farmers protest: ଆନ୍ଦୋଳନକୁ ଓହ୍ଲାଇବେ ୧୦ରୁ ଅଧିକ ଶ୍ରମିକ ଓ ଚାଷୀ ସଂଗଠନ: ଶ୍ରମକୋଡ୍‌ ପ୍ରତ୍ୟାହାର ଦାବିରେ ଦେଶବ୍ୟାପୀ ଧର୍ମଘଟ ୧୨ରେ

କେନ୍ଦ୍ର ସରକାର ଲାଗୁ କରିଥିବା ୪ ଶ୍ରମକୋଡ୍‌ ଶ୍ରମିକ ବିରୋଧୀ। ଏହି ୪ ଶ୍ରମକୋଡ୍ ଶ୍ରମିକମାନଙ୍କୁ ମାଲିକମାନଙ୍କ ଗୋଲାମ କରିଦେବ ଓ ଶହେ ବର୍ଷ ତଳର ସ୍ଥିତିକୁ ଠେଲିଦେବ। ଶ୍ରମିକ ବିରୋଧୀ ଏହି ଶ୍ରମକୋଡ୍‌ ପ୍ରତ୍ୟାହାର....

ଭୁବନେଶ୍ୱର: କେନ୍ଦ୍ର ସରକାର ଲାଗୁ କରିଥିବା ୪ ଶ୍ରମକୋଡ୍‌ ଶ୍ରମିକ ବିରୋଧୀ। ଏହି ୪ ଶ୍ରମକୋଡ୍ ଶ୍ରମିକମାନଙ୍କୁ ମାଲିକମାନଙ୍କ ଗୋଲାମ କରିଦେବ ଓ ଶହେ ବର୍ଷ ତଳର ସ୍ଥିତିକୁ ଠେଲିଦେବ। ଶ୍ରମିକ ବିରୋଧୀ ଏହି ଶ୍ରମକୋଡ୍‌ ପ୍ରତ୍ୟାହାର ଦାବିରେ ଦେଶବ୍ୟାପୀ ଫେବ୍ରୁଆରି ୧୨ ତାରିଖରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ ଓ ସ୍ବାଧୀନ ‌ଫେଡେରେସନ୍‌ ସମୂହ ପକ୍ଷରୁ କୁହାଯାଇଛି।

ମହାତ୍ମା ଗାନ୍ଧୀ ମାର୍ଗସ୍ଥିତ ଆଇଏନ୍‌ଟିୟୁସି ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ନେତୃବୃନ୍ଦ ଅଭିଯୋଗ କରିଛନ୍ତି, ଏ ପର୍ଯ୍ୟନ୍ତ ଶ୍ରମିକମାନଙ୍କୁ ଆଇନଗତ ସୁରକ୍ଷା ଓ ଅଧିକାର ପ୍ରଦାନ କରି ଆସୁଥିବା ସମସ୍ତ ୨୯ଟି ଶ୍ରମ ଆଇନକୁ କେନ୍ଦ୍ର ସରକାର ଉଚ୍ଛେଦ କରି ୪ ନୂଆ ଶ୍ରମକୋଡ୍‌ ଲାଗୁ କରିଛନ୍ତି। ଏହି କୋଡ୍ ଶ୍ରମିକମାନଙ୍କର ଏକ ବଡ଼ ଅଂଶକୁ ‘ଶ୍ରମିକ’ ପରିସରରୁ ବାହାର କରିଦେବ, ଯଦ୍ୱାରା ସେମାନଙ୍କ ଅସ୍ତିତ୍ୱ ବିପଦରେ ପଡ଼ିବ। ଉଚ୍ଛେଦ ୨୯ଟି ଶ୍ରମ ଆଇନ ବ୍ରିଟିସ୍‌ ଶାସନ ବିରୋଧରେ ଭାରତୀୟ ଜନତାଙ୍କ ସଂଗ୍ରାମ ଓ ବଳିଦାନରୁ ହାସଲ ହୋଇଥିଲା। ନୂଆ ଶ୍ରମ କୋଡ୍ ଦେଶର ସମ୍ବିଧାନ ଉପରେ ଏକ ବଡ଼ ଆକ୍ରମଣ। ଏହି କୋଡ୍ ଶିଳ୍ପପତି ଓ ମାଲିକଙ୍କ ସ୍ବାର୍ଥ ସାଧନ କରିବ। ୨୦୨୫ ନଭେମ୍ବର ୨୧ରେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହାକୁ ଲାଗୁ କରିବା ପାଇଁ କେନ୍ଦ୍ରୀୟ ନିୟମାବଳୀ ପ୍ରସ୍ତୁତ କରାଯାଉଛି। ଚାଷୀଙ୍କୁ ଏମ୍‌ଏସ୍‌ପିର ଗ୍ୟାରେଣ୍ଟି ମିଳିଲା ନାହିଁ, ଓଲଟା ଆମେରିକା ସହ ହୋଇଥିବା ଚୁକ୍ତିରେ ଆମେରିକୀୟ କୃଷିଜାତ ଦ୍ରବ୍ୟ ପାଇଁ ଭାରତୀୟ ବଜାରକୁ ଖୋଲି ଦିଆଗଲା। ଏହାଦ୍ୱାରା ଦେଶର କୃଷିଭିତ୍ତିକ ଅର୍ଥନୀତି ବରବାଦ ହେବ ଓ ଚାଷୀଙ୍କ ସଙ୍କଟ ବୃଦ୍ଧି ପାଇବ।

