Fraud: ଡିଜିଟାଲ୍ ଗିରଫ ନାଁରେ ବୃଦ୍ଧ ଦମ୍ପତିଙ୍କଠାରୁ ୩୦ ଲକ୍ଷ ଠକେଇ
ଲାଲ କିଲ୍ଲା ନିକଟରେ ଗାଡ଼ି ବିସ୍ଫୋରଣ ଘଟଣାକୁ ଆଧାର କରି ଜଣେ ୭୪ ବର୍ଷୀୟ ଅବସରପ୍ରାପ୍ତ ରେଳ କର୍ମଚାରୀ ଓ ତାଙ୍କ ପତ୍ନୀଙ୍କୁ ଡିଜିଟାଲ୍ ଗିରଫ କରି ଠକେଇ କରାଯାଇଛି। ନକଲି ଏନ୍ଆଇଏ ଓ ଏଟିଏସ୍ ଅଧିକାରୀ ସାଜି ସାଇବର ଠକମାନେ...

ନୂଆଦିଲ୍ଲୀ: ଲାଲ କିଲ୍ଲା ନିକଟରେ ଗାଡ଼ି ବିସ୍ଫୋରଣ ଘଟଣାକୁ ଆଧାର କରି ଜଣେ ୭୪ ବର୍ଷୀୟ ଅବସରପ୍ରାପ୍ତ ରେଳ କର୍ମଚାରୀ ଓ ତାଙ୍କ ପତ୍ନୀଙ୍କୁ ଡିଜିଟାଲ୍ ଗିରଫ କରି ଠକେଇ କରାଯାଇଛି। ନକଲି ଏନ୍ଆଇଏ ଓ ଏଟିଏସ୍ ଅଧିକାରୀ ସାଜି ସାଇବର ଠକମାନେ ଦମ୍ପତିଙ୍କୁ ପ୍ରାୟ ୭ ଦିନ ଧରି ଭିଡିଓ କଲ୍ ମାଧ୍ୟମରେ ନଜରବନ୍ଦୀ ରଖିଥିଲେ। ଏହି ସମୟରେ ସେମାନଙ୍କୁ ଭୟ ଦେଖାଇ ଜୀବନସାରାର ସଞ୍ଚୟରୁ ୩୦ ଲକ୍ଷ ଟଙ୍କା ନେଇଯାଇଥିଲେ। ପରେ ପୁଲିସ ତଦନ୍ତରୁ ଜଣେ ଅଭିଯୁକ୍ତ ସୁନୀଲ ସିଙ୍ଗଲାଙ୍କୁ ଗିରଫ କରାଯାଇଛି।
ଘଟଣାଟି ଗତବର୍ଷ ୨୩ ନଭେମ୍ବରର। ଦ୍ୱାରକାରେ ରହୁଥିବା ବୃଦ୍ଧ ଜଣକ ଜଣେ ସମ୍ପର୍କୀୟଙ୍କ ବାହାଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ଅପରାହ୍ଣ ପ୍ରାୟ ୪ଟାରେ ତାଙ୍କ ପାଖକୁ ଫୋନ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ନିଜକୁ ଏନ୍ଆଇଏ ଅଧିକାରୀ ବୋଲି ପରିଚୟ ଦେଇଥିଲେ। ସେ ବୃଦ୍ଧଙ୍କୁ କହିଥିଲେ ଯେ ତାଙ୍କ ବ୍ୟାଙ୍କ ଖାତା ଲାଲ କିଲ୍ଲା ବିସ୍ଫୋରଣରେ ଜଡ଼ିତ ଲୋକଙ୍କୁ ଟଙ୍କା ଯୋଗାଇବାରେ ବ୍ୟବହାର ହୋଇଛି। ଏହି କଥା ଶୁଣି ବୃଦ୍ଧ ଭୟଭୀତ ହୋଇଯାଇଥିଲେ। ପରଦିନ ଠକମାନେ ଭିଡିଓ କଲ୍ କରିଥିଲେ। ଜଣେ ନିଜକୁ ଏନ୍ଆଇଏ ଓ ଅନ୍ୟଜଣେ ଏଟିଏସ୍ ଅଧିକାରୀ ବୋଲି କହିଥିଲେ। ତାଙ୍କ ବ୍ୟାଙ୍କ ଖାତାକୁ ବିସ୍ଫୋରଣ ମାମଲାର ଅଭିଯୁକ୍ତ ଉମର ନବୀ ଓ ଅନ୍ୟମାନଙ୍କ ସହ ଯୋଡ଼ାଯାଇଥିବା ଦାବି କରି ଗିରଫ କରିବାର ଧମକ ଦେଇଥିଲେ। ଦମ୍ପତିଙ୍କୁ କାହା ସହ କଥା ନ ହେବାକୁ, ଏପରିକି ସନ୍ତାନମାନଙ୍କୁ ମଧ୍ୟ ଘଟଣା ବିଷୟରେ ନ କହିବାକୁ କୁହାଯାଇଥିଲା। ଏଥିସହ ହ୍ୱାଟ୍ସଆପ୍ରେ ଏକ ନକଲି ‘ଗୋପନୀୟତା ଚୁକ୍ତି’ ପଠାଇ ସେଥିରେ ଦସ୍ତଖତ କରାଯାଇଥିଲା। ପରେ ବ୍ୟାଙ୍କ ଖାତା, ଫିକ୍ସଡ୍ ଡିପୋଜିଟ୍ ଓ ଅନ୍ୟ ସମ୍ପତ୍ତିର ସମ୍ପୂର୍ଣ୍ଣ ତଥ୍ୟ ନିଆଯାଇଥିଲା।
ଠକମାନେ ଟଙ୍କାର ଉତ୍ସ ଯାଞ୍ଚ କରିବା ବାହାନାରେ ଆର୍ବିଆଇ ଅନୁମୋଦିତ ଖାତାକୁ ଟଙ୍କା ପଠାଇବାକୁ କହିଥିଲେ। ଡିସେମ୍ବର ୩ରେ ବୃଦ୍ଧ ତାଙ୍କ ଫିକ୍ସଡ୍ ଡିପୋଜିଟ୍ ଭାଙ୍ଗି ୩୦ ଲକ୍ଷ ଟଙ୍କା ଉଠାଇଥିଲେ। ପ୍ରଥମେ ୧୫ ଲକ୍ଷ ଟଙ୍କା ଆର୍ଟିଜିଏସ୍ ମାଧ୍ୟମରେ ପଠାଇଥିଲେ। ପରଦିନ ଆଉ ୧୫ ଲକ୍ଷ ଟଙ୍କା ପଠାଇବାକୁ କୁହାଯିବାରୁ ସେହି ଟଙ୍କା ମଧ୍ୟ ଦେଇଥିଲେ। ପରେ ଆର୍ବିଆଇ ଗଭର୍ଣ୍ଣରଙ୍କ ମୋହର ଥିବା ଏକ ନକଲି ‘ଭେରିଫିକେସନ୍ ଲେଟର’ ପଠାଯାଇଥିଲା। କିଛି ସମୟ ପରେ ଠକମାନେ ଫୋନ୍ ଉଠାଇବା ବନ୍ଦ କରିବାରୁ ଦମ୍ପତି ଠକେଇର ଶିକାର ହୋଇଥିବା ବୁଝିଥିଲେ। ଅଭିଯୋଗ ପରେ ମାମଲାର ତଦନ୍ତ କ୍ରାଇମ୍ ବ୍ରାଞ୍ଚ୍କୁ ଦିଆଯାଇଥିଲା।
ପ୍ରାୟ ୬ ମାସ ପରେ ପୁଲିସ ଟଙ୍କାର ଗତିବିଧି ଠାବ କରି ହରିୟାଣାର ଫତେହାବାଦ ବାସିନ୍ଦା ସୁନୀଲ ସିଙ୍ଗଲାଙ୍କ ଖାତାରେ ଟଙ୍କା ପହଞ୍ଚିଥିବା ଜାଣିଥିଲା। ‘ଶ୍ରୀ ବାଲାଜୀ ଟ୍ରାକ୍ଟର’ ନାମରେ ଥିବା ଏହି ଖାତା ମାଧ୍ୟମରେ ୬ରୁ ଅଧିକ ସାଇବର ଠକେଇ ମାମଲାର ପ୍ରାୟ ୧ କୋଟି ଟଙ୍କା କାରବାର ହୋଇଥିବା ପୁଲିସ କହିଛି। ମେ ୧୧ରେ ସିଙ୍ଗଲାଙ୍କୁ ଗିରଫ କରାଯାଇଥିଲା। ତାଙ୍କଠାରୁ ସୂଚନା ପାଇ ପୁଲିସ ୧୫ ଲକ୍ଷ ଟଙ୍କାର ଗୋଟିଏ କିସ୍ତିର ପରବର୍ତ୍ତୀ ଟ୍ରାନ୍ସଫର୍କୁ ଅଟକାଇ ୧୨ ଲକ୍ଷ ଟଙ୍କା ଉଦ୍ଧାର କରି ଦମ୍ପତିଙ୍କୁ ଫେରାଇଛି।
ସୌଜନ୍ୟ ସମ୍ବାଦ




