India: ଚୀନ ତୁଳନାରେ ଭାରତରେ କମ୍ପାନିଙ୍କୁ କମ୍ ସବ୍ସିଡି ମିଳୁଛି: ରିପୋର୍ଟ

ନୂଆଦିଲ୍ଲୀ: ଚୀନ ତୁଳନାରେ ଭାରତରେ କମ୍ପାନିଗୁଡ଼ିକୁ କମ୍ ସବ୍ସିଡି ବା ସରକାରୀ ସହାୟତା ମିଳୁଛି। ଅର୍ଥନୈତିକ ସହଯୋଗ ଓ ବିକାଶ ସଂଗଠନ (ଓଇସିଡି) ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଏହା ଜଣାଯାଇଛି। ୨୦୨୫ରୁ ୨୦୨୪ ମସିହା ପର୍ଯ୍ୟନ୍ତ ତଥ୍ୟକୁ ଆଧାର କରି ଓଇସିଡି ଏହି ରିପୋର୍ଟ ପ୍ରସ୍ତୁତ କରିଛି।୨୦୦୫ରୁ ୨୦୨୪ ମଧ୍ୟରେ ଚୀନ କମ୍ପାନିଗୁଡ଼ିକ ଓଇସିଡିର ସଦସ୍ୟ ଦେଶଗୁଡ଼ିକ ତୁଳନାରେ ହାରାହାରି ୩ରୁ ୮ ଗୁଣା ଅଧିକ ସବ୍ସିଡି ପାଇଛନ୍ତି। ଏପରିକି ଭାରତ, ବ୍ରାଜିଲ ଏବଂ ଇଣ୍ଡୋନେସିଆ ଭଳି ଅଣ-ଓଇସିଡି ଦେଶ ତୁଳନାରେ ଚୀନ କମ୍ପାନିଗୁଡ଼ିକ ପାଇଥିବା ସବ୍ସିଡି ବହୁ ଅଧିକ ବୋଲି ରିପୋର୍ଟରେ କୁହାଯାଇଛି।
ମ୍ୟାନୁଫାକ୍ଚରିଂ ବା ବିନିର୍ମାଣ କ୍ଷେତ୍ରରେ ଚୀନ ଆଗରେ ରହିବାର ଏହା ଏକ ପ୍ରମୁଖ କାରଣ। ସବ୍ସିଡି ପାଇଁ ବିଶ୍ବରେ ଚୀନ କମ୍ପାନିଙ୍କ ବଜାରଅଂଶ ପ୍ରାୟ ୬୦ ପ୍ରତିଶତ ବଢ଼ିଛି। ସରକାର ସବ୍ସିଡି ସଂପର୍କରେ ଯାହା ଘୋଷଣା କରୁଛନ୍ତି ତାହା ନୁହେଁ ବରଂ କମ୍ପାନିଗୁଡ଼ିକ ବାସ୍ତବରେ ଯେତିକି ସବ୍ସିଡି ପାଉଛନ୍ତି ତାହାକୁ ଆଧାର କରି ଏହି ରିପୋର୍ଟ ତିଆରି ହୋଇଛି। ୧୫ଟି ପ୍ରମୁଖ କ୍ଷେତ୍ରର ୫୨୫ଟି ବଡ଼ କମ୍ପାନିକୁ ନେଇ ଏହି ଅନୁଧ୍ୟାନ କରାଯାଇଛି। ସରକାରୀ ଅନୁଦାନ, ଆୟକର ରିହାତି ଏବଂ ବଜାରଠାରୁ କମ୍ ସୁଧ ହାରରେ ଦିଆଯାଉଥିବା ଋଣକୁ ଏଥିପାଇଁ ବିଚାରକୁ ନିଆଯାଇଛି।
ସୌଜନ୍ୟ ସମ୍ବାଦ




