ବୋଲି ନାମ ଦେଇଛି ଖବର ସଂସ୍ଥା ରଏଟର୍ସ। ଏହାର ଏକ ତଦନ୍ତମୂଳକ ବିଶ୍ଳେଷଣରୁ ଜଣାପଡ଼ିଛି ଯେ ଏହି ଘଟଣାର ସଂଖ୍ୟା ଗତ କିଛି ଦଶନ୍ଧି ମଧ୍ୟରେ ଦ୍ରୁତ ଗତିରେ ବଢ଼ିଛି।
ରଏଟର୍ସ ୧୯୬୦ ମସିହାରୁ ବିଶ୍ବର ତାପମାତ୍ରା ସମ୍ପର୍କିତ ପ୍ରତି ଘଣ୍ଟାର ତଥ୍ୟ ବିଶ୍ଳେଷଣ କରିବା ସହ ୨୦ରୁ ଅଧିକ ଜଳବାୟୁ ଗବେଷକଙ୍କ ସହ ପରାମର୍ଶ କରି ଏହି ନିଷ୍କର୍ଷରେ ପହଞ୍ଚିଛି। ଏହି ଅଧ୍ୟୟନ ଅନୁଯାୟୀ, ୧୯୬୦ ଦଶକରେ ବର୍ଷକୁ ହାରାହାରି ପ୍ରାୟ ୫ଟି ହିଟ୍ ଷ୍ଟର୍ମ ଦେଖାଯାଉଥିଲା। କିନ୍ତୁ ଚଳିତ ଦଶନ୍ଧିରେ ଏହି ସଂଖ୍ୟା ବଢ଼ି ପ୍ରାୟ ୧୦୨ରେ ପହଞ୍ଚିଛି।
ସାଧାରଣତଃ ଲଗାତାର ୫ ଦିନ କିମ୍ବା ତା’ଠାରୁ ଅଧିକ ସମୟ ଅସ୍ବାଭାବିକ ଭାବେ ତାପମାତ୍ରା ବଢ଼ିଲେ ତାହାକୁ ତାପ ପ୍ରବାହ କୁହାଯାଏ। ଏଭଳି ଘଟଣା ଯେତେବେଳେ ସର୍ବାଧିକ ପ୍ରଭାବ ସମୟରେ ପୃଥିବୀର ଅତି କମ୍ରେ ୧ ପ୍ରତିଶତ ଭୂଭାଗକୁ ଆଚ୍ଛାଦିତ କରେ, ରଏଟର୍ସ ତାହାକୁ ହିଟ୍ ଷ୍ଟର୍ମ ଭାବେ ବିବେଚନା କରିଛି। ତେବେ ଏହି ନାମକରଣ ପାଣିପାଗ ବିଭାଗ କରିନାହିଁ। ଏହି ଅଧ୍ୟୟନରେ ‘ଭେରା’ ନାମକ ହିଟ୍ ଷ୍ଟର୍ମ ସବୁଠୁ ବଡ଼ ବୋଲି ଚିହ୍ନଟ ହୋଇଛି। ୨୦୨୩ରୁ ୨୦୨୪ ମଧ୍ୟରେ ଏହା ୩୬୭ ଦିନ ଧରି ଜାରି ରହିଥିଲା ଏବଂ କୌଣସି ଏକ ସମୟରେ ପୃଥିବୀର ପ୍ରାୟ ୮୫ ପ୍ରତିଶତ ଅଞ୍ଚଳକୁ ପ୍ରଭାବିତ କରିଥିଲା। ୨୦୨୪ ବର୍ଷ ମଧ୍ୟ ରେକର୍ଡ ଅନୁଯାୟୀ ସବୁଠୁ ଉତ୍ତପ୍ତ ବର୍ଷ ହୋଇଥିଲା।
ସୌଜନ୍ୟ ସମ୍ବାଦ




