ElonMusk: ଭାରତର ପ୍ରଜନନ ହାର ନେଇ ଚିନ୍ତା ପ୍ରକଟ କଲେ ମସ୍କ

ନୂଆଦିଲ୍ଲୀ: ଅଧିକ ସନ୍ତାନ ଜନ୍ମ କରିବା ସପକ୍ଷରେ ଲଗାତାର ଭାବେ ଯୁକ୍ତି ବାଢ଼ୁଥିବା ବିଶ୍ବର ଏକ ନମ୍ବର ଧନୀ ତଥା ଟେସ୍ଲାର ମୁଖ୍ୟ ଏଲନ ମସ୍କ ଭାରତରେ ହ୍ରାସ ପାଉଥିବା ପ୍ରଜନନ ହାରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଜନସଂଖ୍ୟାରେ ସ୍ଥିରତା ବଜାୟ ରଖିବା ସ୍ତରଠାରୁ ପ୍ରଜନନ ହାର ତଳକୁ ଖସିଯାଇଛି। ଶିକ୍ଷିତ ବର୍ଗଙ୍କ ମଧ୍ୟରେ ଏହି ହାର କିଛି ବର୍ଷ ପୂର୍ବରୁ ହ୍ରାସ ପାଇସାରିଲାଣି ବୋଲି ସେ କହିଛନ୍ତି।ସୋସିଆଲ ମିଡିଆ ‘ଏକ୍ସ’ରେ ଏଏଫ୍ ପୋଷ୍ଟର ଏକ ପୋଷ୍ଟ୍ ଉପରେ ମତ ଦେଇ ସେ ଏହା ଲେଖିଛନ୍ତି। ସେହି ପୋଷ୍ଟରେ ଭାରତ ସମେତ ବିଭିନ୍ନ ଦେଶ ଓ ଭାରତର କିଛି ରାଜ୍ୟର ପ୍ରଜନନ ହାର ପରିସଂଖ୍ୟାନ ଉପସ୍ଥାପନ କରାଯାଇଛି।
ସେଥିରେ ଉଲ୍ଲେଖ କରାଯାଇଛି ଯେ ପ୍ରଥମ ଥର ପାଇଁ ଭାରତରେ ପ୍ରଜନନ ହାର ଜନସଂଖ୍ୟାରେ ସ୍ଥିରତା ବଜାୟ ରଖିବା ହାରଠାରୁ ତଳକୁ ଖସିଯାଇଛି। ଦିଲ୍ଲୀର ପ୍ରଜନନ ହାର ୧.୨ ରହିଛି ଯାହା ଫିନଲ୍ୟାଣ୍ଡଠାରୁ ମଧ୍ୟ କମ୍। ଜନସଂଖ୍ୟାରେ ସ୍ଥିରତା ବଜାୟ ରଖିବା ହାରକୁ ପ୍ରତି ମହିଳାଙ୍କ ପିଛା ୨.୧ଟି ସନ୍ତାନ ବୋଲି ଧାର୍ଯ୍ୟ କରାଯାଇଛି। ସଦ୍ୟତମ ତଥ୍ୟ ଅନୁସାରେ ଭାରତର ଅଧିକାଂଶ ରାଜ୍ୟର ପ୍ରଜନନ ହାର ଏହି ସ୍ତରଠାରୁ ତଳକୁ ଖସିଯାଇଛି। କେବଳ ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ଝାଡ଼ଖଣ୍ଡରେ ସେହି ହାର ନିର୍ଦ୍ଧାରିତ ସ୍ତରଠାରୁ ଉପରେ ରହିଛି।
ପ୍ରଜନନ ହାର ହ୍ରାସ ପାଇବା ଯେକୌଣସି ଦେଶ ପାଇଁ ଚିନ୍ତାର ବିଷୟ। ଅଧିକ ବର୍ଷ ପର୍ଯ୍ୟନ୍ତ ସେହି ହାରରେ ଉନ୍ନତିି ନ ଘଟିଲେ ତାହା ଦେଶ ପାଇଁ ବିପଦ ଆଣିଥାଏ। ଜନସଂଖ୍ୟାରେ ବୟସ୍କ ଲୋକଙ୍କ ସଂଖ୍ୟା ବଢ଼ିଯାଏ ଯେଉଁମାନେ ନିୟମିତ ବ୍ୟବଧାନରେ ଚିକିତ୍ସାଠାରୁ ଆରମ୍ଭ କରି ଅନ୍ୟାନ୍ୟ ସେବା ଆବଶ୍ୟକ କରନ୍ତି। ଶ୍ରମଶକ୍ତିରେ ଥିବା ଲୋକଙ୍କ ସଂଖ୍ୟା ହ୍ରାସ ପାଏ। ସାର୍ବଜନୀନ ସ୍ବାସ୍ଥ୍ୟ, ଭତ୍ତା ଓ କଲ୍ୟାଣମୂଳକ ଯୋଜନାରେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିଥାଏ।
ସୌଜନ୍ୟ ସମ୍ବାଦ




