ଭୁବନେଶ୍ୱର: ଦେଶ ନିର୍ମାଣ ପାଇଁ ଇଞ୍ଜିନିୟରମାନେ ଅକ୍ଲାନ୍ତ ପରିଶ୍ରମ କରନ୍ତି। ଇଞ୍ଜିନିୟରମାନେ ହେଉଛନ୍ତି ବିକାଶର ସ୍ତମ୍ଭ। ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର୍ସ ସର୍ଭିସ ଆସୋସିଏସନର ୮୦ତମ ବାର୍ଷିକ ସମ୍ମିଳନୀରେ ଯୋଗଦେଇ ଏଭଳି କହିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପାଟି। ଦେଶ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରୁ ଆଜି ପର୍ଯ୍ୟନ୍ତ ଇଞ୍ଜିନିୟରମାନେ ଭିତ୍ତିଭୂମିର ମୂଳଦୁଆ ସ୍ଥାପନ କରିବା ସହିତ ସାର୍ବଜନୀନ ସେବା ପ୍ରଦାନକୁ ସୁଦୃଢ଼ କରିଛନ୍ତି ବୋଲି ସେ କହିଥିଲେ।
ଡିପ୍ଲୋମା ଇଞ୍ଜିନିୟରମାନଙ୍କର ଭୂମିକା ଉପରେ ଆଲୋକପାତ କରି ରାଜ୍ୟପାଳ କହିଛନ୍ତି ଯେ, ସେମାନେ ନୀତି ଓ ଲୋକଙ୍କ ମଧ୍ୟରେ ସଂଯୋଗ ସ୍ଥାପନ କରନ୍ତି। ସେମାନଙ୍କ କାର୍ଯ୍ୟ କେବଳ ବୈଷୟିକ ଦକ୍ଷତା ନୁହେଁ ବରଂ ଲୋକଙ୍କ ବିଶ୍ୱାସ ସ୍ଥାପନ ବୋଲି ରାଜ୍ୟପାଳ କହିଥିଲେ।
ଏହି ଅବସରରେ ସଂଘର ବିଭିନ୍ନ କାର୍ଯ୍ୟକଳାପ ରକ୍ତଦାନ ଶିବିର, ବିପର୍ଯ୍ୟୟ ସହାୟତା କାର୍ଯ୍ୟକଳାପ, ପାନୀୟ ଜଳ ବଣ୍ଟନ ଆଦିର ପ୍ରଶଂସା କରିବା ସହିତ ଆସନ୍ତା ଦଶବର୍ଷ ମଧ୍ୟରେ ଦଶ ଲକ୍ଷ ଚାରାରୋପଣ କାର୍ଯ୍ୟକ୍ରମକୁ ସେ ଉଦ୍ଘାଟନ କରିଥିଲେ।
ଅନ୍ୟତମ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଯୋଗଦେଇ ଅନୁଷ୍ଠାନର ବହୁବିଧ କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ୨୦୩୬ ମସିହା ମଧ୍ୟରେ ସଂଘ ତରଫରୁ ରକ୍ତଦାନ ଶିବିର, ଅସହାୟ ବୃଦ୍ଧଙ୍କୁ ସାହାଯ୍ୟ, ପରିବେଶ ପ୍ରଦୂଷଣ ରୋକିବା ପାଇଁ ବହୁଳ ବୃକ୍ଷ ଲଗାଯିବ ବୋଲି ଆଲୋଚନା ହୋଇଥିଲା। ଏହି ସମାରୋହରେ ଓଡିଶା ଡିପ୍ଲୋମା ଇଂଜିନିୟର୍ସ ସର୍ଭିସ ଆସୋସିଏସନ୍ର ପରାମର୍ଶଦାତା ଶ୍ରୀଧର ବାରିକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।
ସୌଜନ୍ୟ ସମ୍ବାଦ
