Ghalibaf : ଇସଲାମାବାଦ ଶାନ୍ତି ଆଲୋଚନା ପୂର୍ବରୁ ଇରାନୀ ବାଚସ୍ପତି ଗାଲିବାଫ୍ ଟ୍ରମ୍ପଙ୍କୁ ଦେଲେ ସ୍ପଷ୍ଟ ବାର୍ତ୍ତା

ତେହେରାନ: ଯୁଦ୍ଧ ସମାପ୍ତ କରିବା ପାଇଁ ଆମେରିକା ଏବଂ ଇରାନ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ପାକିସ୍ତାନରେ ହେବାକୁ ଯାଉଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଆମେରିକୀୟ ପ୍ରତିନିଧିମଣ୍ଡଳ ପଠାଇବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ, ଇରାନ କ୍ଷେତ୍ରରେ ଏପର୍ଯ୍ୟନ୍ତ ଅନିଶ୍ଚିତତା ଜାରି ରହିଛି। ପାକିସ୍ତାନ କହିଛି, ଇରାନୀ ପ୍ରତିନିଧିମଣ୍ଡଳୀ ଅଂଶଗ୍ରହଣ କରିବେ। ତେବେ ଟ୍ରମ୍ପଙ୍କ ଧମକ ଏବଂ ଆମେରିକାର ହର୍ମୁଜ ପ୍ରଣାଳୀ ଅବରୋଧ ଯୋଗୁଁ ତେହେରାନ ଅସନ୍ତୁଷ୍ଟ। ତେଣୁ ସେମାନେ ଇସଲାମାବାଦ ଯାତ୍ରା କରିବାକୁ ମନା କରିଦେଇଛନ୍ତି। ପାକିସ୍ତାନ ଇରାନକୁ ମନାଇବାକୁ ବାରମ୍ବାର ଚେଷ୍ଟା କରୁଛି। ଏବେ, ଇରାନୀ ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫ ଟ୍ରମ୍ପଙ୍କୁ କଠୋର ସ୍ୱରରେ ସ୍ପଷ୍ଟ ଜବାବ ଦେଇଛନ୍ତି।ଗାଲିବାଫ୍ ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଛନ୍ତି, ଅବରୋଧ ଲାଗୁ କରି ଏବଂ ଯୁଦ୍ଧବିରତି ଭଙ୍ଗ କରି, ଟ୍ରମ୍ପ ଶାନ୍ତି ଆଲୋଚନା ଟେବୁଲକୁ ଆତ୍ମସମର୍ପଣ ଟେବୁଲରେ ପରିଣତ କରିବାକୁ ଚାହୁଁଛନ୍ତି। ସେ ଏକ ନୂଆ ଯୁଦ୍ଧକୁ ଇନ୍ଧନ ଯୋଗାଉଛନ୍ତି। ଆମେ ଧମକର ଛାୟା ତଳେ ଆଲୋଚନାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁ। ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି କହିଛନ୍ତି, ଆମେରିକାର କ୍ରମାଗତ ଅସ୍ତ୍ରବିରତି ଉଲ୍ଲଂଘନ କୂଟନୈତିକ ପ୍ରକ୍ରିୟା ଜାରି ରଖିବାରେ ଏକ ବଡ଼ ପ୍ରତିବନ୍ଧକ ସାଜିଛି। ଆରାଘଚି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇଶାକ ଡାରଙ୍କୁ ଫୋନ୍ ମାଧ୍ୟମରେ କହିଛନ୍ତି, ଇରାନ ସମସ୍ତ ଦିଗ ଉପରେ ବିଚାର କରୁଛି, କିନ୍ତୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇନାହିଁ।

ଜଣେ ବରିଷ୍ଠ ଇରାନୀ ଅଧିକାରୀ ରଏଟର୍ସଙ୍କୁ କହିଛନ୍ତି, ତାଙ୍କ ଦେଶ ପାକିସ୍ତାନରେ ଆମେରିକା ସହିତ ଶାନ୍ତି ଆଲୋଚନାରେ ଅଂଶଗ୍ରହଣ କରିବାକୁ ବିଚାର କରୁଛି। ପାକିସ୍ତାନୀ ସେନା ମୁଖ୍ୟ ଅସୀମ ମୁନିର ମଧ୍ୟ ହରମୁଜ୍ ଅବରୋଧ ବିଷୟରେ ଟ୍ରମ୍ପଙ୍କ ସହ କଥା ହୋଇଛନ୍ତି। ସୂତ୍ର ଅନୁସାରେ ମୁନିର ଟ୍ରମ୍ପଙ୍କୁ କହିଥିଲେ ଯେ, ଆମେରିକାର ହରମୁଜ୍ ଅବରୋଧ ଆଲୋଚନାରେ ସବୁଠାରୁ ବଡ଼ ପ୍ରତିବନ୍ଧକ। ତଥାପି, ଇରାନୀ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ ଇସଲାମାବାଦ ଆଲୋଚନା ଉପରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ।

ଇରାନର ଶୀର୍ଷ ଆଲୋଚନାକାରୀ ମହମ୍ମଦ ବାଘେର ଅବରୋଧ ଏବଂ ଅସ୍ତ୍ରବିରତି ଉଲ୍ଲଂଘନ ମାଧ୍ୟମରେ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଚାପ ବୃଦ୍ଧି କରିବାର ଅଭିଯୋଗ ଆଣିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ଇରାନ ଧମକ ଦେଇ ଆଲୋଚନା ଗ୍ରହଣ କରେ ନାହିଁ। ଏହି ସମୟରେ, ଡୋନାଲ୍ଡ ଟ୍ରମ୍ପ ପୁଣି କହିଛନ୍ତି ଯେ ଆମେରିକା ଯୁଦ୍ଧରେ ବିଜୟୀ ହେଉଛି। ଇରାନ ସହିତ ଏକ ଚୁକ୍ତି ହେବା ପରେ ହିଁ ଆମେରିକା ନୌସେନା ହର୍ମୁଜ୍ ଉପରୁ ଏହାର ଅବରୋଧ ଉଠାଇବ। ଏସବୁ ମଧ୍ୟରେ, ପାକିସ୍ତାନ ଆଶାବାଦୀ ରହିଛି ଯେ, ଆମେରିକା ଏବଂ ଇରାନର ପ୍ରତିନିଧିମାନେ ଇସଲାମାବାଦ ଆଲୋଚନାରେ ଯୋଗଦେବେ। ପାକିସ୍ତାନ ଆଲୋଚନା ଆୟୋଜନ ପାଇଁ ପ୍ରସ୍ତୁତି ଜୋରଦାର କରିଛି, ଯଦିଓ ଆଲୋଚନା ହେବ କି ନାହିଁ ତାହା ଅନିଶ୍ଚିତ ରହିଛି।

 

 

 

ସୌଜନ୍ୟ ସମ୍ବାଦ