ଚଳିତ ବର୍ଷ ଏପ୍ରିଲ୍ ମାସରେ ତାମିଲନାଡୁ ଓ ପଶ୍ଚିମବଙ୍ଗ ନିର୍ବାଚନ ନିମନ୍ତେ ଭୋଟ୍ ଗ୍ରହଣ ଚାଲିଥିବା ବେଳେ ସମଗ୍ର ଭାରତରେ ଗ୍ରୀଷ୍ମପ୍ରବାହ ତୀବ୍ରତର ହୋଇଛି। ଗ୍ରୀଷ୍ମପ୍ରବାହ ଯୋଗୁଁ ପଶ୍ଚିମବଙ୍ଗରେ ଅନ୍ୟୂନ ଚାରିଜଣଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି। ଏହା ଆଗରୁ ଏପ୍ରିଲ୍ ପ୍ରଥମାର୍ଦ୍ଧରେ କେରଳରେ ମଧ୍ୟ ସ୍ବାଭାବିକ ସମୟଠାରୁ ଆଗୁଆ ଏବଂ ଅପ୍ରତ୍ୟାଶିତ ଗ୍ରୀଷ୍ମ ଓ ଗୁଳୁଗୁଳି ପାଗରେ ବିଧାନସଭା ନିର୍ବାଚନ ହୋଇଥିଲା। ଏତାଦୃଶ ପ୍ରତିକୂଳ ପାଣିପାଗ ସମଗ୍ର ରାଜ୍ୟରେ ନିର୍ବାଚନ ପ୍ରଚାର ଅଭିଯାନର ରୂପରେଖ ବଦଳାଇ ଦେଇଥିଲା। ରାଜ୍ୟରେ ବର୍ଦ୍ଧିଷ୍ଣୁ ତାପମାତ୍ରା ଓ ଅସନ୍ତୁଳିତ ଜଳବାୟୁ ଯୋଗୁଁ ପ୍ରାର୍ଥୀ, ଦଳୀୟ କର୍ମୀ ଓ ଭୋଟର୍ମାନଙ୍କୁ ପାଣିପାଗ ଅନୁଯାୟୀ ପ୍ରସ୍ତୁତ ହେବାକୁ ପଡ଼ିଥିଲା। କେବଳ ଭାରତ ନୁହେଁ, ବିଶ୍ବର ବିଭିନ୍ନ ଦେଶରେ ଗ୍ରୀଷ୍ମପ୍ରବାହ, ବନ୍ୟା ଓ ତୋଫାନ ଭଳି ଚରମ ପାଣିପାଗଜନିତ ଦୁର୍ବିପାକ ନିର୍ବାଚନରେ ବ୍ୟାଘାତ ସୃଷ୍ଟି କରୁଛି। ପ୍ରାୟ ୨୦ ବର୍ଷ ହେବ ଏତାଦୃଶ ଦୁର୍ବିପାକ ଯୋଗୁଁ ସମଗ୍ର ବିଶ୍ବରେ ୯୪ଟି ନିର୍ବାଚନ ପ୍ରଭାବିତ ହୋଇଥିବା କଥା ଏକ ରିପୋର୍ଟରୁ ଜଣାପଡ଼ିଛି। ଭାରତରେ ଚରମ ଜଳବାୟୁଜନିତ ଦୁର୍ବିପାକ ବୃଦ୍ଧି ପାଇଚାଲିଥିବା କଥା ମଧ୍ୟ ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।
