Site icon Swayam News

Fresh Violence In Nepal: ନେପାଳର ବାରା ଜିଲ୍ଲାରେ ଜେନ୍–ଜି ପ୍ରତିବାଦକାରୀ ଓ UML କର୍ମୀଙ୍କ ମଧ୍ୟରେ ସଂଘର୍ଷ, କର୍ଫ୍ୟୁ ଲାଗୁ

ନୂଆଦିଲ୍ଲୀ: ନେପାଳରେ ପୁଣି ହିଂସା। କିଛି ମାସ ତଳେ ଜେନ୍-ଜି ଆନ୍ଦୋଳନ ପାଇଁ ଅନେକ ମୃତାହତ ହୋଇଥିବା ବେଳେ ଏବେ ପୁଣି ନେପାଳରେ ହିଂସା ଆରମ୍ଭ ହୋଇଛି। ବାରା ଜିଲ୍ଲାରେ ହିଂସା ହୋଇଥିବା ବେଳେ ଏଥିପାଇଁ କର୍ଫ୍ୟୁ ଲାଗୁ କରାଯାଇଛି। ଜେନ-ଜି ପ୍ରତିବାଦକାରୀ ଏବଂ ବହିଷ୍କୃତ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ନେତୃତ୍ୱରେ ନେପାଳର କମ୍ୟୁନିଷ୍ଟ ପାର୍ଟି-Unified Marxist Leninist (UML)ର କର୍ମୀଙ୍କ ମଧ୍ୟରେ ପୁଣି ଥରେ ସଂଘର୍ଷ ହେବା ପରେ କର୍ଫ୍ୟୁ ଲାଗୁ କରାଯାଇଛି।

ଜିଲ୍ଲା ପ୍ରଶାସନ କାର୍ଯ୍ୟାଳୟ ଘୋଷଣା କରିଛି ଯେ, ଉତ୍ତେଜନା ବୃଦ୍ଧି ପରେ ଶୃଙ୍ଖଳା ଫେରାଇ ଆଣିବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗୁରୁବାର ରାତି ୮ଟା (ସ୍ଥାନୀୟ ସମୟ) ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ।

କାହିଁକି ଆରମ୍ଭ ହୋଇଥିଲା ହିଂସା?

ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ‌ସେପ୍ଟେମ୍ବର ମାସରେ ନେପାଳର ଯୁବପିଢ଼ି ଆନ୍ଦୋଳନକୁ ଓହ୍ଲାଇଥିଲେ। ପୂର୍ବରୁ ଦୁର୍ନୀତି, ଏକଚ୍ଛତ୍ରବାଦ, ଆର୍ଥିକ ଅସମାନତା ଓ ନେତୃତ୍ୱରେ ଉତ୍ତରଦାୟିତ୍ୱର ଅଭାବ ବିରୋଧରେ ସ୍ବର ଉତ୍ତୋଳନ କରି ଆସୁଥିଲେ। କିନ୍ତୁ ଯେତେବେଳେ ସରକାର ୨୬ଟି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ସମ୍ପୂର୍ଣ୍ଣ ନିଷିଦ୍ଧ କଲେ, ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବରେ ନିଜ ସ୍ୱପ୍ନ ବୁଣୁଥିବା ଯୁବପିଢ଼ିଙ୍କ ସୁଅ ରାସ୍ତାକୁ ମାଡ଼ି ଆସିଥିଲା। ଦେଖୁ ଦେଖୁ ନେପାଳର ପ୍ରମୁଖ ସହରଗୁଡ଼ିକର ରାସ୍ତା ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଗଲା। ଅନେକ ନେତାଙ୍କ ଘର ପୋଡ଼ିଦିଆଯିବା ସହ ସାଧାରଣ ଲୋକ ବହୁତ ପ୍ରଭାବିତ ହୋଇଥିଲେ।

ସେପ୍ଟେମ୍ବରରେ ସରକାର ଭାଙ୍ଗିବା ସହ ଥମିଥିଲା ହିଂସା

ସରକାର ଓ ବ୍ୟବସ୍ଥା ବିରୋଧରେ ଜେନ୍-ଜି (ଯୁବଗୋଷ୍ଠୀ)ର ପ୍ରଦର୍ଶନ ଭୟାନକ ହିଂସାର ରୂପ ନେବା ପରେ କେପି ଶର୍ମା ଓଲିଙ୍କ ସରକାରର ପତନ ଘଟିଥିଲା ଏବଂ ଅନ୍ତରୀଣ ସରକାର ଗଠନ ହୋଇଥିଲା। ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଏହା ସହ ସୁଶୀଳା ନେପାଳର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେବାର ଗୌରବ ହାସଲ କରିଛନ୍ତି।

 

ସୌଜନ୍ୟ – ସମ୍ବାଦ

Exit mobile version