ଭୁବନେଶ୍ବର: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ବଜେଟ୍ରେ ଜଳମାର୍ଗ ସମ୍ପର୍କରେ କରିଥିବା ଘୋଷଣାରୁ ଓଡ଼ିଶା ବିଶେଷ ଭାବେ ଉପକୃତ ହେବ। ଆସନ୍ତା ୫ ବର୍ଷ ମଧ୍ୟରେ ୨୦ଟି ନୂଆ ଜାତୀୟ ଜଳମାର୍ଗକୁ କାର୍ଯ୍ୟକାରୀ କରିବା ନେଇ ଘୋଷଣା ହୋଇଛି। ସେଥିରେ ଓଡ଼ିଶାର ଜାତୀୟ ଜଳମାର୍ଗ-୫ ରହିଛି। ଖଣି ସମୃଦ୍ଧ ଅଞ୍ଚଳ ତାଳଚେର, ଅନୁଗୁଳକୁ ଏହା ଶିଳ୍ପାଞ୍ଚଳ କଳିଙ୍ଗନଗର ଏବଂ ପାରାଦୀପ, ଧାମରା ବନ୍ଦରକୁ ଯୋଡ଼ିବ। ଏହି ସବୁ ଅଞ୍ଚଳରେ ଥିବା ଶିଳ୍ପଗୁଡ଼ିକ ପରିବେଶ ଅନୁକୂଳ ଉପାୟରେ ନିଜର କଞ୍ଚାମାଲ ଓ ଚୂଡ଼ାନ୍ତ ସାମଗ୍ରୀ ପରିବହନ କରିପାରିବେ। ତାଳଚେର ଓ ଅନୁଗୁଳରୁ କୋଇଲା ଜଳପଥ ଦେଇ କଳିଙ୍ଗନଗରରେ ଥିବା ବିଭିନ୍ନ କଳକାରଖାନା ଏବଂ ରାଜ୍ୟର ଦୁଇ ପ୍ରମୁଖ ବନ୍ଦର ପାରାଦୀପ ଓ ଧାମରାରେ ପହଞ୍ଚିପାରିବ। ଏଥି ସହିତ ବିଭିନ୍ନ ଶିଳ୍ପସଂସ୍ଥାର ଚୂଡ଼ାନ୍ତ ସାମଗ୍ରୀ ମଧ୍ୟ ଦୁଇ ବନ୍ଦରରେ ପହଞ୍ଚିପାରିବ।