୨୦୨୨ରେ ୩୬୫ ଦିନରୁ ଭାରତରେ ୩୧୪ ଦିନ ଚରମ ଜଳବାୟୁଜନିତ ଦୁର୍ବିପାକ ପଡ଼ିଥିଲା। ସେହିପରି ୨୦୨୫ ଜାନୁଆରିରୁ ନଭେମ୍ବର ପର୍ଯ୍ୟନ୍ତ ଦେଶରେ ୩୩୧ ଦିନ ଚରମ ଜଳବାୟୁଜନିତ ଦୁର୍ବିପାକ ପଡ଼ିଥିଲା। ଏସବୁ ଚରମ ଜଳବାୟୁ ପରିସ୍ଥିତି ସମ୍ପ୍ରତି ଦେଶର ନିର୍ବାଚନ ରୂପରେଖ ନିର୍ଦ୍ଧାରଣ କରିଲାଣି। ଦୃଷ୍ଟାନ୍ତସ୍ବରୂପ ୨୦୨୪ ଲୋକସଭା ନିର୍ବାଚନରେ ଦେଶର ଏକାଧିକ ପ୍ରାନ୍ତରେ ତାପମାତ୍ରା ୪୫ ଡିଗ୍ରି ସେଲିସିୟସ୍ ଅତିକ୍ରମ କରିଯାଇଥିଲା। ଚୂଡ଼ାନ୍ତ ଭୋଟ୍ ଗ୍ରହଣ ଦିନ ସେ ବର୍ଷ ଉତ୍ତରପ୍ରଦେଶରେ ଗ୍ରୀଷ୍ମପ୍ରବାହ ହେତୁ ଅନେକ ପୋଲିଙ୍ଗ୍ ଅଫିସର୍ଙ୍କର ମୃତ୍ୟୁ ଘଟିଥିଲା। ଏଭଳି ଅଘଟଣ ମୁକାବିଲା କରିବା ଲାଗି ଭାରତର ନିର୍ବାଚନ କମିସନ୍ ଭୋଟ୍ ଗ୍ରହଣ କେନ୍ଦ୍ରରେ ପାନୀୟଜଳ ବିତରଣ, ଛାୟାପ୍ରଦ ପ୍ରତୀକ୍ଷାସ୍ଥଳ, ମେଡିକାଲ୍ କିଟ୍ ପ୍ରଭୃତି ବ୍ୟବସ୍ଥା କରିଥିଲା।
ଏହାଛଡ଼ା, ୨୦୨୪ରେ ଓଡ଼ିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ବେଳେ ଭୋଟ୍ ଗ୍ରହଣ ଦିନ କଳାହାଣ୍ଡି ଜିଲ୍ଲାରେ ଅତ୍ୟଧିକ ଗ୍ରୀଷ୍ମପ୍ରବାହ ଯୋଗୁଁ କେତେଜଣ ପ୍ରିଜାଇଡିଙ୍ଗ୍ ଅଫିସର୍ ପ୍ରାଣ ହରାଇଥିଲେ ଓ ଆହୁରି କେତେଜଣ ଗ୍ରୀଷ୍ମପ୍ରବାହଜନିତ ସାଙ୍ଘାତିକ କୁପରିଣାମ ଭୋଗିଥିଲେ। ସେହିପରି, ୨୦୧୯ରେ ସାମୁଦ୍ରିକ ବାତ୍ୟା ଫନି ଯୋଗୁଁ ଓଡ଼ିଶାର ଗୋଟାଏ ନିର୍ବାଚନ ମଣ୍ଡଳୀରେ ଭୋଟ୍ ଗ୍ରହଣ ୨୧ ଦିନ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ୨୦୨୦େର ବନ୍ୟା ହେତୁ ବିହାର ରାଜ୍ୟ ବିଧାନସଭା ନିର୍ବାଚନ ଏବଂ ପୁନଶ୍ଚ ୨୦୨୪ରେ ବିଧାନ ପରିଷଦ ନିର୍ବାଚନ ବିଶେଷ ପ୍ରଭାବିତ ହୋଇଥିଲା। ୨୦୨୫ରେ ପଞ୍ଜାବ ଜିଲ୍ଲା ପରିଷଦ ଓ ପଞ୍ଚାୟତ ନିର୍ବାଚନ ମଧ୍ୟ ବନ୍ୟା ହେତୁ ୧୯୭ ଦିନ ବିଳମ୍ବରେ ଅନୁଷ୍ଠିତ ହୋଇଥିଲା।