କଟକ: ଜଗତପୁର ଥାନା ଅନ୍ତର୍ଗତ ପାଗା ଫାଣ୍ଡିରେ ଘଟିଛି ଅଭାବନୀୟ ଘଟଣା। ନ୍ୟାୟ ପାଇଁ ବାରମ୍ବାର ପୁଲିସର ଦ୍ବାରସ୍ଥ ହୋଇ ନିରାଶ ହେବା ପରେ ଜଣେ ଚାଷୀ ଫାଣ୍ଡି ଭିତରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅନ୍ୟପଟେ ଚାଷୀଙ୍କୁ ବିଷ ପିଇବାରୁ ନିବୃତ୍ତ କରିବା ବଦଳରେ ସେହି ସମୟର ଦୃଶ୍ୟକୁ ଜଣେ ପୁଲିସ କର୍ମଚାରୀ ମୋବାଇଲ୍ ଫୋନ୍ରେ ରେକର୍ଡ କରିବା ଘଟଣା ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ଗୁରୁତର ଚାଷୀ ଚକ୍ରଧର ପାତ୍ରଙ୍କୁ ତାଙ୍କ ପୁଅ ଜଗତପୁରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି।
ସୂଚନା ମୁତାବକ ପାଗା ଫାଣ୍ଡି ଅନ୍ତର୍ଗତ ରାମେଶ୍ବର ଚାହାପଡ଼ା ଗ୍ରାମର ଜଣେ ବ୍ୟକ୍ତି ଜଗତପୁରସ୍ଥିତ ଏକ କମ୍ପାନିରେ ତାଙ୍କ ଗାଡ଼ି ଭଡ଼ା ସୂତ୍ରରେ ଲଗାଇଥିଲେ। କମ୍ପାନିର ସାମଗ୍ରୀକୁ ଗାଡ଼ିରେ ଜଗତପୁରରୁ ପାରାଦୀପ ପଠାଯାଉଥିଲା। ଗତ ଜାନୁଆରି ୭ ତାରିଖରେ ତାଙ୍କ ଗାଡ଼ି ଜଗତପୁରରୁ ମାଲ୍ ବୋଝେଇ କରି ଗାଡ଼ିକୁ ତାଙ୍କ ଘରକୁ ନେଇଥିଲେ। ସେଠାରୁ ପାରାଦୀପ ଯାଇଥାନ୍ତା। ତେବେ ସେହିଦିନ ରାତିରେ ଗାଡ଼ିରୁ ଏକ ପ୍ୟାକେଟ୍ ଜିନିଷ ଚୋରି ହୋଇଥିଲା। ସେହିଦିନ ଚକ୍ରଧରଙ୍କ ଦୁଇ ପୁଅ ଓ ଗ୍ରାମର ଅନ୍ୟ ଚାରି ଜଣ ଯୁବକ ଭୋଜି କରୁଥିଲେ। ସେହି ଭୋଜି ସମୟରେ ଚୋରି ହୋଇଥିବା ସନ୍ଦେହ କରି ଚକ୍ରଧରଙ୍କ ପୁଅଙ୍କ ନାମରେ ଅଭିଯୋଗ ଆଣି ଗାଡ଼ି ମାଲିକ ପାଗା ଫାଣ୍ଡିରେ ଏତଲା ଦେଇଥିଲେ। ଫାଣ୍ଡି ପୁଲିସ ଚକ୍ରଧରଙ୍କ ପୁଅଙ୍କୁ ଡାକି ପଚରାଉଚରା କରି ତଦନ୍ତ ଜାରି ରଖିଥିଲା।
ଅବସ୍ଥା ସଙ୍କଟାପନ୍ନ
ଘରୋଇ ଡାକ୍ତରଖାନାରେ ଭର୍ତ୍ତି
ପରେ ଚକ୍ରଧରଙ୍କ ଖଳାରୁ ୧୨ ବସ୍ତା ଧାନ ଚୋରି ହୋଇଥିଲା। ଚକ୍ରଧର ଧାନ ଚୋରିର ଅଭିଯୋଗ ମଧ୍ୟ ଫାଣ୍ଡିରେ ଦେଇଥିଲେ। ପୁଣି ଚକ୍ରଧରଙ୍କ ବାଡ଼ିରେ କେହି ପଶି ଫସଲ ନଷ୍ଟ କରିବା, ତାଙ୍କ ଜମିରୁ ଫସଲ କାଟିନେବା ସଂପର୍କରେ ଚକ୍ରଧର ବାରମ୍ବାର ପୁଲିସ ପାଖକୁ ଯାଇ ନ୍ୟାୟ ମାଗିଥିଲେ। କିନ୍ତୁ ପୁଲିସ ଏ ସମ୍ପର୍କରେ କୌଣସି ପଦକ୍ଷେପ ନେଇ ନ ଥିବାବେଳେ ଚକ୍ରଧରଙ୍କ ପୁଅମାନଙ୍କ ନାମରେ ଥିବା ଅଭିଯୋଗରେ ଥରକୁ ଥର ସେମାନଙ୍କୁ ଡାକି ପଚରାଉଚରା କରିବା ସହ ମାନସିକ ନିର୍ଯାତନା ଦେଉଥିଲା। ପୁଲିସଠାରୁ ନ୍ୟାୟ ନ ପାଇ ଫାଣ୍ଡି ଭିତରେ ଚକ୍ରଧର ଚାଷରେ ବ୍ୟବହାର ପାଇଁ ଆଣିଥିବା କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏବେ ଚକ୍ରଧର ଜଗତପୁରସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି l
ଜଗତପୁର ଥାନା ଆଇଆଇସି ପ୍ରଶାନ୍ତ ସାସମଲ କହିଛନ୍ତି ଯେ ଗୋଟିଏ ଗାଁର ଦୁଇ ପକ୍ଷ ପରସ୍ପର ବିରୋଧରେ ଅଭିଯୋଗ ଆଣିଥିଲେ। ଉଭୟପକ୍ଷଙ୍କୁ ଡାକି ଫାଣ୍ଡି ଅଧିକାରୀ ଆଲୋଚନା କରୁଥିବା ବେଳେ ଉତ୍ତ୍ୟକ୍ତ ହୋଇ ସଂପୃକ୍ତ ବ୍ୟକ୍ତି ବିଷ ପିଇ ଦେଇଥିଲେ। ତାଙ୍କୁ ଜଗତପୁରର ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାର ତଦନ୍ତ କରାଯାଉଛି ବୋଲି ଶ୍ରୀ ସାସମଲ କହିଛନ୍ତି।
ସୌଜନ୍ୟ ସମ୍ବାଦ
