Environmentalist: ପରିବେଶ ଯୋଦ୍ଧା: ପରିବେଶ ପ୍ରେମରେ ଗଣେଶ

କେତେକ ଲୋକ ନିଜ ବୃତ୍ତିରେ ଯେତେ ବ୍ୟସ୍ତ ରହିଲେ ମଧ୍ୟ ସମାଜ ପାଇଁ କିଛି କରିବା‌େର ରୁଚି ରଖନ୍ତି। ଏମିତି ଜଣେ ବ୍ୟକ୍ତି ହେଲେ କେନ୍ଦ୍ରାପଡ଼ାର ୪୨ ବର୍ଷୀୟ ଗଣେଶ ପ୍ରସାଦ ବିଶ୍ୱାଳ। ବୃତ୍ତିରେ ସେ ଜଣେ ବ୍ୟାଙ୍କ୍‌ କର୍ମଚାରୀ। ତେବେ ପରିବେଶ ପ୍ରତି ତାଙ୍କର ଅତୁଟ ସମର୍ପଣ ତାଙ୍କୁ ଅନ୍ୟମାନଙ୍କଠାରୁ ସ୍ବତନ୍ତ୍ର କରିଛି। ପିଲାବେଳୁ ସେ ନିଜ ବାପାଙ୍କ ପାଖରୁ ପରିବେଶ ପ୍ରତି ଭଲପାଇବା ଶିଖିଥିଲେ। ସେ କହନ୍ତି, ‘‘ବାପା ସବୁବେଳେ କହୁଥିଲେ, ପୃଥିବୀ ଆମର ଘର, ଏହାକୁ ସୁରକ୍ଷିତ ରଖିବା ଆମର କର୍ତ୍ତବ୍ୟ।’’ ଏହି କଥାଗୁଡ଼ିକ ଗଣେଶଙ୍କ ମନରେ ଗଭୀର ଛାପ ଛାଡ଼ିଥିଲା।

ସମୟ ବିତିବା ସହିତ ସେ ବ୍ୟାଙ୍କ୍‌ରେ ଚାକିରି ପାଇଲେ, କିନ୍ତୁ ପରିବେଶ ପାଇଁ କିଛି କରିବାର ସ୍ବପ୍ନ ତାଙ୍କ ମନରେ ଅତୁଟ ରହିଥିଲା। ଚାକିରିରୁ ଫୁରୁସତ ମିଳିଲେ ସେ ଗଛ ଲଗାଇବାରେ ଲାଗିଯାଉଥିଲେ। ଦିନକୁ ଦିନ ତାଙ୍କର ଏହି ଆଗ୍ରହ ଏକ ଅଭିଯାନରେ ପରିଣତ ହେଲା। ୨୦୧୭ ମସିହାରେ ପ୍ରଥମେ ସେ ନିଜର ଛଅ ଗୁଣ୍ଠ ଜମିରେ ଘିକୁଆଁରୀ, ଡାଳଚିନି, ନିମ୍ବ ଓ ତୁଳସୀ ଭଳି ଔଷଧୀୟ ଗଛ ଲଗାଇଥିଲେ। ପରେ ସେ ଏହି କାମକୁ ଆହୁରି ବଢ଼ାଇଥିଲେ। ସେ ତାଙ୍କର ସହଯୋଗୀଙ୍କ ସହ ମିଶି ‘ଏମ୍‌ପାୱାର୍‌ ଇଣ୍ଡିଆ ଟ୍ରଷ୍ଟ’ ନାମକ ଏକ ସଂଗଠନ ଗଠନ କଲେ। ସେହି ସଂଗଠନ ମାଧ୍ୟମରେ ସେ ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କୁ ନେଇ ବୃକ୍ଷରୋପଣ ଅଭିଯାନ ଆରମ୍ଭ କଲେ। ବର୍ତ୍ତମାନ ସେ ଚାରିଟି ସ୍କୁଲ୍‌ରେ ଟ୍ରଷ୍ଟି ଭାବେ କାମ କରୁଛନ୍ତି।

 

ଗଣେଶ କୁହନ୍ତି, “ଯଦି ପିଲାମାନଙ୍କୁ ଛୋଟବେଳୁ ପରିବେଶ ବିଷୟରେ ଶିକ୍ଷା ଦିଆଯିବ, ସେମାନେ ଆଗାମୀ ଦିନରେ ପୃଥିବୀକୁ ଏକ ବଡ଼ ବିପଦରୁ ରକ୍ଷା କରିପାରିବେ।” ସେଥିପାଇଁ ସେ ସ୍କୁଲର ପିଲାମାନଙ୍କୁ ନେଇ କାମ ଆରମ୍ଭ କରିଛନ୍ତି। ସେମାନଙ୍କୁ ଗଛ ଲଗାଇବା ଓ ପ୍ଲାଷ୍ଟିକ୍‌ ବ୍ୟବହାର ହ୍ରାସ କରିବା ବିଷୟରେ ସଚେତନ କରାଉଛନ୍ତି। ସେ ପ୍ରାୟ ତିନିହଜାର ପିଲାଙ୍କୁ ନେଇ ପ୍ରାଧାନମନ୍ତ୍ରୀଙ୍କ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ‘ଏକ୍‌ ପେଡ୍ ମାଆ କେ ନାମ୍’ ଅଭିଯାନରେ ୨୦ହଜାରରୁ ଅଧିକ ଗଛ ଲଗାଇଛନ୍ତି। ସେ ଲୋକମାନଙ୍କୁ ମଧ୍ୟ ଘରେ ଔଷଧୀୟ ଗଛ ଲଗାଇବାକୁ ପ୍ରେରିତ କରୁଛନ୍ତି। ଗଣେଶ ନିଜର ନିଷ୍ଠା ଓ ପରିଶ୍ରମ ପାଇଁ ଚଳିତ ବର୍ଷ ‘ଓଡ଼ିଶା ଯୁବ ରତ୍ନ’ ସମ୍ମାନ ଲାଭ କରିବା ସହ ପୂର୍ବରୁ ଆଉ କିଛି ପୁରସ୍କାର ମଧ୍ୟ ପାଇଛନ୍ତି।

 

 

 

ସୌଜନ୍ୟ ସମ୍ବାଦ