ରାଜ୍ୟ

Forgot about drinking water: ପିଇବା ପାଣି କଥା ଭୁଲିଗଲେ: ହଜାରେ କୋଟିର ପ୍ରକଳ୍ପ, ଟ୍ୟାପରେ ନାହିଁ

ଗଞ୍ଜାମ ଜିଲ୍ଲାରେ ଲୋକଙ୍କୁ ପିଇବା ପାଣି ଯୋଗାଇ ଦେବାକୁ ଗୋଟିଏ ପରେ ଗୋଟିଏ ବଡ଼ ପ୍ରକଳ୍ପ ନିର୍ମାଣ ଚାଲିଛି। ମେଗା ପାଇପ୍‌ ଜଳଯୋଗାଣଠାରୁ ବ୍ୟାରେଜ୍‌ ନିର୍ମାଣ ପର୍ଯ୍ୟନ୍ତ ଖର୍ଚ୍ଚ ହେଉଛି ଶହ ଶହ କୋଟି।

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଲୋକଙ୍କୁ ପିଇବା ପାଣି ଯୋଗାଇ ଦେବାକୁ ଗୋଟିଏ ପରେ ଗୋଟିଏ ବଡ଼ ପ୍ରକଳ୍ପ ନିର୍ମାଣ ଚାଲିଛି। ମେଗା ପାଇପ୍‌ ଜଳଯୋଗାଣଠାରୁ ବ୍ୟାରେଜ୍‌ ନିର୍ମାଣ ପର୍ଯ୍ୟନ୍ତ ଖର୍ଚ୍ଚ ହେଉଛି ଶହ ଶହ କୋଟି। ହେଲେ ଲୋକଙ୍କ ଘର ପର୍ଯ୍ୟନ୍ତ ପାଇପ୍‌ ପାଣି ଯୋଗାଣ ହୋଇପାରୁନି। ଗାଁ କଥା ତ ଦୂରରେ, ସହରରେ ବି ସ୍ଥିତି ଆହୁରି ଉତ୍କଟ ହେଉଛି। ୨୦୨୩ର ଯୋଜନା ଅନୁସାରେ ଗଞ୍ଜାମର ୭ଟି ବ୍ଲକ୍‌ ପାଇଁ ୧,୬୭୦ କୋଟି ଟଙ୍କାରେ ମେଗା ପାଇପ୍‌ ଜଳଯୋଗାଣ ପ୍ରକଳ୍ପ କରାଯାଉଛି । ଆଉ ୬ଟି ବ୍ଲକ୍‌ ପାଇଁ ୭୭୦ କୋଟିରେ ଅନ୍ୟ ଏକ ମେଗା ପ୍ରକଳ୍ପ କରାଯାଉଛି।

ଅର୍ଥାତ୍‌ ଏହି ଦୁଇ ପ୍ରକଳ୍ପର ମୂଲ୍ୟ ହିଁ ପ୍ରାୟ ୨,୪୪୦ କୋଟି ଟଙ୍କା। ସେହିପରି ଚିକିଟି, ଦିଗପହଣ୍ଡି ଓ ପାତ୍ରପୁର ବ୍ଲକ୍‌ର ୨୮୭ଟି ଗାଁ ପାଇଁ ୨୨୨.୦୩ କୋଟି ଟଙ୍କାର ମେଗା ପାଇପ୍‌ ଜଳ ପ୍ରକଳ୍ପ ମଞ୍ଜୁର ହୋଇଛି। ଶେରଗଡ଼ ଓ ହିଞ୍ଜିଳିକାଟୁର ୧୨୨ଟି ଗାଁ ପାଇଁ ୧୭୨.୧୭ କୋଟି ଟଙ୍କାର ପ୍ରକଳ୍ପ କରାଯାଉଛି। କିନ୍ତୁ ସବୁଠି ପ୍ରକଳ୍ପ କାମ ଅଧାରେ ଅଟକିଛି।

ହଜାରେ କୋଟିର ପ୍ରକଳ୍ପ, ଟ୍ୟାପରେ ନାହିଁ 
କଂସାରିଗଣ୍ଡରୁ ପାଣି ପାଇବାକୁ ଆହୁରି ବର୍ଷେ

ଅନ୍ୟପଟେ କଂସାରିଗଣ୍ଡରେ ଋଷିକୁଲ୍ୟା ନଦୀ ଉପରେ ୧୫୨.୧୦ କୋଟି ଟଙ୍କାର ବ୍ୟାରେଜ୍‌ ନିର୍ମାଣ ଚାଲିଛି। ୨୦୨୫ରେ କାମ ସରିବା କଥା।  ହେଲେ ଏବେ ନୂଆ ସମୟ ଅବଧି ୨୦୨୭ ଅଗଷ୍ଟ ୧କୁ ଧାର୍ଯ୍ୟ ହୋଇଛି। ଚଳିତବର୍ଷ ଅକ୍ଟୋବରରୁ ଏଠାରୁ ପରୀକ୍ଷାମୂଳକ ଭାବେ ପାଣି ଯୋଗାଣ କରାଯିବା ନେଇ ଲକ୍ଷ୍ୟ ରହିଥିବା ସ୍ଥାନୀୟ ଗ୍ରାମ୍ୟ ପାନୀୟଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ କହିଛନ୍ତି।  ଗତ ସରକାର ଅମଳରେ ପିଇବା ପାଣି ପ୍ରକଳ୍ପ ଆରମ୍ଭ ହୋଇଥିଲା। ଅଣଓଡ଼ିଆ କମ୍ପାନିମାନେ ଟେଣ୍ଡର ପାଇ କାମ କରୁଛନ୍ତି। କିନ୍ତୁ ପ୍ରକଳ୍ପ ନିର୍ମାଣରେ ବିଳମ୍ବ ହେଉଥିବାରୁ ଲୋକଙ୍କ ଭିତରେ ଅସନ୍ତୋଷ ତେଜିବାରେ ଲାଗିଛି। ଚଳିତବର୍ଷ ଖରାଦିନେ ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ ଉତ୍କଟ ଜଳସଂକଟ ଯୋଗୁଁ ଲୋକେ ରାଜରାସ୍ତାକୁ ଓହ୍ଲାଇଥିଲେ। ପ୍ରକଳ୍ପ ନିର୍ମାଣ ପାଇଁ ଶହଶହ କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ଧାର୍ଯ୍ୟ ସମୟରେ କାମ ସରୁନି କି ଲୋକଙ୍କ ଘରେ ପାଣି ପହଞ୍ଚୁନି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button