ଅନୁଭବ ସିହ୍ନା ନିର୍ଦେଶିତ ‘ଅଶୀ’ ଚଳଚ୍ଚିତ୍ର ଜରିଆରେ ପହଲ ସାମୟାନୀ ବଲିଉଡ୍ରେ ପାଦ ଥାପିଛନ୍ତି। ଏଥିରେ ସେ ଶ୍ବେତା ନାମ୍ନୀ ଏୟାର୍ ହୋଷ୍ଟେସ୍ ଭୂମିକାରେ ଅଭିନୟ କରିଛନ୍ତି। ଏହି ପାର୍ଶ୍ବ ଚରିତ୍ରରେ ତାଙ୍କ ପଦାର୍ପଣ ଅଭିନୟକୁ ସମୀକ୍ଷକଙ୍କ ଠାରୁ ଆରମ୍ଭ କରି ଦର୍ଶକମାନେ ଖୁବ୍ ପ୍ରଶଂସା କରୁଛନ୍ତି। ଯୌନ ହିଂସା ପରି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ଉତ୍ଥାପନ କରିଥିଲେ ହେଁ ଏହି ଚଳଚ୍ଚିତ୍ର ବ୍ୟାବସାୟିକ ଦୃଷ୍ଟିରୁ ବିଫଳ ହୋଇଛି। ଅଧିକ ଲୋକ ଏହି ଚଳଚ୍ଚିତ୍ର ଦେଖିଲେନି ବୋଲି ପହଲ କ୍ଷୋଭ ପ୍ରକାଶ କରିବା ସ୍ବାଭାବିକ। ତେବେ ଅନୁଭବଙ୍କ ପରି ନିର୍ଦେଶକ ଓ ତାପସୀ ପନ୍ନୁଙ୍କ ପରି ଦକ୍ଷ ଅଭିନେତ୍ରୀଙ୍କ ସହିତ କାମ କରି ସେ ଖୁବ୍ ସନ୍ତୁଷ୍ଟ।
ପ୍ରଥମ ଚଳଚ୍ଚିତ୍ର ବକ୍ସ ଅଫିସ ବିଫଳତା ଚାଖିଥିବାରୁ ତାଙ୍କ କ୍ୟାରିଅର୍କୁ ନେଇ ସେ ଚିନ୍ତିତ କି ବୋଲି ପଚାରାଯିବାରୁ ସେ କହିଛନ୍ତି ଯେ ସଂଖ୍ୟା ତାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ନୁହେଁ। ମହିଳାଙ୍କ ସୁରକ୍ଷା ଓ ସାମାଜିକ ପରିବର୍ତ୍ତର ଆହ୍ବାନ କରୁଥିବା ଏହି କାହାଣୀରେ କାମ କରିଥିବାରୁ ସେ ଗର୍ବିତ। ଏହି ଚଳଚ୍ଚିତ୍ର ଅଧିକ ଲୋକଙ୍କ ପାଖରେ ପହଞ୍ଚିଲେ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗ ନେଇ ବ୍ୟାପକ ଆଲୋଚନା ହୁଅନ୍ତା ବୋଲି ସେ ଆଶା କରୁଥିଲେ। ୨୦ ବର୍ଷୀୟ ପହଲଙ୍କ ଜନ୍ମ ଦୁବାଇରେ। ସେ ଆଠ-ନଅ ବର୍ଷ ବୟସରୁ ମଞ୍ଚ ଅଭିନୟ କରିଆସୁଥିଲେ। ତାଙ୍କ ସ୍ବପ୍ନ ଥିଲା ମୁମ୍ବାଇ ଆସି ଅଭିନୟରେ କ୍ୟାରିଅର୍ ଗଢ଼ିବେ। କାଷ୍ଟିଂ ଡାଇରେକ୍ଟର ମୁକେଶ ଛାବ୍ରା ତାଙ୍କୁ ‘ଅଶୀ’ରେ ଅଭିନୟ କରିବାକୁ ବାଛିଥିଲେ। ‘ଅଶୀ’ ପରେ ତାଙ୍କ ହାତ ଖାଲି। ଆଗକୁ କେଉଁଠି ସୁଯୋଗ ମିଳିବ ସେ ଅପେକ୍ଷାରେ ଅଛନ୍ତି।
ସୌଜନ୍ୟ ସମ୍ବାଦ
