The world’s ugliest animal: ବିଶ୍ବର ଅସୁନ୍ଦର ପ୍ରାଣୀ ବ୍ଲବ୍‌ ଫିସ୍‌

ପ୍ରକୃତି ନିଜର ଅସଂଖ୍ୟ ରୂପ ଓ ରଙ୍ଗରେ ପୃଥିବୀକୁ ସୁନ୍ଦର କରିଛି। ଏହି ବିବିଧତା ମଧ୍ୟରେ କେତେକ ପ୍ରାଣୀ ଆମ ମନକୁ ମୋହିନିଅନ୍ତି ତ ଅନ୍ୟ କେତେକ ଆଶ୍ଚର୍ଯ୍ୟଚକିତ କରିଦିଅନ୍ତି। ଏମିତି ଏକ ଅଦ୍ଭୁତ ପ୍ରାଣୀ ହେଉଛି ‘ବ୍ଲବ୍ ଫିସ୍‌’। ଏହାକୁ ବିଶ୍ୱର ସବୁଠାରୁ କଦାକାର ପ୍ରାଣୀ ବୋଲି କୁହାଯାଏ। ବ୍ଲବ୍ ଫିସ୍‌ ସାଇକ୍ରୋଲୁଟିଡେ ପରିବାରର ଏକ ଗଭୀର ସମୁଦ୍ରର ମାଛ। ଏହାର ଶରୀର ଗୋଲାପୀ-ଧୂସର ରଙ୍ଗର, ମୁଣ୍ଡ ନରମ ଏବଂ ଆଖି ବଡ଼ ଓ ଗାଢ଼ କଳା ରଙ୍ଗର ହୋଇଥାଏ। ଏହାର ଲମ୍ବ ପ୍ରାୟ ୩୦ ସେଣ୍ଟିମିଟର ହୋଇଥିବା ବେଳେ ଏହାର ଓଜନ ଦୁଇ କିଲୋଗ୍ରାମରୁ କମ୍। ଏହି ମାଛଟି ଦକ୍ଷିଣ-ପୂର୍ବ ଅଷ୍ଟ୍ରେଲିଆ ଓ ତାସ୍‌ମାନିଆ ଉପକୂଳ ନିକଟରେ ୬୦୦ରୁ ୧୨୦୦ ମିଟର ଗଭୀର ସମୁଦ୍ରରେ ବାସ କରେ। ଏହି ମାଛଟିର  ଶରୀରରେ ହାଡ଼ ଓ ମାଂସପେଶୀ ଅତ୍ୟନ୍ତ କମ୍ ଥାଏ। ନରମ ଜେଲି ପରି ଏହାର ଶରୀର ଗଭୀର ସମୁଦ୍ରର ଭୟଙ୍କର ଚାପକୁ ସହିବାରେ ସାହାଯ୍ୟ କରେ।

ଏହା ପାଣି ଭିତରେ ସାଧାରଣ ମାଛ ପରି ଦେଖାଯାଏ। କିନ୍ତୁ ପାଣିରୁ ବାହାର କରାଗଲେ ଡିକମ୍ପ୍ରେସନ୍‌ର ପ୍ରଭାବରେ ଏହାର ଶରୀର ଫୁଲିଯା‌ଏ  ଓ ଚମଡ଼ା ତଳକୁ  ଝୁଲିଯାଏ ଫଳରେ ଏହା ଅତ୍ୟନ୍ତ ଅସୁନ୍ଦର ଦେଖାଯାଏ। ଏହି ମାଛ ମଣିଷ ପାଇଁ ଆଦୌ ବିପଜ୍ଜନକ ନୁହେଁ। ଏମାନେ ଏତେ ଗଭୀର ସମୁଦ୍ରରେ ବାସ କରନ୍ତି ଯେ ସାଧାରଣ ଲୋକ ଦେଖିବା ପ୍ରାୟ ଅସମ୍ଭବ। ୨୦୧୩ ମସିହାରେ ବ୍ଲବ୍ ଫିସ୍‌କୁ ‘ବିଶ୍ୱର ସବୁଠାରୁ ଅସୁନ୍ଦର ପ୍ରାଣୀ’ ଭାବେ ଘୋଷଣା କରିଥିଲା ଅଗ୍‌ଲି ଆନିମଲ୍ ପ୍ରିଜର୍ଭେସନ୍ ସୋସାଇଟି। ଏହି ସୋସାଇଟି ଅବହେଳିତ ପ୍ରାଣୀମାନଙ୍କ ସୁରକ୍ଷା ପ୍ରତି ସାମାଜିକ ସଚେତନତା ବଢ଼ାଇବା ଲକ୍ଷ୍ୟରେ କାର୍ଯ୍ୟକରୁଛି। ସୋସାଇଟିର ସଭାପତି ସାଇମନ୍ ୱାଟ୍‌ କହନ୍ତି, ‘‘ସୁନ୍ଦର ପ୍ରାଣୀମାନଙ୍କ ତୁଳନାରେ ଏହିପରି କଦାକାର ପ୍ରାଣୀମାନଙ୍କର ସୁରକ୍ଷା ଅଧିକ ଆବଶ୍ୟକ।’’

ସୌଜନ୍ୟ ସମ୍ବାଦ