Encounter: ବେଲୁଚିସ୍ତାନରେ ବିନାଶ ଘଟାଇଥିବା ୧୭ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କଲେ ପାକିସ୍ତାନୀ ସୁରକ୍ଷା ବାହିନୀ

କରାଚୀ: ପାକିସ୍ତାନର ଅଶାନ୍ତ ବେଲୁଚିସ୍ତାନ ପ୍ରଦେଶର କ୍ୱେଟା ସହରରେ ଗତ ସପ୍ତାହରେ ଏକ ସଟଲ୍ ଟ୍ରେନ୍ ଉପରେ ହୋଇଥିବା ବୋମା ଆକ୍ରମଣରେ ଜଡିତ ୧୭ ଜଣ ଆତଙ୍କବାଦୀଙ୍କୁ ପାକିସ୍ତାନୀ ସୁରକ୍ଷା ବାହିନୀ ଏନକାଉଣ୍ଟର କରିଛନ୍ତି। ମେ’ ୨୪ ତାରିଖରେ କ୍ୱେଟାର ଏକ ଷ୍ଟେସନ ନିକଟରେ ଏକ ସଟଲ୍ ଟ୍ରେନ ଉପରେ ହୋଇଥିବା ସନ୍ଦିଗ୍ଧ ଆତ୍ମଘାତୀ ଆକ୍ରମଣରେ ୩ ଜଣ ସୁରକ୍ଷା କର୍ମୀଙ୍କ ସମେତ ୧୬ ଜଣ ପ୍ରାଣ ହରାଇଥିଲେ ଏବଂ ଅନେକ ଆହତ ହୋଇଥିଲେ। ପାକିସ୍ତାନ ସେନାର ଇଣ୍ଟର-ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ (ଆଇଏସ୍‌ପିଆର୍‌) ଅନୁଯାୟୀ, ଏହି ଘଟଣା ପରେ, ସୁରକ୍ଷା ବାହିନୀ ବେଲୁଚିସ୍ତାନର ବିଭିନ୍ନ ଜିଲ୍ଲାରେ ଅନେକ ଗୁପ୍ତଚର ଆଧାରିତ ଅପରେସନ୍ (ଆଇବିଓ) କରିଥିଲେ, ଯେଉଁଥିରେ ୧୭ ଜଣ ଆତଙ୍କବାଦୀନିହତ ହୋଇଥିଲେ।

ଆତଙ୍କବାଦୀ ଆଡ୍ଡାକୁ ପ୍ରଭାବଶାଳୀ ଭାବରେ ଟାର୍ଗେଟ କରିଥିଲେ

ଆଇଏସ୍‌ପିଆର୍‌ ବିବୃତି ଅନୁଯାୟୀ, ମାସ୍ତୁଙ୍ଗ, ନୁସ୍କି, ଜେହରି, ଖୁଜଦାର ଏବଂ କେଚ୍‌ରେ କରାଯାଇଥିବା ଅପରେସନ୍ ସମୟରେ ସୁରକ୍ଷା ବାହିନୀ ଅନେକ ଆତଙ୍କବାଦୀ ଆଡ୍ଡାକୁ ପ୍ରଭାବଶାଳୀ ଭାବରେ ଟାର୍ଗେଟ କରିଥିଲେ। ଫିତନା-ଅଲ୍-ହିନ୍ଦୋସ୍ତାନ ସହିତ ଜଡିତ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ସେମାନଙ୍କ ମଧ୍ୟରୁ ୧୭ ଜଣ ନିହତ ହୋଇଥିଲେ। ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କଠାରୁ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ, ବିପୁଳ ପରିମାଣର ବିସ୍ଫୋରକ ଏବଂ ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ୍ ଡିଭାଇସ୍ (ଆଇଡି) ଜବତ କରିଛନ୍ତି। ନିହତ ଆତଙ୍କବାଦୀମାନେ ଅଞ୍ଚଳରେ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ଥିଲେ। ପ୍ରଭାବିତ ଅଞ୍ଚଳରେ ଅବଶିଷ୍ଟ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଛି।

 

 

 

ସୌଜନ୍ୟ ସମ୍ବାଦ