ଜାତୀୟ

Nepal Flood Rescue: ନେପାଳ ବନ୍ୟାରେ ଦେବଦୂତ ସାଜିଲେ ମହିଳା ପାଇଲଟ୍, ୬ ଦିନରେ ୧୦୦ ଉଦ୍ଧାର

ନୂଆଦିଲ୍ଲୀ ୦୨/୦୯: ନେପାଳରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ପରେ ଜଣେ ମହିଳା ହେଲିକପ୍ଟର ପାଇଲଟ ପ୍ରିୟା ଅଧିକାରୀ(୪୦) ବେଶ୍ ଚର୍ଚ୍ଚାରେ । ସେ ୬ ଦିନରେ ପ୍ରାୟ ୧୦୦ ଉଦ୍ଧାର ଅଭିଯାନ ପୂରା କରିଛନ୍ତି । ବନ୍ୟାରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ରସୁୱା ଜିଲ୍ଲାର ତିମୁରେ ଅଞ୍ଚଳ ସମେତ ଅନ୍ୟ ସ୍ଥାନରୁ ଲୋକଙ୍କୁ ସୁରକ୍ଷିତ ଭାବେ ବାହାର କରୁଛନ୍ତି । ଅଦ୍ୟାବଧି ସେ ଶତାଧିକ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ତେଣୁ ସୋସିଆଲ୍ ମିଡିଆରେ ତାଙ୍କୁ ‘ଦେବଦୂତ’ ଭାବେ ସମ୍ବୋଧନ କରାଯାଉଛି ।

ଏକ ସାକ୍ଷାତକାରରେ ପ୍ରିୟା କହିଛନ୍ତି, ଜୀବନରେ ଏଭଳି ବିପର୍ଯ୍ୟୟ ସେ କେବେହେଲେ ଦେଖିନଥିଲେ । ବନ୍ୟା ପ୍ରଭାବିତ ତିମୁରେ ଗାଁ ଉପରେ ପ୍ରାୟ ୨୦ଟି ହେଲିକପ୍ଟର ଲଗାତର ରିଲିଫ୍ ଏବଂ ଉଦ୍ଧାର ଅଭିଯାନରେ ଲାଗିଛନ୍ତି । ଏପରିକି ଗୋଟିଏ ସ୍ଥାନରେ ୫-୬ଟି ହେଲିକପ୍ଟର ଏକସଙ୍ଗରେ ଓହ୍ଲାଇ ଲୋକଙ୍କୁ ଉଦ୍ଧାର କରୁଛନ୍ତି । ସେଥିଯୋଗୁ ସବୁ ପାଇଲଟଙ୍କ ମଧ୍ୟରେ ରେଡିଓ ଦ୍ୱାରା ସମନ୍ୱୟ ସ୍ଥାପନ ଏବଂ ସୁରକ୍ଷିତ ଉଡ଼ାଣ ଏକ ଚାଲେଞ୍ଜ ପାଲଟିଛି । ବିପଦ ତ ହେଲିକପ୍ଟରରେ ଲୋକଙ୍କୁ ବସାଇବା ପୂର୍ବରୁ ହିଁ ଆରମ୍ଭ ହେଉଛି । କାରଣ କିଛି ଅଞ୍ଚଳରେ ଅତ୍ୟଧିକ କାଦୁଅ ଜମା ହୋଇଥିବାରୁ ହେଲିକପ୍ଟରକୁ ମାଟିରେ ଅବତରଣ କରାଇ ଇଞ୍ଜିନ ବନ୍ଦ କରିବା ସମ୍ଭବପର ହେଉନାହିଁ ।

ତିମୁରେ ଉପରେ ଉଡ଼ାଣ ଭରିବାର ଭୟାବହ ଅଭିଜ୍ଞତାକୁ ମନେ ପକାଇ ସେ ଆହୁରି କହିଛନ୍ତି ଯେ, ଅଚାନକ ଆସିଥିବା ଏହି ବନ୍ୟା ପରେ ଚାରିଆଡ଼େ ଶବ ବିଛାଡ଼ି ହୋଇ ପଡି଼ଥିଲା । ସେହି ଦୃଶ୍ୟ ଅତ୍ୟନ୍ତ ବେଦନାଦାୟକ ଥିଲା । ଉଦ୍ଧାର ଅଭିଯାନର ପ୍ରଥମ ଦୁଇ ଦିନରେ ସେଠାରୁ ୨୦୦ରୁ ଅଧିକ ଲୋକଙ୍କୁ ବାହାର କରାଯାଇଥିଲା । ଏହାପରେ ଆଉ କିଛି ଲୋକଙ୍କୁ ଉଦ୍ଧାର କରାଯାଇଛି । ସେମାନେ ତାଙ୍କ ସଂପର୍କୀୟ ନୁହନ୍ତି । କିନ୍ତୁ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପରେ ତାଙ୍କୁ ପରିଶ୍ରମ ସାର୍ଥକ ହେବା ଭଳି ଅନୁଭବ ହେଉଛି । ଖାସ୍ ସେଥିଲାଗି ତାଙ୍କ ଭଳି ଅଧିକାଂଶ ପାଇଲଟ ଲଗାତର ଉଡ଼ାଣ ଯୋଗୁ ଅତ୍ୟଧିକ ଥକି ଯାଇଥିଲେ ମଧ୍ୟ ନିଜର ସେବା ଦେଇଚାଲିଛନ୍ତି । ପ୍ରିୟା ପ୍ରଥମେ କ୍ୟାବିନ୍ କ୍ରୁ ଥିଲେ । ପରେ ସେ ହେଲିକପ୍ଟର ଉଡ଼ାଣ ସଂପର୍କରେ ତାଲିମ ନେଇଥିଲେ । ଏବେ ହିମାଳୟ କ୍ଷେତ୍ରରେ ଅତ୍ୟଧିକ ଉଚ୍ଚତାରେ ଉଦ୍ଧାର ଅଭିଯାନରେ ତାଙ୍କୁ ବିଶେଷଜ୍ଞ ଭାବେ ମନେ କରାଯାଉଛି ।

 

 

 

 

 

ସୌଜନ୍ୟ ପ୍ରମେୟ

 

Show More

Leave a Reply

Your email address will not be published. Required fields are marked *

Back to top button