Elon Musk Instagram Controversy: ଇନଷ୍ଟାଗ୍ରାମ ହେଉଛି ‘ଝିଅମାନଙ୍କ ପାଇଁ’: ଏଲନ ମସ୍କଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ହଙ୍ଗାମା

Elon Musk Instagram Controversy: ଟେକ୍ ଜଗତର ସବୁଠାରୁ ଚର୍ଚ୍ଚିତ ବିଲିୟନେୟାର ତଥା ଏକ୍ସ (X)ର ମାଲିକ ଏଲନ ମସ୍କ ପୁଣିଥରେ ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ମାର୍କ ଜୁକରବର୍ଗଙ୍କ ମେଟା କମ୍ପାନୀର ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ (Instagram)କୁ ନେଇ ମସ୍କ ଏକ ଆପତ୍ତିଜନକ ଟିପ୍ପଣୀ କରିଛନ୍ତି, ଯାହାକୁ ନେଇ ଇଣ୍ଟରନେଟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

କ’ଣ ଥିଲା ମସ୍କଙ୍କ ମନ୍ତବ୍ୟ?

ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଜୀବନଶୈଳୀ ଓ ଅଭ୍ୟାସକୁ ନେଇ ଚାଲିଥିବା ଏକ ଭାଇରାଲ ଆଲୋଚନାରେ ଭାଗ ନେଇ ମସ୍କ କେବଳ ତିନୋଟି ଶବ୍ଦ ଲେଖିଥିଲେ – “Instagram is for girls” ଅର୍ଥାତ୍ “ଇନଷ୍ଟାଗ୍ରାମ ହେଉଛି ଝିଅମାନଙ୍କ ପାଇଁ”। ଏତିକିରେ ସେ ଅଟକି ନଥିଲେ, ବିବାଦ ବଢ଼ିବା ପରେ ସେ ଆଉ ଏକ ପୋଷ୍ଟ କରି ଲେଖିଥିଲେ, “କେବେ କେବେ ବୟସ୍କ ପୁରୁଷମାନେ ମତେ ସେମାନଙ୍କର ଇନଷ୍ଟାଗ୍ରାମ ପ୍ରୋଫାଇଲ୍ ପଠାନ୍ତି, ସେତେବେଳେ ମତେ ଲାଗେ ଯେ ସେମାନେ ନିଜର ଜେଣ୍ଡର ବଦଳାଉଛନ୍ତି (Transitioning) କି କ’ଣ?”

ନେଟିଜେନ୍ସ କଲେ ତୀବ୍ର ନିନ୍ଦା:

ମସ୍କଙ୍କ ଏହି ମନ୍ତବ୍ୟ ସାମ୍ନାକୁ ଆସିବା ପରେ ଅନେକ ୟୁଜର୍ସ ତାଙ୍କୁ ସମାଲୋଚନା କରିଛନ୍ତି। ନେଟିଜେନ୍ସ ଏହାକୁ ସେକ୍ସିଷ୍ଟ (ଲିଙ୍ଗଗତ ବୈଷମ୍ୟମୂଳକ) ଏବଂ ମହିଳା ବିରୋଧୀ ମାନସିକତା ବୋଲି ଅଭିହିତ କରିଛନ୍ତି। କିଛି ବ୍ୟବହାରକାରୀ ମସ୍କଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଇନଷ୍ଟାଗ୍ରାମରେ ସମସ୍ତେ ସକ୍ରିୟ ଥିବାବେଳେ ଏଭଳି ରୁଢ଼ିବାଦୀ ଚିନ୍ତାଧାରା ରଖିବା ଜଣେ ବଡ଼ ଟେକ୍ ଲିଡରଙ୍କୁ ଶୋଭା ପାଏନାହିଁ। ଅନ୍ୟପଟେ କିଛି ମହିଳା ୟୁଜର ଲେଖିଛନ୍ତି ଯେ ସେମାନେ ଝିଅ ହୋଇ ମଧ୍ୟ ଦିନସାରା ଏକ୍ସ (X) ବ୍ୟବହାର କରନ୍ତି।

ଏକ୍ସକୁ ଶ୍ରେଷ୍ଠ ଦର୍ଶାଇବାକୁ ଚେଷ୍ଟା:

ତେବେ ଏହାକୁ ନେଇ ଏକ୍ସପର୍ଟମାନେ ଭିନ୍ନ ମତ ଦେଇଛନ୍ତି। ବିଶେଷଜ୍ଞଙ୍କ ମତରେ, ଏହା ମସ୍କଙ୍କର ଏକ ବ୍ୟବସାୟିକ ରଣନୀତି କିମ୍ବା ‘ରେଜ୍-ବେଟିଂ’ (Rage-baiting) ର ଅଂଶ ହୋଇପାରେ। ଏଠାରେ ସେ ନିଜ ପ୍ଲାଟଫର୍ମ ‘ଏକ୍ସ’କୁ ଅଧିକ ଗମ୍ଭୀର ଓ ସ୍ୱଚ୍ଛ ଦର୍ଶାଇବା ପାଇଁ ମେଟାର ଆପଗୁଡ଼ିକୁ ସର୍ବଦା ସମାଲୋଚନା କରିଥାନ୍ତି ବୋଲି ବିଶେଷଜ୍ଞମାନେ କହିଛନ୍ତି।

 

 

 

ସୌଜନ୍ୟ Prameya News7