ପ୍ରକାଶିତ ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଗତ ଦୁଇ ଦଶନ୍ଧିରେ ଚରମ ଜଳବାୟୁଜନିତ ଦୁର୍ବିପାକ ଯୋଗୁଁ ୫୨ଟି ଦେଶରେ ଅନ୍ୟୂନ ୯୪ଟି ନିର୍ବାଚନରେ ବ୍ୟାଘାତ ସୃଷ୍ଟି ହୋଇଛି। ୨୦୦୬ରୁ ୨୦୨୫ ମଧ୍ୟରେ ପ୍ରାକୃତିକ ଦୁର୍ବିପାକ ଏତେ ଭୀଷଣ ହେଲା ଯେ ସେଥିଯୋଗୁଁ ଅନ୍ୟୂନ ୨୬ଟି ନିର୍ବାଚନ ଓ ରେଫରେଣ୍ଡମ୍ ସମ୍ପୂର୍ଣ୍ଣ ଅଥବା ଆଂଶିକ ବିଳମ୍ବ ହୋଇଥିଲା।
କେବଳ ୨୦୨୪ରେ ଗ୍ରୀଷ୍ମ କଟୀବନ୍ଧୀୟ ବାତ୍ୟା, ବନ୍ୟା, ଗ୍ରୀଷ୍ମପ୍ରବାହ, ବନାଗ୍ନି ଓ ଆଗ୍ନେୟଗିରି ଉଦ୍ଗିରଣ ହେତୁ ୧୮ଟି ଦେଶରେ ଅନ୍ୟୂନ ୨୩ଟି ନିର୍ବାଚନ ପ୍ରଭାବିତ ହୋଇଥିଲା।
୨୦୨୨ରେ ବନ୍ୟା ଯୋଗୁଁ ଅଷ୍ଟ୍ରେଲିଆର ଭିକ୍ଟୋରିଆ, ୨୦୨୩ରେ କାନାଡାରେ ବନାଗ୍ନି ଯୋଗୁଁ, ୨୦୧୯ରେ ବାତ୍ୟା ଯୋଗୁଁ ମୋଜାମ୍ବିକ୍, ୨୦୨୫ରେ ଫିଲିପାଇନ୍ସ୍ରେ ଗ୍ରୀଷ୍ମପ୍ରବାହ ଯୋଗୁଁ ଓ ବନାଗ୍ନିଜନିତ ବ୍ୟାଘାତ ହେତୁ ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆରେ ନିର୍ବାଚନ ବାଧାପ୍ରାପ୍ତ ହୋଇଥିଲା।
ଅବଶ୍ୟ ଉକ୍ତ ରିପୋର୍ଟରେ ସମ୍ଭାବ୍ୟ ପ୍ରତିକାର ନିମନ୍ତେ ସରକାରଙ୍କୁ ୧୧ଟି ପ୍ରସ୍ତାବ ଦିଆଯାଇଛି। ସେସବୁ ହେଉଛି- ପ୍ରାକୃତିକ ଦୁର୍ବିପାକ ଅତିଶୟ ହେଉଥିବା ସମୟ ଅତିକ୍ରାନ୍ତ ହେବା ପରେ ନିର୍ବାଚନ ନିର୍ଘଣ୍ଟ ଧାର୍ଯ୍ୟ କରାଯାଉ, ପ୍ରୟୋଜନ ହେଲେ ନିର୍ବାଚନ ବାତିଲ କରିବା ନିମନ୍ତେ ସରଳ ଆଇନଗତ ବ୍ୟବସ୍ଥା ରଖାଯାଉ, ପାଣିପାଗ ଓ ଦୁର୍ବିପାକ ପ୍ରଶମନ ଏଜେନ୍ସିଙ୍କ ସହିତ ନିର୍ବାଚନ ଏଜେନ୍ସିମାନେ ସମନ୍ବୟ ରକ୍ଷାକରୁଛନ୍ତି ବୋଲି ସୁନିଶ୍ଚିତ ହୁଅନ୍ତୁ।
ସୌଜନ୍ୟ ସମ୍ବାଦ