ମନରେଗାରେ ନିଶ୍ଚିତ କର୍ମନିଯୁକ୍ତିକୁ ହଟାଇ ଭିବିଜିରାମଜି ଆଇନ-୨୦୨୫ ପ୍ରଣୟନ କରି ଆର୍ଥିକ ବୋଝ ରାଜ୍ୟଗୁଡ଼ିକ ଉପରେ ଲଦି ଦିଆଯାଉଛି। ଏହାର ପ୍ରତିବାଦରେ ଏହି ଧର୍ମଘଟ ଡାକରା ଦିଆଯାଇଛି। ୧୦ରୁ ଅଧିକ ଶ୍ରମିକ ସଂଗଠନ ସହ ସଂଯୁକ୍ତ କିଷାନ ମୋର୍ଚ୍ଚା, ଗ୍ରାମୀଣ କ୍ଷେତମଜଦୁର ସଂଘମାନେ ବି ଏହି ଧର୍ମଘଟକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଉଛି। ସାମ୍ବାଦିକ ସମ୍ମିଳନୀରେ ଆଇଏନ୍‌ଟିୟୁସିର ରାଜ୍ୟ ସଭାପତି ଡ. ରାମଚନ୍ଦ୍ର ଖୁଣ୍ଟିଆ, ଉପସଭାପତି ମଦନ ମୋହନ ଧଳ, ଏଆଇଟିୟୁସିର ସାଧାରଣ ସମ୍ପାଦକ ବିଜୟ ଜେନା, ଏଚ୍‌ଏମ୍‌ଏସ୍‌ର ସମ୍ପାଦକ ବି. ଏନ୍‌. ମହାପାତ୍ର, ସିଆଇଟିୟୁର ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି, ଉପସଭାପତି ଦୁଷ୍ମନ୍ତ ଦାସ, ଏଆଇୟୁଟିୟୁସିର ଉପସଭାପତି ପୂର୍ଣ୍ଣଚନ୍ଦ୍ର ବେହେରା, ଏଆଇସିସିଟିୟୁର ସଭାପତି ରାଧାକାନ୍ତ ସେଠୀ, ସାଧାରଣ ସମ୍ପାଦକ ମହେନ୍ଦ୍ର ପରିଡ଼ା, ଟିୟୁସିସିର ନେତା ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ଏଲ୍‌ପିଏଫର କାର୍ଯ୍ୟକାରୀ ସଭାପତି ମଧୁସୁଦନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଆନ୍ଦୋଳନକୁ ସଫଳ କରିବାକୁ ଆହ୍ବାନ ଦେଇଥିଲେ।

ସୌଜନ୍ୟ ସମ୍ବାଦ

Exit mobile version