Foreign University Campuses: ଭିସା ଟେନସନ୍ରୁ ମୁକ୍ତି ! ଦେଶରେ ରହି ବିଦେଶୀ ଶିକ୍ଷା, Gen-Zଙ୍କ ପସନ୍ଦ ଫରେନ୍ କ୍ୟାମ୍ପସ

ନୂଆଦିଲ୍ଲୀ, ୨।୯: ଭିସାକୁ ନେଇ ଅନିଶ୍ଚିତତା ମଧ୍ୟରେ ଭାରତୀୟ ଛାତ୍ରଛାତ୍ରୀମାନେ ଏବେ ଦେଶରେ ଥିବା ବିଦେଶୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପଢ଼ିବା ପାଇଁ ରୁଚି ଦେଖାଉଛନ୍ତି । ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀଙ୍କ ଖର୍ଚ୍ଚ କମିବ । ସେମାନେ ନିଜ ଦେଶରେ ରହି ବିଶ୍ୱସ୍ତରୀୟ ଶିକ୍ଷା ପଦ୍ଧତି ପାଇପାରିବେ । ଏହାସହିତ ମଝିରେ ମଝିରେ ଭିସାକୁ ନେଇ ଯେଉଁ ପ୍ରକାର ଝଟ୍କା ମିଳୁଛି ସେଥିରୁ ମୁକ୍ତି ମିଳିବ । ଏମିରିଟସ୍ ପକ୍ଷରୁ ପ୍ରସ୍ତୁତ ଏକ ସର୍ଭେରେ ଭାଗ ନେଇଥିବା ୧,୦୧୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରାୟ ୬୮% କହିଛନ୍ତି ଯେ, ସେମାନେ ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ଦ୍ୱାରା ଭାରତରେ ପ୍ରଦାନ କରାଯାଉଥିବା କ୍ୟାମ୍ପସ ପ୍ରୋଗ୍ରାମରେ ନାମ ଲେଖାଇବାକୁ ଚାହାନ୍ତି । ପ୍ରମୁଖ ଭାରତୀୟ ସହରଗୁଡ଼ିକରେ ୧୫ରୁ ୨୮ ବର୍ଷୀୟ ଛାତ୍ରଛାତ୍ରୀଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା । ଉଚ୍ଚ ଶିକ୍ଷା ପାଇଁ ନିଷ୍ପତ୍ତି ନେଉଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବର୍ତ୍ତମାନ ଏଭଳି ଏକ ଟ୍ରେଣ୍ଡ୍ ଦେଖିବାକୁ ମିଳୁଛି । ଅଣ୍ଡର୍ଗ୍ରାଜୁଏଟ୍ ପ୍ରୋଗ୍ରାମରେ ନାମ ଲେଖାଇଥିବା କିମ୍ବା ପୋଷ୍ଟ-ଗ୍ରାଜୁଏଟ୍ ପାଇଁ ପ୍ରସ୍ତୁତି କରୁଥିବା ୬୯% ଛାତ୍ରଛାତ୍ରୀ ଭିସା ଅନିଶ୍ଚିତତାକୁ ଏଡ଼ାଇବା ପାଇଁ ବିଦେଶକୁ ଯିବା ବଦଳରେ ଭାରତରେ ରହି ବିଦେଶୀ ପ୍ରୋଗ୍ରାମରେ ନାମ ଲେଖାଇବାକୁ ଚାହୁଁଥିବା ପ୍ରକାଶ କରିଛନ୍ତି ।
ଆଗାମୀ ଦୁଇ ବର୍ଷରେ ଏମାନେ ଭାରତରେ ଥିବା ବିଦେଶୀ ବିଶ୍ୱବିଦ୍ୟାଳୟଗୁଡ଼ିକର କ୍ୟାମ୍ପସରେ ନାମ ଲେଖାଇବାକୁ ଦୃଢ଼ ଇଚ୍ଛା ପ୍ରକାଶ କରିଛନ୍ତି । ଖର୍ଚ୍ଚ ଚିନ୍ତା, ଇମିଗ୍ରେଶନ ନିୟମକୁ ନେଇ ସମସ୍ୟା ଏବଂ ବିଦେଶରେ ଅବସ୍ଥାପିତ ହେବାରେ ଥିବା ଅସୁବିଧାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରମାନେ ଦେଶରେ ରହି ବିଦେଶୀ ପାଠ୍ୟକ୍ରମ ପଢ଼ିବା ପାଇଁ ଚାହୁଁଥିବା ସର୍ଭେ ରିପୋର୍ଟରୁ ଜଣାପଡ଼ିଛି । ସର୍ଭେରେ ଭାଗ ନେଇଥିବା ୭୨% ଛାତ୍ରଛାତ୍ରୀଙ୍କ ମତରେ, ସମାନ ବିଦେଶୀ ବିଶ୍ୱବିଦ୍ୟାଳୟର ବାହାର କ୍ୟାମ୍ପସ ଏବଂ ଭାରତୀୟ କ୍ୟାମ୍ପସରେ ପାଠପଢ଼ା ବାବଦ ଖର୍ଚ୍ଚରେ ଆକାଶ ପାତାଳ ତଫାତ ରହୁଛି । ସମାନ ପାଠପଢ଼ା ପାଇଁ ବିଦେଶୀ କ୍ୟାମ୍ପସରେ ଅଧିକ ଟଙ୍କା ଗଣିବାକୁ ପଡୁଥିବାବେଳେ ଭାରତରେ ଏହା ଅନେକ ମାତ୍ରାରେ କମ୍ ରହୁଛି । ପରିବାର ମଧ୍ୟ ଭାରତରେ ମିଳୁଥିବା ବିଦେଶୀ ଷ୍ଟଡି ପ୍ରୋଗ୍ରାମରେ ବ୍ୟୟକୁ ଭଲ ନିବେଶ ବୋଲି ଗଣନା କରୁଛନ୍ତି । ରିପୋର୍ଟ ମୁତାବକ, ଭାରତରେ ଅନ୍ଲାଇନ୍ ବଦଳରେ ବିଦେଶୀ କ୍ୟାମ୍ପସ ପ୍ରୋଗ୍ରାମକୁ ଅଧିକ ପସନ୍ଦ କରୁଛନ୍ତି ଛାତ୍ରଛାତ୍ରୀ । ରିପୋର୍ଟ ଅନୁସାରେ, ଭାରତରେ ଥିବା ବିଦେଶୀ କ୍ୟାମ୍ପସ ତଥା ହାଇବ୍ରିଡ୍ ଶିକ୍ଷା ମଡେଲକୁ ବିଦେଶୀ ପାଠପଢ଼ା ପାଇଁ କେବଳ ବିକଳ୍ପ ଭାବେ ଦେଖାଯାଉନାହିଁ । ଜେନ୍-ଜେଡ୍ମାନେ ଏହାକୁ ଏକ ପସନ୍ଦଯୋଗ୍ୟ ଶିକ୍ଷା ଟୁଲ୍ ଭାବେ ଗ୍ରହଣ କରିବା ଆରମ୍ଭ କଲେଣି ।
ସୌଜନ୍ୟ ଧରିତ୍ରୀ




